Odiapua.com

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଦେଶର ସୁରକ୍ଷା ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ମୋଦି ସରକାର

– ଦେଶର ତିନି ସେନାରେ ୨, ୫୫, ୦୦୦ରୁ ଅଧିକ ପଦବୀ ଖାଲିପଡ଼ିଥିବା ବେଳେ ୨ ବର୍ଷ ହେଲା ନିଯୁକ୍ତି ବନ୍ଦ କରିଦେଇଛନ୍ତି ମୋଦି ସରକାର
– ଦେଶର ସୈନିକଙ୍କ ଦରମା, ପେନସନ, ସ୍ୱାସ୍ଥ୍ୟବୀମା ଆଦି ବନ୍ଦ କରିବାକୁ ଚକ୍ରାନ୍ତ
– ସେନାରେ ଠିକା ନିଯୁକ୍ତି ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ
– ୪ବର୍ଷର ଠିକା ନିଯୁକ୍ତି ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ମନୋଭାବ ଆଣିପାରିବ ତ?

ଭୁବନେଶ୍ୱର, ୨୨/ଜୁନ (ଓଡ଼ିଆ ପୁଅ) : ଭାରତର ତିନି ସେନା ବାହିନୀର ବୀରତ୍ୱ, ସଂସ୍କାର, ଗରିମା ଓ ପରମ୍ପରା ଅତି ଉଚ୍ଚକୋଟିର। ବହୁ ଘାତପ୍ରତିଘାତ ମଧ୍ୟରେ ଭାରତୀୟ ସେନା ଦେଶର ସୁରକ୍ଷା ପାଇଁ ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ଦେଶପ୍ରତି ଥିବା ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଆସିଛନ୍ତି। ମାତ୍ର ମୋଦି ସରକାର ଏହି ସୈନିକମାନଙ୍କ ଗରିମା ଓ ପରମ୍ପରାକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି। ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ଠିକା ନିଯୁକ୍ତି ଦେଇ ଦେଶର ସୁରକ୍ଷା ଓ ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ତେଣୁ ଏହି ଲକ୍ଷ୍ୟହୀନ ଯୋଜନା ପ୍ରତ୍ୟାହାର କରିବା ଦାବିରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜୟଦେବ ବିହାରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକୋ କରିଥିଲେ। ଏହି ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପୁଲିସ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କାଙ୍କ ସମେତ ବିକ୍ଷୋଭକାରୀମାନଙ୍କୁ ଅଟକ ରଖିଥିଲା।

