Odiapua.com

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଖାଦ୍ୟ ସୁରକ୍ଷା ଓ ମାଇକ୍ରୋଫାଇନ୍ସ ସଂସ୍ଥା ଉପରେ ନିୟନ୍ତ୍ରଣକୁ ଆଧାର କରି ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନ୍ ଆଜି ସାଧାରଣ ଲୋକଙ୍କ ଠାରୁ ଅପହଂଚ ହୋଇଗଲାଣି । ଖାଦ୍ୟ ସୁରକ୍ଷାରେ ମିଳୁଥିବା ଖାଦ୍ୟ ଶସ୍ୟ ୧୭କେଜି. ପ୍ରଦାନରେ ସମସ୍ୟା ଦେଖାଇଛି । ବାଇୱୋମେଟ୍ରିକ୍‌ସି (ଟିପଚିହ୍ନ) ଆଧାର ଲିଙ୍କ୍‌ରେ ଟିପ ଚିହ୍ନ ନ ମିଶିଲେ ଚାଉଳ ମିଳୁନାହିଁ, ୧୪ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା (ଡାଲି, କିରୋସିନୀ, ଚିନି, ତେଲ) ଆଦି ପୂର୍ବଭଳି ଯୋଗାଇ ଦିଆଯାଉ , ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୁକ୍ତ କରାଯାଉ ଆଦି ଦାବି ସହିତ, ମାଇକ୍ରୋଫାଇନାନ୍ସ କମ୍ପାନୀ ମାନଙ୍କ ଉପରେ ବ୍ୟାଙ୍କ୍ ଗୁଡିକର ନିୟନ୍ତ୍ରଣ ନରହୁଥିବାରୁ, ଆବଶ୍ୟକ ସୁଧହାର ଠାରୁ ଅନେକ ସୁଧ ନେବା, ମହିଳା ମାନଙ୍କୁ ଅଶାଳୀନ ବ୍ୟବହାର କରିବା ଆଦି ତଥ୍ୟ ବଢ଼ିବାରେ ଲାଗିଛି । ତେଣୁ ଜିଲ୍ଲାସ୍ତରରେ ଏହି ସଂକ୍ରାନ୍ତୀୟ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବା ପାଇଁ ଦାବୀ ପତ୍ର ପ୍ରଦାନ କରାଗଲା । ବନ୍ତ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା କରାଯାଇଥିଲା ଓ ତୁରନ୍ତ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଓ ବ୍ୟାଙ୍କଙ୍କୁ ତାଗିଦ୍ କରିବାର ଓ ଏସ.ଏଚ.ଜି ସୁଧ ଟଙ୍କା ଫେରସ୍ତ ଲାଗି ପ୍ରତିଶୃତି ଦେଇଛନ୍ତି । ଉକ୍ତ ଆଲୋଚନାରେ ସର୍ବଭାରତୀୟ ନେତ୍ରୀ ତାପସୀ ପ୍ରହରାଜ, ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଜିଲ୍ଲା ସଭାନେତ୍ରୀ ପ୍ରଭାତି ଜେନା, ସମ୍ପାଦିକା ମମତା ଜେନା, ସୁମତୀ ନାୟକ, ସଂଜିତା ମହାପାତ୍ର, ସୀତାରାଣୀ ଦାସ, ସଂଯୁକ୍ତା ଯାଦବ, ଶାନ୍ତିଲତା ଦାଶ, ମିନୁ ମହାପାତ୍ର, ଶାନ୍ତିଲତା ନାୟକ, ରୋଜାଲିନ୍ ସାମ୍ୟବାଦୀ, ବାସନ୍ତି ସୁଆର, ସବିତା ନାୟକ ପ୍ରମୁଖ ଯୋଗଦେଇଥିଲେ ।