Odiapua.com

ଅଂଶୁଘାତରେ ଆଖଣ୍ଡଳମଣି ସେବକଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୁଧବାର ଦିନତମାମ ଗ୍ରୀଷ୍ମ ପ୍ରବାହରେ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବା ବେଳେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ସେବାୟତ ସରୋଜ ପାଢ଼ୀ(୫୬)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସ୍ୱର୍ଗତ ପାଢୀ ବୁଧବାର ସକାଳ ୧୦ଟା ସମୟରେ ବାବାଙ୍କ ପୂଜାର୍ଚ୍ଚନା ସାରି ନିଜର ଚାଷଜମିକୁ ଶ୍ରମିକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ସମୟରେ ଅସହ୍ୟ ଖରାରେ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ନିକଟରେ ଥିବା କିଛି ଲୋକ ତାଙ୍କ ପରିବାରକୁ ଖବର ଦେବା ସହ ନିକଟସ୍ଥ ଆରଡି ମେଡ଼ିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟରେ କୈଣସି ଉନ୍ନତି ନହେବାରୁ ଆମ୍ବୁଲାନ୍ସ ଦ୍ୱାରା ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ପାଢୀଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ଏପରି ଖବର ପାଇବା ପରିବାର ପକ୍ଷରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଆରଡି ଫାଣ୍ଡିରେ ଅଭିଯୋଗ କରାଯାଇଛି। ସରୋଜ ପାଢ଼ୀ ଙ୍କ ଏହି ଅକାଳ ବିୟୋଗରେ ସମଗ୍ର ଆରଡ଼ି ଅଂଚଳରେ ଶୋକର ଛାୟା ଖେଳିଯାଇଛି।