Home Top News ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ୩୦% ଅଭିବୃଦ୍ଧି ହାସଲ

43

– ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୦୨୨-୨୩ ଆର୍ଥିକ ବର୍ଷରେ ୨୩ ଶତାଂଶ ବଢିଛି
– ୨୦୨୨-୨୩ ଆର୍ଥିକ ବର୍ଷରେ ଅଗ୍ରିମ ଟିକସ ସଂଗ୍ରହ ଚଳିତ ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୨, ୯୫, ୩୦୮ କୋଟିରେ ପହଞ୍ଚିଛି ଓ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୭%
– ଚଳିତ ଆର୍ଥିକ ବର୍ଷରେ କରଦାତାଙ୍କୁ ମୋଟ ୧, ୩୫, ୫୫୬ କୋଟି ଟଙ୍କାର ଅର୍ଥ ରିଫଣ୍ଡ (ଫେରସ୍ତ) ଦିଆଯାଇଛି; ପୂର୍ବବର୍ଷ ତୁଳନାରେ ଏହା ୮୩ ଶତାଂଶ ଅଧିକ

ନୂଆଦିଲ୍ଲୀ, ୧୮/୧୧ (ଓଡ଼ିଆ ପୁଅ) : ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏଥିରେ କରୋନା ମହାମାରୀ ପରେ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏହା ମଧ୍ୟ ସରକାରଙ୍କ ସ୍ଥିର ନୀତି ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ସୁଦୃଢୀକରଣର ଲାଭକୁ ସୂଚାଇବା ସହିତ ଏଥିରେ ନୂଆ ଟେକ୍‌ନୋଲୋଜି ପ୍ରୟୋଗର ସଫଳତାକୁ ପ୍ରମାଣିତ କରୁଛି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ମୋଟ ଟିକସ ତଥ୍ୟ ଅନୁସାରେ ନିଟ୍ ଟିକସ ସଂଗ୍ରହ ପରିମାଣ ୭୦୦, ୬୬୯ କୋଟିରେ ପହଞ୍ଚିଛି। ଏହା ବିଗତ ଆର୍ଥିକ ବର୍ଷର ଏହି ସମୟର ଟିକସ ଆଦାୟଠାରୁ ୨୩% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ଥିଲା ୫, ୬୮, ୧୪୭ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ଆଦାୟ ହୋଇଥିବା ମୋଟ ନିଟ୍ ପ୍ରତ୍ୟକ୍ଷ ଟିକସ ୭୦୦, ୬୬୯ କୋଟି ଟଙ୍କା (ରିଫଣ୍ଡକୁ ବାଦ ଦେଇ) ମଧ୍ୟରେ ରହିଛି ୩, ୬୮, ୪୮୪ କୋଟିର କର୍ପୋରେସନ ଟିକସ ବା ସିଆଇଟି, ୩, ୬୮, ୪୮୪କୋଟିର ବ୍ୟକ୍ତିଗତ ଆୟକର ବା ପିଆଇଟି ଓ ପ୍ରତିଭୂତି କାରବାର ବାବଦ ୩, ୩୦, ୪୯୦ କୋଟି ଟଙ୍କାର ଟିକସ।

ରିଫଣ୍ଡ ବାବଦ ଦେୟ ଫେରସ୍ତ ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ଥିଲା ୮, ୩୬, ୨୨୫ କୋଟି ଟଙ୍କା। ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ଏ ବାବଦରେ ମୋଟ ଟିକସ ଆଦାୟ ପରିମାଣ ଥିଲା ୬, ୪୨, ୨୮୭କୋଟି ଟଙ୍କା। ଅତଏବ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଏହି ଟିକସ ଆଦାୟ ପରିମାଣରେ ୩୦% ଅଭିବୃଦ୍ଧି ଘଟିଛି।

