Odiapua.com

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର୨୯ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଛି। ଶୁକ୍ରବାର ରସୁଲପୁର ବ୍ଳକ ଖଣ୍ଡାସ ପଂଚାୟତର କେଶପୁର ଗ୍ରାମର +୨ ରେ ପଢୁଥିବା ଚନ୍ଦନ ବେହେରା ନାମକ ଜଣେ ଛାତ୍ର ନଦୀରେ ଭାସି ଯାଊଥିଲେ। ଖଣ୍ଡାସ ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଅନ୍ୟ ଗ୍ରାମବାସୀଙ୍କ ସହିତ ଚନ୍ଦନଙ୍କ ପରିବାର ମଧ୍ୟ ନିରାପଦ ଆଶ୍ରୟ ସ୍ଥଳକୁ ଆସୁଥିଲେ। ତେବେ ବାବନ ବେହେରାଙ୍କ ପୁତ୍ର ଚନ୍ଦନଙ୍କର ପାଣିରେ ଗୋଡ ଖସି ଯିବାରୁ ସେ ସ୍ରୋତରେ ଭାସି ଯାଇଥିଲେ। ସୈାଭାଗ୍ୟକୁ ସେ ଗୋଟିଏ ଗଛରେ ଅଟକି ରହି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ନଦୀରେ ପ୍ରଖର ସ୍ରୋତ ଥିବାରୁ ଓ ରାତି ହୋଇଯାଇଥିବାରୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା। ଜିଲ୍ଲା ପ୍ରଶାସନ ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ବି-ଡି-ଓ- ଊମାକାନ୍ତ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ପରେ ଅଗ୍ନିଶମ ବିଭାଗର ହାବିଲଦାର ବାବାଜୀ ଚରଣ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉଦ୍ୟମ କ୍ରମେ ଚନ୍ଦନଙ୍କୁ ନିରାପଦ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ପରିବାର ପାଖେ ତାଙ୍କୁ ପହଂଚାଯାଇଥିଲା। ଜିଲ୍ଲାପାଳ ଅଗ୍ନିଶମ ବିଭାଗର ଏହି ମହନୀୟ ଊଦ୍ୟମ ପାଇଁ ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଲା ବୋଲି କହିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅପର ପକ୍ଷରେ ମୃତ୍ୟୁ ମୁଖରୁ ପେଂରି ଆସିଥିବାରୁ ଚନ୍ଦନ ତାଙ୍କୁ ଉଦ୍ଧାର କରିଥିବା ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।