Odiapua.com

ଅଗଷ୍ଟ ୨୩ ତାରିଖ ନୂଆଁଖାଇ ଦିନ ‘ଗୁରସ ରୁକା’ ପାଇଁ ଲଗ୍ନ ଧାର୍ଯ୍ୟ, ସକାଳ ୬ଟା ୨୬ ମି ରୁ ୯ଟା ୪୯ ମି କୁ ରହିଛି ଶୁଭଯୋଗ

ସମ୍ବଲପୁର, ୧୭/୮ (ଓଡ଼ିଆ ପୁଅ/ସରୋଜ ସାହୁ): ଚଳିତ ଅଗଷ୍ଟ ମାସ ୨୩ ତାରିଖ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଦିନ ସମ୍ବଲପୁର ର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ପୂର୍ବାହ୍ନ ୯ଟା ୩୫ମି ରୁ ୯ଟା ୫୦ମି ମଧ୍ୟରେ ଲଗ୍ନ ଧାର୍ଯ୍ୟ କରିଛି ପଣ୍ଡିତ ମହାସଭା।

ଠିକ୍ ସେହିପରି ଉକ୍ତ ଅଗଷ୍ଟ ୨୩ ତାରିଖ ‘ନୂଆଁଖାଇ’ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଚିତ୍ରା ନକ୍ଷତ୍ରରେ ‘ଗୁରସ ରୁକା’ ପାଇଁ ଲଗ୍ନ ଧାର୍ଯ୍ୟ କରିଛନ୍ତି ପଶ୍ଚିମ ଓଡିଶା ବରଗଡ ଜ଼ିଲ୍ଲା ସୋହେଲା ର ବିଶିଷ୍ଟ ପଣ୍ଡିତ ଉପେନ୍ଦ୍ର ନାରାୟଣ ଭୋଇ। ଏହି ଦିନ ସକାଳ ୬ଟା ୨୬ ମି- ରୁ ୯ଟା ୪୯ ମି- କୁ ଶୁଭଯୋଗ ରହିଛି। ଏଣୁ ସମସ୍ତ ଚାଷୀ କୁଳ ନିଜ ନିଜ ଧାନ କ୍ଷେତରେ କିମ୍ବା ଘରେ ନିଜ ନିଜର ଇଷ୍ଟଦେବୀ ଙ୍କୁ ଗୁରସ ରେ ସ୍ନାନ କରିପାରିବେ ବୋଲି ପଣ୍ଡିତ ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ‘ଗୁରସ ରୁକା’ ପରମ୍ପରା ରୁ ହିଁ ମହାନ୍ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଳନ ର ପୂଜନୋତ୍ସବ ଆରମ୍ଭ ହୋଇଥାଏ।

ଚଳିତ ମାସ ଅଗଷ୍ଟ ୨୩ ତାରିଖ ରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ସମେତ ପଡୋଶୀ ଛତିଶଗଡ ରାଜ୍ୟ ରାୟଗଡ, ଅମ୍ବିକାପୁର, ରାୟପୁର, ମହାସମୁନ୍ଦ ଆଦି ଜ଼ିଲ୍ଲା ତଥା ଦେଶ ର କୋଣେ ଅନୁକୋଣେ ନୂଆଁଖାଇ ପର୍ବ ରେ ‘ଗୁରସ ରୁକା’ ପରମ୍ପରା ମଧ୍ୟ ଅନୁଷ୍ଠିତ ହେବ। ନୂତନ ସୃଷ୍ଟିର ନିଦର୍ଶନ, ଭକ୍ତି ଓ ଶକ୍ତିର ପ୍ରତୀକ, ଋତ ଚକ୍ର ଓ ପ୍ରକୃତିକୁ ସମ୍ମାନ ଦେବାର ମହାନ୍ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ରେ ‘ଗୁରସ ରୁକା’ ପରମ୍ପରା ହେଉଛି ବିଶ୍ୱ ବ୍ରହ୍ମlଣ୍ଡ କୁ ଶସ୍ୟ ଶ୍ୟାମଳା କରି ଖାଦ୍ୟ ଯୋଗାଉ ଥିବା ସମସ୍ତ ଅର୍ଣ୍ଣଦାତା ଙ୍କ ଅନ୍ୟନ୍ୟ ପରମ୍ପରା ର ପ୍ରତୀକ।