ଦେଶର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତିନି ସେନା ବାହିନୀରେ ୨, ୫୫, ୦୦୦ରୁ ଅଧିକ ପଦବୀ ଖାଲିପଡ଼ିଥିବା ବେଳେ ମୋଦି ସରକାର ୨ବର୍ଷ ହେଲା ସେନାରେ ନିଯୁକ୍ତି ବନ୍ଦ କରିଦେଇଛନ୍ତି। ଏଥିଯୋଗୁ ଯୁବବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି। ଏପରିକି ହରିୟାଣା ଓ ପଞ୍ଜାବ ଭଳି ରାଜ୍ୟରେ ବହୁ ଯୁବକ ନିଯୁକ୍ତି ନ ପାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ସ୍ଥିତିରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ନ କରି ସେନାରେ ଠିକା ନିଯୁକ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ। ଏଭଳି ଯୋଜନା ଆଣି ମୋଦି ସରକାର ଦେଶର ସୈନିକମାନଙ୍କ ଦରମା, ପେନସନ ଓ ସ୍ୱାସ୍ଥ୍ୟବୀମା ଆଦି ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଥିବା ମନେହେଉଛି। ଜଣେ ସୈନିକ ଦେଶର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ଉତ୍ସର୍ଗୀକୃତ ସେବା ମନୋଭାବ ରଖିଥାଏ। ସେହି ଅନୁଯାୟୀ ତାକୁ ଅନୁଶାସନ ଦିଆଯାଇଥାଏ ଓ ସେ ଦେଶ ମାତୃକାର ସେବା ପାଇଁ ନିଜକୁ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ। କିନ୍ତୁ ମାତ୍ର ୪ବର୍ଷର ଠିକା ନିଯୁକ୍ତିରେ ଜଣେ ଯୁବକ ମନରେ ଏଭଳି ମନୋଭାବ ଜାଗ୍ରତ ହୋଇପାରିବ ତ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସେହିପରି ଭାରତ ବର୍ତମାନ ପଡୋଶୀ ପାକିସ୍ତାନ ଓ ଚୀନ ସହିତ ମୁହାଁମୁହିଁ ପରିସ୍ଥିତିରେ ରହିଛି। ଏ ପରିସ୍ଥିତିରେ ସେନାରେ ଠିକା ନିଯୁକ୍ତି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ସେନା ବାହିନୀରେ ୪ବର୍ଷ ଠିକା ନିଯୁକ୍ତି ନିମନ୍ତେ ଯୋଜନା ଆଣିବା ପୂର୍ବରୁ ଏନେଇ ଉପଯୁକ୍ତ ଆଲୋଚନା ଓ ବିଚାରବିମର୍ଷ ହୋଇନଥିବା ମନେ ହେଉଛି। ସ୍ଥଳସେନା, ବାୟୁସେନା ଓ ନୌସେନା କାର୍ଯ୍ୟାଳୟ, ସିଡିଏସ କାର୍ଯ୍ୟାଳୟ କିମ୍ବା ସଂସଦୀୟ ସୁରକ୍ଷା କମିଟି ପକ୍ଷରୁ ଏଭଳି ନିଯୁକ୍ତି ପାଇଁ କୌଣସି ପ୍ରସ୍ତାବ ଆସିନଥିବାବେଳେ କାହା ପ୍ରରୋଚନାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି। ସେହିପରି ନୌସେନା ଓ ବାୟୁସେନାରେ ଅନେକ ଟେକ୍ନିକାଲ ପଦବୀ ରହିଛି। ଏଥିପାଇଁ ଦେଢ଼ବର୍ଷରୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଟ୍ରେନିଂ ନେବାକୁ ହୋଇଥାଏ। ସେହିପରି ସ୍ଥଳସେନାରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନିଂ ଦିଆଯାଇଥାଏ, ଯାହାକି ସମୟ ସାପେକ୍ଷ। ଏପରିସ୍ଥିତିରେ କମ୍ ସମୟ ମଧ୍ୟରେ ଟ୍ରେନିଂ ପୁରା କରି ଠିକା ନିଯୁକ୍ତ ଯୁବକମାନେ କିପରି ଦେଶ ସେବାରେ ନିଜକୁ ପ୍ରସ୍ତୁତ କରିପାରିବେ। ସେହିପରି ଠିକା ନିଯୁକ୍ତି ପରେ ଏହି ଯୁବକମାନଙ୍କ ଭବିଷ୍ୟତ କଣ ହେବ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି। ତେଣୁ ଅଗ୍ନିପଥ ଭଳି ଏକ ଅପରିଣାମଦର୍ଶୀ ଯୋଜନା ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।

ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ବୀରେନ ଦଳେଇ, ସମ୍ପାଦକ ସୌମ୍ୟପ୍ରକାଶ ମିଶ୍ର, ବିଶ୍ୱଜିତ, ଆଶୁତୋଷ ଲେଙ୍କା, ସୁବ୍ରତ ବେହେରା, ରଞ୍ଜିତ ପାତ୍ର, ରିତୁଲ ମହାରଣା, ନିହାର ରଞ୍ଜନ ବେଉରା, ଆଦିତ୍ୟ ପ୍ରସାଦ ପରିଡ଼ା, ହରିଶଙ୍କର ଜେନା, ରାକେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ।