– ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ଶ୍ରୀ ଚୌହାନ
– ଖୋର୍ଦ୍ଧାରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ଶ୍ରୀ ଚୌହାନ
– ବୁଦ୍ଧିଜିବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଶ୍ରୀ ଚୌହାନ
ଭୁବନେଶ୍ୱର, ୦୯/୦୮ (ଓଡ଼ିଆ ପୁଅ) : ଜୁଲାଇ ୬ ତାରିଖରୁ ଦେଶ ସମେତ ସାରା ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ ତାରିଖ ଦିନ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।
ଶ୍ରୀ ଚୌହାନ ଆଗାମୀ ୧୦ ତାରିଖ ଦିନ ସକାଳେ ଭୁବନେଶ୍ୱରରେ ପହଂଚି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ। ଏହା ପରେ ଖୋର୍ଦ୍ଧାର ଗୀତା ଭବନ ପଡିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ଶ୍ରୀ ଚୌହାନ ସମସ୍ତଙ୍କୁ ସଦସ୍ୟତା କରାଇବା ସହ ଓଡିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବେ। ସଂଧ୍ୟାରେ ଶ୍ରୀ ଚୌହାନ ବୁଦ୍ଧିଜିବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସମସ୍ତଙ୍କୁ ସଦସ୍ୟତା କରାଇବେ। ସେହିପରି ଅଗଷ୍ଟ ୧୧ ତାରିଖ ଦିନ ସକାଳେ ଶ୍ରୀ ଚୌହାନ ଏକ ପ୍ରେସ ମିଟ ମାଧ୍ୟମରେ ଗଣମାଧ୍ୟକୁ ସମ୍ବୋଧିତ କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଓଡିଶାରେ ୫୦ ଲକ୍ଷ ନୂତନ ସଦସ୍ୟତା ସଂଗ୍ରହ କରିବାର ଲକ୍ଷ୍ୟ ରଖି ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ବ୍ୟାପକ କରିଛି। ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ପୁନଃ ନିର୍ମାଣରେ ସହଭାଗିତା ହେବା ସହ ଏକ ନୂଆ ଭାରତ ଏବଂ ନୂତନ ଓଡିଶା ଗଠନ କରିବା ଏହି ସଦସ୍ୟତା ଅଭିଯାନର ପ୍ରମୁଖ ଲକ୍ଷ୍ୟ ରହିଛି ବୋଲି ଶ୍ରାୀ ହରିଚନ୍ଦନ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।