Odiapua.com

ଅଖିଳ ଭାରତ କୃଷକ ସଭାର ୮୬ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି କ୍ଷେତ୍ରରେ ସାମନ୍ତବାଦୀ ଜମିଦାର । ବ୍ୟବସ୍ଥା ଲୋପ କରିବା, ଅତ୍ୟଧିକ ଖଜଣା ଆଦାୟ ବନ୍ଦ କରିବା, ଚାଷୀମାନଙ୍କୁ ଜମିର ଅଧିକାର ଦେବା, ଫସଲର ଉଚିତ୍ ଆନୁଷ୍ଠାନିକ ବଣ୍ଟନ ଓ ଦର ଦେବା, ବେଠି ବେଗାରୀ ଆଦି ବାତିଲ କରିବା ଦାବିରେ ୧୯୩୬ ମସିହା ଅପ୍ରେଲ ୧୧ ତାରିଖରେ ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ନୌ ଠାରେ ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ହୋଇଥିଲା । ଏହି ପ୍ରତିଷ୍ଠାକୁ ୮୬ ବର୍ଷ ପୂରିଛି । ଏହି ସଂଗଠନର ପ୍ରଥମ ସଭାପତି ସାହାଜାନନ୍ଦ ସରସ୍ୱତୀ ଓ ସଂପାଦକ ନିର୍ବାଚିତ ହୋଇଥିଲେ ଏନଜି ରଙ୍ଗା । ଏବେ ଏହି ସଂଗଠନର ସର୍ବଭାରତୀୟ ସଭାପତି ଅଶୋକ ଧାୱଲେ ଓ ସଂପାଦକ ହାନାନ ମୋଲା ଅଛନ୍ତି । ପରାଧୀନ ଭାରତ ବର୍ଷରେ ଅଧିକାଂଶ ଜମି ରାଜା, ନିଜାମ, ଜମିଦାର, ବ୍ରିଟିଶ ଓ ଇଂରେଜମାନଙ୍କ ହାତରେ ଥିବାବେଳେ ଚାଷୀମାନେ ଅଖିଳ ଭାରତ କୃଷକ ସଭା ପତାକା ତଳେ ଏକଜୁଟ ହୋଇ ବିଦ୍ରୋହ କରି ଜମିର ଅଧିକାର ପାଇଥିଲେ । ବଙ୍ଗଳା ରାଜ୍ୟର ତେଭାଗା, ଅବିଭକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟର ତେଲେଙ୍ଗାନା ଚାଷୀ ବିଦ୍ରୋହ ଆମ ଦେଶର ଇତିହାସ ରଚନା କରିଥିଲା । ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର ଠିକା ଚାଷ ଆଇନ୍ ଆଣି ସେହି ଜମିଗୁଡିକୁ ପୁଂଜିପତି ମାନଙ୍କ ହାତରେ ଟେକି ଦେବାର ଯୋଜନା ରଖିଛନ୍ତି । ବର୍ତ୍ତମାନ ପୁଂଜିପତିମାନଙ୍କ ମାଲିକାନାରେ ଏକ ନୂଆ ଧରଣର ଜମିଦାରୀ ବ୍ୟବସ୍ଥା ମୋଦି ସରକାର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ।

ଯାହା ବିରୁଦ୍ଧରେ ଆଜି ଆମ ଦେଶରେ ଐତିହାସିକ ଚାଷୀ ଆନ୍ଦୋଳନ ୨୦୨୦-୨୧ ଠିଆ ହୋଇଛି । ଏହି ଐତିହାସିକ ଚାଷୀ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାକୁ ସଂଗଠନର ପ୍ରତିଷ୍ଠା ଦିବସରେ ଚାଷୀମାନେ ଶପଥ ନେଇଥିଲେ । ଏହି ଅବସରରେ ସଂଗଠନର ରକ୍ତ ପତାକାକୁ ସଂଗଠନର ଚାନ୍ଦବାଲି ବ୍ଲକ୍ ସଂପାଦକ ଅଭିରାମ ବଳ ଉତ୍ତୋଳନ କରିଥିଲେ । ଏହାପରେ ଏକ ସାଧାରଣ ବୈଠକ ଜନ୍ତୁଆଳି ଛକଡି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନେତା ଅଭିରାମ ବଳ ସଭାପତିତ୍ୱ କରିଥିବାବେଳେ ଓଡ଼ିଶା କୃଷକ ସଭା ଯୁଗ୍ମ ସଂପାଦକ ବିକାଶ ନାଥ, ସିପିଆଇଏମ୍ ଚାନ୍ଦବାଲି ବ୍ଲକ୍ ସଂପାଦକ ମଳୟ ଭୋଇ, ଚାଷୀ ନେତା ଗୌରାଙ୍ଗ ଯେନା, କାହ୍ନୁ କିଶୋର ସାହୁ, କାଳନ୍ଦୀ ଜତି, ଶଙ୍କର୍ଷଣ ବିଶ୍ୱାଳ, ବିଜୟ ନାଥ, ବାଇଧର ଜେନା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ବ୍ଲକ୍ ସଭାନେତ୍ରୀ ମଧୁସ୍ମିତା ପାକଳ, ସଂପାଦିକା କାମିନୀ ଭୋଇ, ଚାଷୀ ନେତା ବଳରାମ ମୁଦୁଲି, ରାଜେନ୍ଦ୍ର ନାଥ, ବଳିଆ ମାଝୀ, ଅରୁଣ ତରାଇ, ସର୍ବେଶ୍ୱର ମହାଳିକ, ଜଗବନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାର ଦର ବୃଦ୍ଧି ଓ ବିଦ୍ୟୁତ୍ ଶିଳ୍ପର ଘରୋଇକରଣ ବିରୁଦ୍ଧରେ ଆସନ୍ତା ଅପ୍ରେଲ ୧୯ ତାରିଖ ରାଜ୍ୟସ୍ତରୀୟ ରାସ୍ତାରୋକ ଆନ୍ଦୋଳନକୁ ଚାନ୍ଦବାଲି ବ୍ଲକ୍‌ରେ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି ।