Odiapua.com

ଅଖିଳ ଭାରତୀୟ ମଜଦୁର ମହାସଂଘର ୧୦୩ ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତାଳଚେରଠାରେ ସମ୍ପନ୍ନ

ତାଳଚେର, ୨୮/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ଏପ୍ରିଲ ୨୭ ଓ ୨୮ତାରିଖ ଦୁଇ ଦିନ ଧରି ତାଳଚେର ଉପକଣ୍ଠ ମଙ୍ଗଳମ୍ କ୍ଲବ ଠାରେ ଭାରତୀୟ ମଜଦୁର ସଂଘର ଔଦ୍ୟୋଗିକ ସଙ୍ଗଠନର ୧୦୩ତମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଇତି ମଧ୍ୟରେ ସମ୍ପନ୍ନ ହୋଇଛି। ମହାସଂଘର ସଭାପତି ଟିକେଶ୍ୱର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ମହାସଂଘ ପ୍ରଭାରୀ କେ. ଲକ୍ଷ୍ମାରେଡ଼ି, ରାଷ୍ଟ୍ରୀୟ ସମ୍ପାଦକ ବିଏମଏସ ସୁରେନ୍ଦ୍ର ପାଣ୍ଡେ, ଭାରତୀୟ ମଜଦୁର ସଂଘ ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ ଓ ମହାସଂଘ ସାଧାରଣ ସମ୍ପାଦକ ସୁଧୀର ଘୁରଡ଼େ ପ୍ରମୁଖ ଉପସ୍ଠିତ ରହି କୋଇଲାଖଣି ଓ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିଧିବଦ୍ଧ ଆଲୋଚନା କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କୋଇଲାଖଣି ଭବିଷ୍ୟନିଧି ଦ୍ୱାରା ଦିୱାନ ହାଉସିଂ ଫାଇନାନ୍ସ ସଂସ୍ଥାରେ ବୁଡ଼ି ଯାଇଥିବା କୋଟି କୋଟି ଟଙ୍କା ଫେରସ୍ତ ଉପରେ ସଙ୍ଗଠନ ପକ୍ଷରୁ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ହଜାର ହଜାର କୋଟି ଟଙ୍କା ଫେରସ୍ତ ଲାଗି ସବୁ ପ୍ରକାର ପ୍ରୟାସ ହେବ ବୋଲି କୁହାଯାଇଥିଲା। କୋଇଲାଖଣି ଶ୍ରମିକମାନଙ୍କର ବହୁ ପ୍ରତିକ୍ଷୀତ ୧୧ତମ ବେତନ ଚୁକ୍ତିନାମାକୁ ବିଳମ୍ବରେ ହେଲେ ମଧ୍ୟ ଶ୍ରମିକମାନଙ୍କର ହିତ ସାଧନ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ସହ ପୂର୍ବ ଚୁକ୍ତିନାମା ଠାରୁ ଅଧିକ ଆକର୍ଷଣୀୟ କରିବାପାଇଁ ସଂଘ ପ୍ରତିବଦ୍ଧ। ଅପରପକ୍ଷେ କୋଇଲାଖଣିରେ କାର୍ଯ୍ୟରତ ଲକ୍ଷାଧିକ ଠିକା ଶ୍ରମିକମାନଙ୍କୁ ହାଇ ପାୱାର କମିଟି ଅନୁମୋଦିତ ବେତନ ପ୍ରଦାନ ଉପରେ ହେଉଥିବା ଅନିୟମିତତା ଉପରେ ସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ, ଠିକା ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଅନ୍ତର୍ଗତ ସାମିଲ କରିବା ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା ଉପରେ ମହାସଂଘ କୋଇଲା ପ୍ରବନ୍ଧନ ଉପରେ ଚାପ ପ୍ରୟୋଗ କରିବାସହ ଆଗାମୀ ଜେବିସିସିଆଇ ରେ କଥା ଉଠେଇବ। ଅଦ୍ୟାବଧି ଠିକା ଶ୍ରମିକଙ୍କୁ କମ୍ପାନୀ ହସପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ, ସେମାନଙ୍କ ପରିବାରବର୍ଗଙ୍କ ଚିକିତ୍ସା ଓ ପିଲାମାନେ କମ୍ପାନୀ ବିଦ୍ୟାଳୟରେ ପାଠ ପଢ଼ିବା ବିଷୟ ଉପରେ କୋଲ ଇଣ୍ଡିଆରେ ନୀତିଗତ ନିର୍ଣ୍ଣୟ ନିମନ୍ତେ ଚାପ ପ୍ରୟୋଗ ହେବ। ତାଳଚେର ଅନୁଷ୍ଠିତ ଦୁଇଦିନିଆ ବୈଠକରେ କୋଲଇଣ୍ଡିଆର ୮ ଆନୁସଙ୍ଗିକ କମ୍ପାନୀରୁ ୭୫ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ନଭେଲି ଲିଗନାଇଟ୍ କର୍ପୋରେସନ୍ ରେ କାର୍ଯ୍ୟରତ ୟୁନିୟନର ୨ଜଣ ପ୍ରତିନିଧି ମଧ୍ୟ ଭାଗ ନେଇଥିଲେ। ସର୍ବଶେଷରେ ମହାସଂଘ ପ୍ରଭାରୀ ଲକ୍ଷ୍ମା ରେଡ଼ି ସଙ୍ଗଠନକୁ ସୁଦୃଢ଼ କରିବାପାଇଁ ମିଳିମିଶି କରିବା ସହିତ ଆଗକୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ସଫଳତାର ସହ, ତାଳଚେର କୋଇଲାଖଣି ମଜଦୁର ସଂଘ ଆୟୋଜିତ କରିଥିବା ବେଳେ ଏହାର ନେତୃତ୍ୱ ଏମସିଏଲ ପ୍ରଭାରୀ ଅରୁଣ ପ୍ରଧାନ, କୋର୍ଡ଼ିନେଟର ରଞ୍ଜନ ବେହେରା ଓ ତାଳଚେର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମାଝୀ ପ୍ରମୁଖ ନେଇଥିଲେ।