Odiapua.com

ଅଘୋଷିତ ବିଦ୍ୟୁତ କାଟ: ଅତିଷ୍ଠ ସହରବାସୀ – ଖରାପ ପାଗ ଯୋଗୁ ସମସ୍ୟା ବଢିଛି: ନେସ୍କା

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା। ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି। କେତେବେଳେ ଡ୍ରପ ଆଉଟ ହେଉଛି ବୋଲି କୁହାଯାଉଛି ତ କେତେବେଳେ ସଟ ଡାଉନ ନିଆଯାଇଛି ବୋଲି ଲୋକଙ୍କୁ କୁହାଯାଉଛି। ପୂର୍ବରୁ ଯଥାକଥାକେ ଚାଲିଥିଲା, ଏବେ ଗତ ୨ସପ୍ତାହ ହେବ ଏହି ବିଦ୍ୟୁତ କାଟ ସହରବାସୀଙ୍କୁ ବ୍ୟସ୍ତ ବିବ୍ରତ କରି ପକାଇଲାଣି। ସାଧାରଣ ପରିବାର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ସରକାରୀ ଅଫିସର ଓ କର୍ମଚାରୀ, କମ୍ପାନୀ କାର୍ଯ୍ୟାଳୟ ସବୁଠି ବିଦ୍ୟୁତକାଟକୁ ନେଇ ଅସନ୍ତୋଷ। ହେଲେ ନେସ୍କୋ କର୍ତ୍ତୃପକ୍ଷ ପୁରା ବେପରୱା ଅଛନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି। କେହିକେହି ସହରବାସୀଙ୍କ ଧୈର୍ଯ୍ୟକୁ ନେସ୍କାବାଲା ପରଖୁଛନ୍ତି ବୋଲି ମଧ୍ୟ କଟାକ୍ଷ କରୁଛନ୍ତି। ସହରର ପୁରୁଣାବଜାର ଅଞ୍ଚଳ, ବାଇପାସ ଠାରୁ ଆରମ୍ଭ କରି କଚେରୀ ବଜାର, ଅସ୍ଥଳ- ନରିପୁର, କୁଆଁସ, ମଠସାହିରୁ ଆରମ୍ଭ କରି ଭିଭିଆଇପି କଲୋନି ଗବସାହି ଯାଏ ସବୁଠି ଉପଭୋକ୍ତା ଅଘୋଷିତ ବିଦ୍ୟୁତକାଟ ଜନିତ ନିର୍ଯାତନା ଭୋଗୁଛନ୍ତି। ଏସପି, କଲେକ୍ଟରଙ୍କ ଆବାସିକ କାର୍ଯ୍ୟାଳୟ ଥିବା ଗବସାହିରେ ୧୩ଥର ବଦ୍ୟୁତ କାଟ କାଟର ନଜିର ରହିଛି। ପୁଣି ଘଂଟାଘଂଟା ଧରି ଉକ୍ତ ଅଞ୍ଚଳରେ ବିଦ୍ୟୁତକାଟ ହୋଇଛି। ସେହିପରି ଚରମ୍ପା ଇଲାକାରେ ମଧ୍ୟ ଅନୁରୂପ ଅବସ୍ଥା। ତହସିଲରୋଡରୁ ଆରଡି ଛକ ଯାଏ ଅଂଚଳରେ ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି ଉପଭୋକ୍ତା। ତେବେ ଏକ ସମୟରେ ଏହ ବିଦ୍ୟୁତକାଟ ସବୁ ଅଂଚଳ ପାଇଁ ହେଉନାହିଁ। ବିଭିନ୍ନ ଅଂଚଳରେ ବହୁବାର ଭିନ୍ନଭିନ୍ନ ସମୟରେ ହେଉଛି ବିଦ୍ୟୁତକାଟ। ଜେରକ୍ସ, ଡିଟିପି ୟୁନିଟ କରିଥିବା ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି। କେତେବେଳେ ବିଦ୍ୟୁତ କାଟ ହୋଇଯିବ ସେଥଇନେଇ ଭରସା ନାହିଁ ବୋଲି ସମସ୍ତେ କହୁଛନ୍ତି। କିଏ ସକାଳୁ ପାଣିଗରମ କରୁଥିବ ଗୋଧୋଇବା ପାଇଁ ହେଲେ ହଠାତ ହେବ ବିଦ୍ୟୁତ କାଟ। କିଏ ସକାଳୁ ଚା’କପ ବି ପିଇ ପାରୁନାହିଁ। ପୁଣି ସଂଧ୍ୟାରେ କିଏ ପାଠପଢିବା ବେଳେ ବି ବିଦ୍ୟୁତକାଟ। ଏହାକୁ ନେଇ ସମସ୍ତେ ବିରକ୍ତ ହେଲେଣି ଓ ବିଦ୍ୟୁତ କାଟ ପ୍ରସଙ୍ଗ ଏବେ ଚର୍ଚାର ପ୍ରମୁଖ କାରଣ ପାଲଟିଛି।ତେବେ ଉପଭୋକ୍ତାଙ୍କ ଭାଷାରେ ନେସ୍କୋ ବେପରୱା ହୋଇଯାଇଥିବା ବେଳେ ନେସ୍କୋ କର୍ତ୍ତୃପକ୍ଷ କିନ୍ତୁ ଭିତିଭୂମିର ନବୀକରଣ ଲାଗି ହେଉଥିବା ମରାମତି ଓ ଖରାପ ପାଗକୁ ଦାୟୀ କରିଛନ୍ତି। ଭଦ୍ରକ ସହରାଞ୍ଚଳ ବିଭାଗୀୟ ଏସଡିଓ ଗୌରହରି ମଣ୍ଡଳ‘ସମାଜ’କୁ କହିଛନ୍ତି ଯେ: ସାରା ସହରରେ ଏବେ ଭିତିଭୂମିର ନବୀକରଣ ଚାଲିଛି। ସରକାରଙ୍କ ‘ସମନ୍ୱିତ ଶକ୍ତି ଉନ୍ନୟନ ଯୋଜନା’ (ଆଇପିଡିଏସ)ର ସହରରେ ୧୦୭ଟି ନୂଆ ଟ୍ରାନସଫରମର ସ୍ଥାପନ କରାଯିବାର ଅଛି। ୧୫୭ କିଲୋମିଟର ଲମ୍ବର ଏବି କେବଲ ଲଗାଯିବାର ଲକ୍ଷ୍ୟ ରହିଛି। ଏହି ଯୋଜନାରେ କାର୍ଯ୍ୟ ସରିବା ଲାଗି ଆହୁରି ବର୍ଷଟେ ପାଖାପାଖି ଲାଗିବ। ତହସିଲ ରୋଡ, କଚେରୀ ବଜାର, ବାଇପାସ ଆଦି ଅଂଚଳରେ ୬୦ ପ୍ରତିଶତ କାମ ସରିଲାଣି। ପୁରୁଣାବଜାର ଅଞ୍ଚଳରେ ୨୦ ପ୍ରତିଶତ କାମ ସରିଛି। ତେବେ ଏହି କାର୍ଯ୍ୟଲାଗି ସଟ ଡାଉନ ନେବାକୁ ପଡୁଛି। ବେଳେ ଘଂଟାଏ ସଟ ଡାଉନ ନେଲେ କାମ ସରିଯିବ ବୋଲି ସ୍ଥିର ହୋଇଥାଏ ତ ପ୍ରକୃତରେ ଲାଗିଯାଏ ଦୁଇଘଂଟା। ସେ କ୍ଷେତ୍ରରେ ସମସ୍ୟା ଆସିଥାଏ ବୋଲି କହିଛନ୍ତି ଏସଡିଓ। ସେହିଭଳି ଗତ କିଛିଦିନ ହେବ ଲଗାତାର ଖରାପ ପାଗ ରହିଛି। ଅଧିକ ବର୍ଷା ଓ ବଜ୍ରପାତରେ ଖୁଂଟ ଇନସୁଲେଟର ଫାଟିଗଲେ ତାକୁ ମରାମତି କରିବା ସମୟ ସାପେକ୍ଷ ରହୁଛି। ଗଛଡାଳ ତାରରେ ଲାଗିବା ଯୋଗୁ ଡ୍ରପ ଆଉଟ ବି ହେଉଛି। ତେବେ ବହୁବର୍ଷ ଧରି ସହରରେ ଖୁଂଟ ତାର ବଦଳା ଯାଇନଥିଲା, ଏବେ ତାହା ଚାଲିଛି। ସମସ୍ୟାର ପୂର୍ଣ୍ଣ ସମାଧାନ ଲାଗି ସମୟ ଲାଗିବ ବୋଲି କହିଛନ୍ତି ଏସଡିଓ ଶ୍ରୀ ମଣ୍ଡଳ। ଅପରପକ୍ଷେ ଉକ୍ତ ଯୋଜନାରେ ନବୀକରଣ କାର୍ଯ୍ୟ ଅନ୍ୟ ଘରୋଇ ଏଜେନସି ଜରିଆରେ ହେଉଛି। ନେସ୍କୋର ଅଧିକାରୀମାନେ କବେଳ ତା’ର ତଦାରଖ କରୁଥିବା କହିଛନ୍ତି ବିଭାଗୀୟ ଏସଡିଓ।