ଭୁବନେଶ୍ୱର ୨-୫ (ଓଡ଼ିଆ ପୁଅ) ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ ହଠାତ୍ ଅସୁସ୍ଥ ଅନୁଭବ କଲେ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରୀ କରାଯାଇଛି। ତେବେ ଅଧିକ ଖରା ହେଉଥିବା ସମୟରେ ବାହାରକୁ ଯାଉଥିଲେ ନିମ୍ନରେ ପ୍ରଦତ୍ତ ପରାମର୍ଶ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ।
କଣ କରିବେ ?
୧ – ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡାନ୍ତୁ ଏବଂ ଛତା, ଚପଲ, କଳାଚଷମା ବ୍ୟବହାର କରନ୍ତୁ।
୨- ଘରେ ଟିଣ ବା ଆବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳାରଙ୍ଗ ଲେପନ୍ତୁ।
୩- ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳଦହି କିମ୍ବା ସରବତ ଆଦି ପିଅନ୍ତୁ।
୪- ହାଲିଆ ଲାଗିଲେ ଛାଇ ଓ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ।
୫ – କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ।
୬ – ଅଂଶୁଘାତ ରୋଗୀକୁ ତୁରନ୍ତ ଗ୍ରୀଷ୍ମ ପ୍ରବାହ ସମୟରେ ଅସୁସ୍ଥ ହେଲେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନିଅନ୍ତୁ। ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ।
କଣ କରିବେ ନାହିଁ ?
୧ – ଦିନ ୧୧ ଟାରୁ ୩ ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
୨ – ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ।
୩ – ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ (ରୋଷେଇ ଆଦି) କରନ୍ତୁ ନାହିଁ।
୪ – ମାଦକ ଦ୍ରବ୍ୟ (ମଦ, ବିଡି, ସିଗାରେଟ, ତମାଖୁ ଇତ୍ୟାଦି) ସେବନ କରନ୍ତୁ ନାହିଁ।
୫- ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେହେଲେ ବରଫ ଘଷନ୍ତୁ ନାହିଁ।
୬- ସରକାରୀ ଡାଇରଖାନାମାନଙ୍କରେ ଅଂଶୁଘାତ ରୋଗୀଙ୍କ ପାଇଁ ଚିକିତ୍ସା ଉପଲବ୍ଧ। ଅଧିକା ସୂଚନା ପାଇଁ ନିକଟସ୍ଥ ଆଶା, ଅଙ୍ଗନୱାଡି କର୍ମୀ କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ।