Odiapua.com

ଅଙ୍ଗନବାଡି କେନ୍ଦ୍ର ନିର୍ମାଣକୁ ନେଇ ବିବାଦ: ପ୍ରତିବାଦରେ ବିଡିଓଙ୍କୁ ଦାବିପତ୍ର

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର କୁନିକୁନି ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରୁଛନ୍ତି । କୁନି ପିଲା ସେଠାରେ ରହି ଖେଳକୁଦ, ନାଚଗୀତ ଓ ଖାଦ୍ୟ ମାଧ୍ୟମରେ ଶିକ୍ଷାପ୍ରତି ଆକୃଷ୍ଟ ହୋଇ ପାରିବେ । ସେଥିପାଇଁ ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରୁଛନ୍ତି । ହେଲେ କେତେକ ସ୍ଥାନରେ ଏହି ଅଙ୍ଗନବାଡି କେନ୍ଦ୍ରକୁ ନେଇ ବିବାଦ ଦେଖାଦେଇଛି । ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ବାରିକସାହି ଗ୍ରାମରେ ୨୦୦୦ ମସିହାରୁ ଅଙ୍ଗନବାଡି କେନ୍ଦ୍ର ଚାଲୁ ରହିଛି । ଗୃହ ନଥିବାରୁ ସେଠାରେ ପିଲାମାନଙ୍କୁ ନେଇ ଗଛମୂଳେ, ସପ୍ତାଘରେ ଓ ପରଘରେ କେନ୍ଦ୍ର ଚାଲେ । ଗତ ୨୦୧୨ ମସିହାରେ ସ୍ଥାନୀୟ ଲୋକ ଏହି କେନ୍ଦ୍ର ନିର୍ମାଣ ପାଇଁ ତହସିଲଦାରଙ୍କୁ ଜମି ଯୋଗାଇଦେବାକୁ ଆଦେବନ କରିଥିଲେ । ପରବର୍ତୀ ସମୟରେ ତହସିଲଦାର ଖାତା ନଂ-୮୧୫, ପ୍ଲଟ ନଂ-୨୨୦/୨୧୭୧ ୬ ଡିସିମିଲ ଶ୍ୟାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାରୀ ଜମି ଯୋଗାଇ ଦେଇଥିଲେ । ୪ବର୍ଷ ହେଲା ଏହି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟବରାଦ କରାଯାଇଛି । ଏବେ ଏହି ଗୃହ ନିର୍ମାଣ ପାଇଁ ତହସିଲଦାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଜମିରେ ଏହି କେନ୍ଦ୍ର ନକରାଯାଇ ଅନ୍ୟ ଏକ ସ୍ଥାନରେ କେନ୍ଦ୍ର ନିର୍ମାଣ କରାଯାଉଛି । ଯାହାକି ଶ୍ୟାମପୁର ୨ ନମ୍ବର ଅଙ୍ଗନବାଡି କେନ୍ଦ୍ର ଅଧିନରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଶ୍ୟାମପୁର ବାରିକସାହି ଅଙ୍ଗନବାଡି କେନ୍ଦ୍ର ଠାରୁ ଏବେ ନିର୍ମାଣଧୀନ ନୂତନ ତଥା ଶ୍ୟାମପୁର ୨ ନମ୍ବର ଅଙ୍ଗନବାଡି କେନ୍ଦ୍ର ନିକଟ ପ୍ରାୟ ସରକାରୀ ରାସ୍ତା ୧ରୁ ଦେଢ କିମି ରାସ୍ତାର ଦୂରତ୍ୱ ହେବ ।

ଏପରିକି ଧାମନଗର ଜନଗହଳିପୂର୍ଣ୍ଣ ବଜାର ଦେଇ ଏହି କୋମଳମତି କୁନିକୁନି ପିଲା ଯିବାକୁ ପଡିବ । ଯଦି ବ୍ୟକ୍ତିଗତ ରାସ୍ତା ଦେଇ ଏହି କେନ୍ଦ୍ରକୁ ଯିବାକୁ ପଡିବ ତେବେ ଅଘିରାଗଡିଆ ନାଳ ପାର ହୋଇ କୁନି ପିଲା ଯିବାକୁ ପଡିବ । ଏହି ନାଳରେ ବର୍ଷଭରି ଆବର୍ଜନା ଜଳ ପ୍ରବାହିତ ହେଉଥିବାରୁ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ର ଛାଡିବାକୁ ଅଭିଭାବକ ମାନେ ନାପସଂଦ କରୁଛନ୍ତି । ଏନେଇ ଗ୍ରାମର ଚିନ୍ତାମଣି ବାରିକ, ଦେବେନ୍ଦ୍ର କୁମାର ରାମ, ନବକିଶୋର ଜେନା, ଅଭିମନ୍ୟୁ ମଲ୍ଲିକ, ସନାତନ ବାରିକ, ଗଙ୍ଗାଧର ବଳ, ଅନନ୍ତ ବାରିକ, ଅଶ୍ୱନୀ କୁମାର ବାରିକ, ଶ୍ରୀଧର ବେହେରା, ପିତବାସ ବାରିକ, ବାବାଜୀ ନାୟକ, ଲକ୍ଷ୍ମୀପ୍ରିୟା ଜେନ. ସେକ ଜାବିର ପ୍ରମୁଖ ଆଜି ଧାମନଗର ବିଡିଓ, ସିଡିପିଓ ଓ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯଦି ଏସଂପର୍କରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏସଂପର୍କରେ ସୁପରଭାଇଜର ମମତା ରାଉତଙ୍କୁ ପଚାରିବାରୁ ସେ କହନ୍ତି, ପ୍ରକୃତ ପକ୍ଷେ ବାରିକସାହି ଅଙ୍ଗନବାଡି କେନ୍ଦ୍ର ଏବେ ଯେଉଁଠାରେ ନିର୍ମାଣ ଚାଲିଛି ତାହା କୁନିକୁନି ଶିଶୁଙ୍କ ପାଇଁ ସୁରକ୍ଷିତ ନୁହେଁ । ଆଜି ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।