ଏଯାବତ୍ ଆଦାୟ ହୋଇଥିବା ମୋଟ ୮, ୩୬, ୨୨୫କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ମଧରେ ରହିଛି, ୪, ୩୬, ୦୨୦ କୋଟି ଟଙ୍କାର କର୍ପୋରେସନ ଟ୍ୟାକ୍ସ ବା ସିଆଇଟି ଏବଂ ୩୯୮, ୪୪୦ କୋଟିର ବ୍ୟକ୍ତିଗତ ଆୟକର ଓ ପ୍ରତିଭୂତି କାରବାର ଜନିତ ଟିକସ। ଏହା ଛଡା ଅନ୍ୟାନ୍ୟ ଟିକସ ମଧ୍ୟରେ ରହିଛି ଅଗ୍ରିମ ଟିକସ ବାବଦରେ ୨, ୯୫, ୩୦୮ କୋଟି, ଉତ୍ସରୁ କଟାଯାଉଥିବା ଟିକସ (ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ) ୪, ୩୪, ୭୪୦କୋଟି, ସେଲ୍ଫ ଆସେସମେଣ୍ଟ ଟିକସ ୭୭, ୧୬୪କୋଟି, ନିୟମିତ ଆସେସେମେଣ୍ଟ ଟିକସ ୨୦, ୦୮୦ କୋଟି ଏବଂ ଅନ୍ୟାନ୍ୟ ଛୋଟମୋଟ ଟିକସ ବାବଦରେ ୮, ୯୩୩ କୋଟି ଟଙ୍କା।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକରେ ଆଦାୟ ହୋଇଥିବା କ୍ରମ ବର୍ଦ୍ଧମାନ ଅଗ୍ରିମ ଟିକସର ପରିମାଣ ୨୦୨୨ସେପ୍ଟେମ୍ବର ୧୭ ସୁଦ୍ଧା ଥିଲା ୨, ୯୫, ୩୦୮ କୋଟି ଟଙ୍କା। ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ଏ ବାବଦ ଟିକସ ଆଦାୟ ପରିମାଣ ଥିଲା ୨, ୫୨, ୦୭୭ କୋଟି ଟଙ୍କା। ଆର୍ଥତ୍ ଏହି ଟିକସ ଆଦାୟରେ ୧୭% ଅଭିବୃଦ୍ଧି ଘଟିଛି। ଏଥର ଆଦାୟ ହୋଇଥିବା ଏହି ୨, ୯୫, ୩୦୮ କୋଟି ଟଙ୍କାର ଅଗ୍ରୀମ ଟିକସ ମଧ୍ୟରେ ରହିଛି ୨, ୨୯, ୧୩୨କୋଟି ଟଙ୍କାର କର୍ପୋରେସନ ଓ ୬୬, ୧୭୬ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର।

ଚଳିତବର୍ଷ ଆୟକର ରିଟର୍ଣ୍ଣ ପ୍ରକ୍ରିୟାକୁ ଯଥେଷ୍ଟ ତ୍ୱରାନ୍ୱିତ ଓ ବେଗଗାମୀ କରାଯାଇଛି। ଯେଉଁମାନେ ରିଫଣ୍ଡ ପାଇଁ ରିଟର୍ଣ୍ଣ କରିଥିଲେ ସେଥିରୁ ୯୩%କୁ ତନଖି କରି ଦେଖିବା ପରେ ସେମାନଙ୍କ ଅର୍ଥ ଫେରସ୍ତ କରିବା ପ୍ରକ୍ରିୟାରେ ପ୍ରାୟ ୪୬୮% ବୃଦ୍ଧି ଘଟିଛି ଏବଂ ଆବେଦନକାରୀ ଅଧିକ ସଂଖ୍ୟାରେ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି। ୨୦୨୨ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ୧, ୩୫, ୫୫୬ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରାଯାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ମାତ୍ର ୭୪, ୧୪୦ କୋଟି ଟଙ୍କାର ରିଫଣ୍ଡ କରଦାତାଙ୍କୁ ପ୍ରଦାନ କରାଯାଇଥିଲା। ଗତବର୍ଷ ତୁଳନାରେ ଏ କ୍ଷେତ୍ରରେ ଚଳିତବର୍ଷ ୫୩% ଅଭିବୃଦ୍ଧି ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.