Odiapua.com

ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ସମବାୟ ସମିତି ଆଗରେ ଧାରଣା

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଜାମଯୋଡ଼ି ସେବା ସମବାୟ ସମିତି ସମ୍ମୁଖରେ ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯାଇଛି । ସମବାୟ ସମିତି ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ଉପରେ କେତେ ପ୍ରତିଶତ କଟିଂ କରୁଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ଦାବି କରି ମହାସଭା ପକ୍ଷରୁ ଧାରଣା ଦିଆଯାଇଥିଲା । ଚାଷୀମାନଙ୍କ ଠାରୁ ଧାନ କ୍ରୟ କଲାବେଳେ ଧାନର କଟିଂ ନକରାଯିବାକୁ ନିୟମ ଥିଲେ ମଧ୍ୟ ସମବାୟ ସମିତି ଚାଷୀଙ୍କ ଧାନରୁ କୁଇଣ୍ଟାଲ ପିଛା ୫ ରୁ ୮ କିଲୋ ଧାନ କଟିଂ କରି ଚାଷୀଙ୍କୁ ଧାନର ମୂଲ୍ୟ ଦେଉଛି । ଏହାର ପ୍ରତିବାଦ କରି କୃଷକ ମହାସଭା ବିଭିନ୍ନ ସମବାୟ ସମିତିରେ ଧାନ କଟିଂ ନକରିବାକୁ ଦାବିପତ୍ର ଦେଇଥିଲେ । ମାତ୍ର ସମବାୟ ସମିତି ଏହାପରେ ଚାଷୀଙ୍କ ଧାନ କଟିଂ କରିବାରୁ ଅଖିଳ ଭାରତ କୃଷକ ମହାସଭା ଧାରଣାରେ ବସିଥିବା ଜଣାଯାଇଛି । ଏହି ଧାରଣାରେ ସିପିଆଇଏମଏଲ ଲିବରେସନର ଜିଲା ସମ୍ପାଦକ ସମର ବଳଙ୍କ ନେତୃତ୍ୱରେ ବ୍ଲକ କୃଷକ ମହାସଭା ସଭାପତି ଅଭିମନ୍ୟୁ ରାଉତ, ସମ୍ପାଦକ ନରେନ୍ଦ୍ର ବିଶ୍ୱାଳ, ସହସମ୍ପାଦକ ମନ୍ମଥ ବାରିକ, ଅଭିମନ୍ୟୁ ରାଉତ, ଅକ୍ଷୟ ନାୟକ, ନରେନ୍ଦ୍ର ବିଶ୍ୱାଳ, ସରଳ କୁମାର ଦାସ, ଶତ୍ରୁଘନ ପାଣିଗ୍ରାହୀ, ପ୍ରଭାତ ନାୟକ, ମଧୁସୂଦନ ରାଉତ ପ୍ରମୁଖ ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଏ ସମ୍ପର୍କରେ ସମବାୟ ସମ୍ବାଦକ ରାଜେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବୁଧବାର ଧାନ କ୍ରୟ କମିଟି, ବୋର୍ଡ଼ ସଦସ୍ୟ ଓ ଚାଷୀମାନଙ୍କୁ ନେଇ ବୈଠକ ହେବ । ସେଥିରେ ଯାହା ନିଷ୍ପତି ହେବ ସେହି ଅନୁଯାୟୀ ସମିତି ଧାନ କ୍ରୟ କରିବ ।