Odiapua.com

ଅଂଶୁଘାତ : ବଢୁଛି ସଚେତନତା, କୁମଛି ମୃତ୍ୟୁ ସଂଖ୍ୟା, ୧୮ ବର୍ଷରେ ୯୪ ଜୀବନ ଯାଇଛି

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ହାରରେ ତଫାତ ଆସିଛି । ଲୋକଙ୍କ ସଚେତନତା ଯୋଗୁଁ ଏହି ମୃତ୍ୟୁ ସଂଖ୍ୟା କମୁଥିବା ଜଣାପଡିଛି । ୧୯୯୮ ମସିହା ପରଠାରୁ ଜିଲା ପ୍ରଶାସନ କ୍ରମାଗତ ଭାବେ ପ୍ରତିବର୍ଷ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନିକ ବୈଠକ କରୁଛି । ବିଭିନ୍ନ ଖବରକାଗଜ ଏବଂ ଟିଭି ମାଧ୍ୟମରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ପ୍ରକାଶିତ ହେଉଛି । ସେହିପରି ଦିନ ୧୧ ଟା ପରେ ଖରାରେ ବାହାରକୁ ନବାହାରିବା, ୧୧ଟା ପରେ ବସ ନଚଳାଇବା, କଠିନ କାର୍ଯ୍ୟ ଦିନ ୧୧ଟାରୁ ୩ଟା ମଧ୍ୟରେ ବନ୍ଦ ରଖିବା, ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟ ଜଳର ବ୍ୟବସ୍ଥା ଅର୍ଥାତ୍ ଜଳଛତ୍ର ଖୋଲିବା, ବସ୍‌ରେ ପାଣି ଓ ଓଆରଏସ୍ ଦ୍ରବଣ ରଖିବା, ମେଡିକାଲରେ ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ ଖୋଲିବା ପରି ବହୁ ପଦକ୍ଷେପ ନେବାକୁ ନୀତିଗତ ନିଷ୍ପତ୍ତି ନିଆଯାଉଛି । ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଦ୍ୱାରା ଅଂଶୁଘାତରେ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବା ସରକାରୀ ଭାବେ କୁହାଯାଉଛି । ଭଦ୍ରକ ଜିଲାରେ ସରକାରୀ ତଥ୍ୟ ୧୮ ବର୍ଷରେ ୯୪ ହୋଇଥିବାବେଳେ ଏହି ସଂଖ୍ୟା ଠାରୁ ବହୁ ଅଧିକ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ଘଟୁଥିବା ଆଲୋଚନା ହେଉଛି । ଅଂଶୁଘାତର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ରୋଗୀମାନେ ମେଡିକାଲରେ ଚିକିତ୍ସିତ ହୋଇ ନିଜ ଜୀବନ ରକ୍ଷା କରୁଛନ୍ତି । ପୂର୍ବ ଅପେକ୍ଷା ଅଂଶୁଘାତରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟା କମିଛି ସତ, କିନ୍ତୁ ଆଗକୁ ଏହାର ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ଏବେଠାରୁ ବୃକ୍ଷ ରୋପଣକୁ ତ୍ୱରାନ୍ୱିତ କରାନଗଲେ ଏହା ହଇଜା, ମ୍ୟାଲେରିଆହ ପରି ଏକ ମହାମାରୀର ରୂପ ନେବାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ ।

ଭଦ୍ରକ ଜିଲାରେ ଗତ ୧୮ ବର୍ଷ ମଧ୍ୟରେ ୯୪ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି ବୋଲି ସରକାରୀ ଭାବେ ଜଣାପଡିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ୧୯୯୮-୯୯ ମସିହାରେ ଜିଲାରେ ସର୍ବାଧିକ ୩୪ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିଲା । ପରବର୍ଷ ମଧ୍ୟ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୩୨ ରେ ପହଞ୍ôଚଥିଲା । ୨୦୦୦ ରୁ ୨୦୦୩ ମଧ୍ୟରେ କୌଣସି ବ୍ୟକ୍ତି ଅଂଶୁଘାତରେ ମୃତ୍ୟୁ ଗଟିନଥିବା ସରକାରୀ ରେକର୍ଡ କହୁଛି । କିନ୍ତୁ ୨୦୦୩-୦୪ ରେ ୩ ଜଣ, ୨୦୦୪-୦୫ ରେ ୪ ଜଣ, ୨୦୦୫-୦୬ ରେ ୨ ଜଣ, ୨୦୦୬-୦୭ ରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୦୭ ରୁ ୨୦୦୯ ବର୍ଷରେ କୌଣସି ବ୍ୟକ୍ତି ମୃତ୍ୟୁ ହୋଇନାହାଁନ୍ତି ବୋଲି ଜଣାପଡିଛି । ୨୦୦୯-୧୦ ଓ ୨୦୧୧-୧୨ ରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୨-୧୩ ରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୨୦୧୩-୧୪ ରେ ୨ ଜଣ, ୨୦୧୪-୧୫ ରେ ଜଣେ, ୨୦୧୫-୧୬ ରେ ୨ ଜଣ, ୨୦୧୬-୧୭ ରେ ଜଣେ ଏବଂ ୨୦୧୭-୧୮ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏହି ମୃତକମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ବ୍ୟାପକ ଜନ ସଚେତନତା ଏବଂ ଲୋକଙ୍କ ମଧ୍ୟରେ ସତର୍କ ରହିବା ଯୋଗୁଁ ଏହି ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା କୁହାଯାଉଛି ।