Odiapua.com

ଅକ୍ଷୟ ତୃତୀୟାର ଅକ୍ଷିମୁଠି, ଚାଷୀମାନଙ୍କ ଚାଷ ଅନୁକୂଳର ପର୍ବ

– ସୁରେନ୍ଦ୍ର ନାଥ ପ୍ରଧାନ
ଅକ୍ଷୟ ତୃତୀୟା, ଚାଷୀମାନଙ୍କ ଚାଷ ଶୁଭ ଅନୁକୂଳର ପର୍ବ। ଏହା ଏକ ପବିତ୍ର ଦିବସ। ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିବସରେ ଯେ କୌଣସି କାର୍ଯ୍ୟ ଆରମ୍ଭ କଲେ ଅତ୍ୟନ୍ତ ଶୁଭଫଳ ମିଳେ ବୋଲି ହିନ୍ଦୁ ମତ ରହିଛି। ଶାସ୍ତ୍ରରେ ରହିଛି ଏହି ପବିତ୍ର ଦିବସରେ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା। ତାହା ସହିତ ପବିତ୍ର ଗଙ୍ଗା ନଦୀ ସ୍ୱର୍ଗରୁ ମର୍ତ୍ତ୍ୟକୁ ଅବତରଣ କରି ଶରଗ ବଂଶକୁ ଉଦ୍ଧାର କରିବା ସହିତ ପୃଥିବୀକୁ ଶସ୍ୟ ଶ୍ୟାମଳା କରିଥିଲେ। ତେଣୁ ଏହି ତିଥିରେ ଗଙ୍ଗାରେ ସ୍ନାନ ବା ବୁଡ଼ ପକାଇଲେ ସକଳ ସଞ୍ଚିତ ପାପର କ୍ଷୟ ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଅର୍ଥାତ୍ ଅକ୍ଷୟ ତୃତୀୟା ଦିବସରେ ଗଙ୍ଗା ନାରାୟଣ ନାମ ଧରି ଯେ କୌଣସି ଜଳାଶୟରେ ସ୍ନାନ କଲେ ପାପ କ୍ଷୟ ହୁଏ ବୋଲି ମତ ରହିଛି। ପର୍ଶୁରାମ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ରୂପେ ଜନ୍ମଗ୍ରହଣ କରିଥିଲେ ଏବଂ ଗୀତଗୋବିନ୍ଦ ମହାକାବ୍ୟର ରଚୟିତା ଜଗନ୍ନାଥଙ୍କର ପ୍ରିୟ ଭକ୍ତ ଜୟଦେବ ଏହି ଅକ୍ଷୟ ତୃତୀୟା ତିଥିରେ ଜନ୍ମଗ୍ରହଣ କରିଥିଲେ। ଏହି ଦିନ ବ୍ୟାସଦେବ ମହାଭାରତ ରଚନା ଆରମ୍ଭ କରିଥିଲେ ବୋଲି ପୁରାଣ ମତ ରହିଛି। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୨୧ ଦିନ ବ୍ୟାପି ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବଂ ତିନି ରଥର ନିର୍ମାଣ କାର୍ଯ୍ୟ ଏହି ଶୁଭ ଦିନରେ ଆରମ୍ଭ ହୁଏ। ଅକ୍ଷୟ ତୃତୀୟା ତିଥିରେ ପଶ୍ଚିମ ଓଡ଼ିଶାରେ ଶିବ ପାର୍ବତୀଙ୍କ ଲୌକିକ ବିବାହ ନିମନ୍ତେ ଆବଶ୍ୟକ ବିଧି ଆରମ୍ଭ ହୁଏ। ଏହି ଦିନ ଶିବ ବିବାହ ଆୟୋଜନ କରୁଥିବା ଶିବାଳୟଗୁଡିକରେ ପ୍ରାଥମିକ ପର୍ଯ୍ୟାୟ ଥାଳଉଠା ଆରମ୍ଭ ହୋଇଥାଏ। ଏହି ତିଥିରୁ ଠିକ୍ ଏକମାସ ପରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଲୌକିକ ବିବାହ ଓ ଶୀତଳ ଶଷ୍ଠୀ ପର୍ବ ଅନୁଷ୍ଠିତ ହୁଏ। ଅକ୍ଷୟ ତୃତୀୟା ତିଥିରେ ହିଁ ସମୁଦ୍ର ମନ୍ଥନରୁ ଧନ, ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ଜାତ ହୋଇଥିଲା। ଏହି ତିଥିରେ ସ୍ୱୟଂ ନାରାୟଣ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇଯାଇଥିଲେ। ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରୁ କାଳକ୍ରମେ କିଛି ସମ୍ପ୍ରଦାୟର ମହିଳାମାନେ ଏହି ପବିତ୍ର ଦିନରେ ସୁନା, ରୁପା ଅଳଙ୍କାର ଆଦି ଖରିଦ କରିଥାନ୍ତି। ଏହାଦ୍ୱାରା ପରିବାର ପାଇଁ ସୌଭାଗ୍ୟ ଆସେ ବୋଲି ବିଶ୍ୱାସ ରହିଛି। ଏହି ଦିନ ମହର୍ଷି ବ୍ୟାସଦେବ ଗଣପତିଙ୍କ ଦ୍ୱାରା ମହାଭାରତ ରଚନାର ଶୁଭ ଅନୁକୂଳ କରିଥିଲେ। ମହାଭାରତର ପାଣ୍ଡବ ପାଞ୍ଚଭାଇଙ୍କ ବନ୍ଧୁ ଓ ଦିଗ୍ଦର୍ଶକ ଥିଲେ ଭଗବାନ ଶ୍ରୀକୃଷ୍ଣ। ସେ ଏହିଦିନ ଅକ୍ଷୟ ପାତ୍ର ପାଣ୍ଡବମାନଙ୍କୁ ପ୍ରଦାନ କରିଥିବାରୁ ଏହାର ନାମ ଅକ୍ଷୟ ତୃତୀୟା ହୋଇଛି ବୋଲି ପୁରାଣ ମତ ରହିଛି। ଜୈନ ଯୁଗର ଜୈନ ତୀର୍ଥକର ଭଗବାନ ଋଷଭ ଆଖୁ ରସ ପିଇ ନିଜର ଦୀର୍ଘ ତପସ୍ୟା ଭଙ୍ଗ କରିଥିଲେ ବୋଲି ଇତିହାସରୁ ଜଣାପଡ଼େ। ବୈଜ୍ଞାନିକ ଦୃଷ୍ଟିକୋଣରୁ ସୂର୍ଯ୍ୟ ଓ ଚନ୍ଦ୍ର ସଠିକ୍ ସ୍ଥାନରେ ଅବସ୍ଥାନ କରୁଥିବାବେଳେ ଅଧିକ ଉଜ୍ଜଳ ଦେଖାଯାଇ ଶୁଭ କାର୍ଯ୍ୟ କରାଇଥାନ୍ତି। ଖାଦ୍ୟ ଶସ୍ୟ ବୃଦ୍ଧି ନେଇ କୃଷି ଓ କୃଷକର ଗୁରୁତ୍ୱକୁ ଉପଲବ୍ଧି କରି ଏହି ଦିବସକୁ ଅକ୍ଷିମୁଠି ପାଳନ ଦିବସ ଭାବେ ପାଳନ କରାଯାଉଛି। ସେଥିପାଇଁ ଅକ୍ଷୟ ତୃତୀୟାର ଶୁଭ ମୁହୁର୍ତ୍ତରେ ହିନ୍ଦୁ ଘରର କୃଷକମାନେ ଚାଷ ଅନୁକୂଳ ଆରମ୍ଭ କରି କ୍ଷେତରେ ଅକ୍ଷିମୁଠି ବୁଣିଥାନ୍ତି। ଅବଶ୍ୟ ଏହି ଦିବସ ଏଭଳି ଏକ ଦିନ ଯାହାର ପ୍ରତ୍ୟେକ ମୁହୂର୍ତ୍ତ ପବିତ୍ର। ତେଣୁ ଏହି ଦିନରେ କୌଣସି କାର୍ଯ୍ୟ ଆରମ୍ଭ ପାଇଁ କୌଣସି ମୁହୂର୍ତ୍ତ ଖୋଜାଯାଏ ନାହିଁ। ଅକ୍ଷୟ ତୃତୀୟା ପର୍ବ କାହିଁ କେଉଁ କାଳରୁ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୋଇଆସୁଛି। ସମଗ୍ର ବିଶ୍ୱ ଜନ ଜୀବନର ଏହା ଆଦ୍ୟପର୍ବ କହିଲେ ଭୁଲ ହେବ ନାହିଁ। ଶାସ୍ତ୍ର ମତେ ଅକ୍ଷିମୁଠି ଅନୁକୂଳ ସମ୍ପର୍କରେ ଏପରି ମତ ରହିଛି ଯେ, ଏହି ଦିନରେ ଦେବତାମାନେ ଶସ୍ୟ ବୀଜ ଦାନ କରିଥିଲେ ମାନବ ଜଗତକୁ। ସେହି ଦୃଷ୍ଟି କୋଣରୁ ଏହି ଦିବସକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତ୍ୟେକ ବର୍ଷ ଏହି ପବିତ୍ର ଦିବସରେ ହିନ୍ଦୁ ଘରର ଚାଷୀମାନେ ପରମ୍ପରା ଅନୁଯାୟୀ ଭୂମି ପୂଜା ଓ ଶସ୍ୟ ପୂଜା ଉଦ୍ଦେଶ୍ୟରେ ପ୍ରାତଃ ମୁହୁର୍ତ୍ତରେ ଶୁକ୍ଳ ବସ୍ତ୍ର ପରିଧାନ କରି ଅକ୍ଷିମୁଠି ନେଇ କ୍ଷେତକୁ ଯାଇ ଚାଷ ଅନୁକୂଳ କରିଥାନ୍ତି। କୁହାଯାଏ ଏହି ଶୁଭ ଦିନରେ କେଉଁଠି ନା କେଉଁଠି ବର୍ଷା ହେବାର ମତ ରହିଛି। ଏହି ଭଳି ପବିତ୍ର ଦିବସରେ ଯଦି ବର୍ଷା ନହୁଏ ତେବେ ଲକ୍ଷେ ଭରଣ ଧାନ ନଷ୍ଟ ହୋଇଯିବାର ବିଶ୍ୱାସ ରହିଛି। ଆଗ୍ନେୟ ପୁରାଣରେ ଏହାକୁ ଏକ ଶୁଭ ଦିନ ବୋଲି ବର୍ଣ୍ଣନା କରାଯାଇଛି। ପୁରାଣ ଅନୁସାରେ ମହର୍ଷି ଜନକ ପ୍ରଥମେ ଭୂମି ପୂଜା କରି ବୀଜ ବପନ କରୁଥିଲେ। ଏହି ଭୂମି କର୍ଷଣ ସମୟରେ ସେ ଦେବୀ ସୀତାଙ୍କୁ ଲାଭ କରିଥିଲେ। ଏଣୁ ଭୂମିରେ ଅକ୍ଷୟ ଶସ୍ୟ ପ୍ରଦାନ କରିବା ପାଇଁ ଚାଷୀମାନେ ଏହି ଦିନ ସୀତା ଦେବୀଙ୍କୁ ସ୍ମରଣ କରିଥାନ୍ତି। ତା’ଛଡ଼ା ଜଳଦାନ, ଅନ୍ନଦାନ କଲେ ସୂର୍ଯ୍ୟ ମଣ୍ଡଳରେ ସ୍ଥାନ ମିଳିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ତେଣୁ ଏହି ଦିନ ଚାଷୀମାନେ ଅକ୍ଷିମୁଠି ବୁଣି ତା’ର ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ରାତ୍ରରୁ କୃଷକ ଓ କୃଷକ ଗୃହିଣୀ ଉଭୟେ ପବିତ୍ରତା ପାଳନ ପୂର୍ବକ ଅନୁକୂଳ ନୂଆ ବୋଝ ଓ ଗଉଣୀକୁ ଧୋଇ ଗୋମୟରେ ଲିପି ସେଥିରେ ଝୋଟି ଚିତା ଦିଅନ୍ତି। ଏପରିକି ଜୁଆଳି, ଲଙ୍ଗଳରେ ଚିତା ପକାଇ କୁଷକର କୃଷି ଉପକରଣକୁ ସଜ୍ଜା ଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରଭାତରୁ କୃଷକ ଗୃହିଣୀ ସ୍ନାନ ସାରି ଅମାର ଘରୁ ଧଳା ଆଣି ଟୋକେଇରେ ଭର୍ତ୍ତି କରି ଶୁକ୍ଳ ବସ୍ତ୍ରରେ ପରିଧାନ କରିଥାଏ। କୃଷକ ଅକ୍ଷିବୋଝ ଧରି ଜମିକୁ ଯାଏ ଅକ୍ଷିମୁଠି ଅନୁକୂଳ କରିବା ପାଇଁ। ଜମିର ପୂର୍ବ ଦିଗରେ ବିହନ ପାତ୍ର ଓ ପୂଜା ସାମଗ୍ରୀ ରଖି କୃଷକ ମାଟିକୁ ପାଣିରେ ସିଞ୍ଚନ କରେ। ସେଠାରେ ପ୍ରଥମେ ଐଶାନ୍ୟ କୋଣରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ବସୁମାତାଙ୍କୁ ପ୍ରଣାମ କରି ପୂଜା ବିଧି ପରେ କୃଷକ ଜମିର ଚାଷ ହୋଇଥିବା ସ୍ଥାନରେ ମୁଠିରେ ଧାନ ବୁଣେ। ଯାହାକୁ ଅକ୍ଷିମୁଠି କୁହାଯାଏ। ତେଣୁ କୁହାଯାଇଛି, ଝିଂ ଝିଂ ଡାକିଲା ଝିଙ୍କାରି ଉଠ ଚଷା ଭାଇ ଧାନ ବୁଣ, ଅକ୍ଷି ତୃତୀୟାକୁ ମୁଠି ଅନୁକୂଳ ବଇଶାଖ ଖରା ଟାଣ।

ନୟାଗଡ଼