Home ଓଡ଼ିଶା ୯ ମାସ ପରେ ଜିଲ୍ଲାରେ ଖୋଲିଲା ୫୧୨ ହାଇସ୍କୁଲର ଦଶମ ଶ୍ରେଣୀ କରୋନା ପ୍ରତିହତ ପାଇଁ...

୯ ମାସ ପରେ ଜିଲ୍ଲାରେ ଖୋଲିଲା ୫୧୨ ହାଇସ୍କୁଲର ଦଶମ ଶ୍ରେଣୀ କରୋନା ପ୍ରତିହତ ପାଇଁ ବିଦ୍ୟାଳୟ ପକ୍ଷରୁ ସତର୍କତା ଗ୍ରହଣ

29

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ପ୍ରକୋପ ଯୋଗୁଁ ଦୀର୍ଘ ୯ମାସର ବନ୍ଦ ରହିଥିବା ସ୍କୁଲ ଆଜି ଖୋଲିଛି। ସମଗ୍ର ଓଡ଼ିଶାର ଦଶମରୁ ତଦୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ କଲେଜକୁ ଆସିଛନ୍ତି। ଏହି କ୍ରମରେ ସରକାରଙ୍କ କୋଭିଡ୍ କଟକଣା ମାନି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହାଇସ୍କୁଲକୁ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଆସିଥିବା ଲକ୍ଷ୍ୟ କରାଯାଇଛି। ବିଦ୍ୟାଳୟମାନଙ୍କରେ ସାମାଜିକ ଦୂରତା ରକ୍ଷା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସାନିଟାଜର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟକୁ ଆସିବାର ଉତ୍ସାହ ଓ ଉଦ୍ଦୀପନା ବେଶ୍ ବାରି ହୋଇପଡ଼ିଛି। ଦୀର୍ଘ ୯ମାସ କାଳ ବିଦ୍ୟାଳୟ ବନ୍ଦ ରହିଥିଲେ ବି ସେମାନେ ଅନ୍‌ଲାଇନରେ ପାଠ ପଢ଼ୁଥିଲେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ପାଠପଢ଼ା ବନ୍ଦ ହୋଇନଥିଲେ ବି ବିଦ୍ୟାଳୟକୁ ଆସିବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଥିଲା। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅଭିଭାବକଙ୍କଠାରୁ ଅନୁମତିପତ୍ର ସହ ସେମାନେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଛାଡ଼ିବାକୁ ଆସିଥିବା ଅଭିଭାବକଙ୍କଠାରେ ମଧ୍ୟ ଅନୁରୂପ ଉତ୍ସାହ ଦେଖିବାକୁ ମିଳିଥିଲା। କୋଭିଡ୍ ନୟମ ପାଳନ ପୂର୍ବକ ବିଦ୍ୟାଳୟ ଖୋଲିଥିବା ବେଳେ ମନକୁ କୌଣସି ଆଶଙ୍କା ନ ଆଣି ସେମାନେ ନିଜର ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ିବାକୁ ଆଣିଥିବା କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂଠାରୁ ଆରମ୍ଭ କରି ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ଶ୍ରେଣୀଗୃହରେ ଅତିବେଶୀରେ ୨୫ ଜଣ ପିଲା ବସୁଥିବା ବେଳେ ସାମାଜିକ ଦୂରତା ରକ୍ଷା ପାଇଁ ଛାତ୍ରଛାତ୍ରୀ ଜଣେ ଅନ୍ୟଜଣଙ୍କଠାରୁ ଦେଢ଼ମିଟର ଦୂରରେ ବସୁଛି ବୋଲି ଶିକ୍ଷକ କହିଛନ୍ତି। କେବଳ ପର୍ବପର୍ବାଣୀ ବ୍ୟତୀତ ଅନ୍ୟ ସମସ୍ତ ଛୁଟିଦିନରେ ବିଦ୍ୟାଳୟରେ ପାଠପଢ଼ା ଯିବ। ୧୦ ଦିନର ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ମେଟ୍ରିକ ପରରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ତେବେ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ହୋଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ବିଭିନ୍ନ ସ୍କୁଲକୁ ଯାଇ କୋଭିଡ୍ ନିୟମ ପାଳନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶାନୁସାରେ ବାଲେଶ୍ୱରରେ ସବୁକିଛି ଠିକ୍‌ଠାକ ଚାଲିଥିବା ଶିକ୍ଷାଧିକାରୀ ଶ୍ରୀ ଗିରି ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିକଟ ଅତୀତରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। କୋଭିଡ୍ ନିୟମ ପାଳନର ରୂପରେଖ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସେହିକ୍ରମରେ ବାଲେଶ୍ୱର ଜିଲ୍ଲାର ୫୧୨ ଗୋଟି ହାଇସ୍କୁଲରେ ୩୧ହଜାର ୯୦୧ ଜଣ ଦଶମ ଶ୍ରେଣୀ ପିଲା ଆଜି ବିଦ୍ୟାଳୟକୁ ଆସିଥିବା ବେଳେ ସାନିଟାଇଜିଂ, ସାମାଜିକ ଦୂରତା ଆଦି ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଥିବା ଶିକ୍ଷାଧିକାରୀ ଶ୍ରୀ ଗିରି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.