Home Top News ୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ମଧ୍ୟରେ ହାରାହାରି ୩.୭ କୋଟି ଅଳଙ୍କାର ସାମଗ୍ରୀ...

୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ମଧ୍ୟରେ ହାରାହାରି ୩.୭ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆଯାଇ ସାରିଛି

68

– ୨୦୨୧-୨୦୨୨ ବର୍ଷରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆ ଯାଇଥିଲା

୦୧ ଜୁଲାଇ ୨୦୨୧ରେ ବିଆଇଏସ୍ ପଂଜୀକୃତ ଅଳଙ୍କାର ନିର୍ମାତାଙ୍କ ସଂଖ୍ୟା ୪୩, ୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧, ୪୩, ୪୯୭କୁ ବୃଦ୍ଧି ପାଇଛି
ସ୍ୱୀକୃତିପ୍ରାପ୍ତ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନ କରୁଥିବା କେନ୍ଦ୍ର ମାନଙ୍କ ସଂଖ୍ୟା ମଧ୍ୟ ୦୧ ଜୁଲାଇ ୨୦୨୧ରେ ୯୪୮ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ୧, ୨୨୦କୁ ବୃଦ୍ଧି ପାଇଛି

ନୂଆଦିଲ୍ଲୀ ୦୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ସୁନା ଅଳଙ୍କାର ଗୁଡ଼ିକରେ ହଲମାର୍କକୁ ବାଧ୍ୟତାମୂଳକ କରିବା ପରେ ଯାହା ୨୩ ଜୁନ୍‌, ୨୦୨୧ରୁ ଲାଗୁ ହୋଇଥିଲା, ୦୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ପ୍ରାୟ ୩.୭ କୋଟି ଅଳଙ୍କାର ସାମଗ୍ରୀରେ ହଲମାର୍କ ଚିହ୍ନ ପ୍ରଦାନ କରାଯାଇ ସାରିଛି ଏବଂ ୨୦୨୧-୨୨ରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆ ଯାଇଥିଲା। ବିଆଇଏସ୍ ପଞ୍ଜିକୃତ ଅଳଙ୍କାର ଗୁଡ଼ିକର ସଂଖ୍ୟା ୦୧ ଜୁଲାଇ ୨୦୨୧ରେ ୪୩, ୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧, ୪୩, ୪୯୭କୁ ବୃଦ୍ଧି ପାଇଛି।

୨୩ ଜୁନ୍ ୨୦୨୧ରେ ହଲମାର୍କ କରିବାକୁ ବାଧ୍ୟତାମୂଳକ କରିବାର ଆଦେଶନାମା ଜାରି ହେବା ପରଠାରୁ ଏହି କ୍ଷେତ୍ରରେ ଅଳ୍ପ କିଛି ସଫଳତା ଗୁଡ଼ିକ ହେଉଛି ନିମ୍ନମତେ:

ଅଳଙ୍କାର ନିର୍ମାତା ମାନଙ୍କର ପଞ୍ଜିକରଣ ଦେୟ ମୁକ୍ତ କରା ଯାଇଥିଲା ଏବଂ ଏହା ଆଜୀବନ ପାଇଁ ଲାଗୁ କରା ଯାଇଥିଲା।

୦୧ ଜୁଲାଇ ୨୦୨୧ରେ ହଲମାର୍କ ସ୍ୱତନ୍ତ୍ର ଚିହ୍ନଟୀକରଣ (ଏଚୟୁଆଇଡି) ଆଧାରିତ ହଲମାର୍କ ପ୍ରଦାନକାରୀ ପୋର୍ଟାଲର ଶୁଭ ଉନ୍ମୋଚନ କରା ଯାଇଥିଲା ଯେଉଁଥିରେ ପରୀକ୍ଷାକରଣ ଏବଂ ହଲମାର୍କ ପ୍ରଦାନକାରୀ କେନ୍ଦ୍ର (ଆସେୟିଂ ଆଣ୍ଡ ହଲମାର୍କିଂ – ଏଏଚସି)ର ସମଗ୍ର କାର୍ଯ୍ୟ ପ୍ରବାହକୁ ସ୍ୱୟଂଚାଳିତ ଏବଂ ଅନଲାଇନ୍ କରାଯାଇଛି। ମାନ୍ୟତାପ୍ରାପ୍ତ ଏଏଚ୍‌ସି ଗୁଡ଼ିକର ସଂଖ୍ୟା ୦୧ ଜୁଲାଇ ୨୦୨୧ରେ ୯୪୮ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ୧, ୨୨୦କୁ ବୃଦ୍ଧି ପାଇଛି।

ବିଆଇଏସ୍ କେୟାର (ସିଏଆରଇ) ଆପ୍‌ରେ ‘ଏଚୟୁଆଇଡି ଯାଂଚ’ ବ୍ୟବହାର କରି ଏଚୟୁଆଇଡି ସଂଖ୍ୟା ସହିତ ସୁନା ଅଳଙ୍କାର ସାମଗ୍ରୀ ଗୁଡ଼ିକର ହଲମାର୍କ କରା ଯାଇଥିବା ସମ୍ପର୍କରେ ଯାଂଚ କରିବା ଏବଂ ପ୍ରମାଣିତ କରିବାର ବ୍ୟବସ୍ଥା ୨୪ ଡିସେମ୍ବର ୨୦୨୧ରେ ସକ୍ରିୟ କରା ଯାଇଥିଲା।

ଜଣେ ସାଧାରଣ ଖାଉଟିଙ୍କୁ ତାଙ୍କ ହଲମାର୍କ କରାଯାଇ ନଥିବା ସୁନା ଅଳଙ୍କାରର ଶୁଦ୍ଧତାକୁ ବିଆଇଏସ୍ ମାନ୍ୟତାପ୍ରାପ୍ତ ଯେ କୌଣସି ଏଏଚ୍‌ସିରେ ପରୀକ୍ଷା କରାଇ ପାରିବା ନିମନ୍ତେ ଅନୁମତି ଦେବାର ବ୍ୟବସ୍ଥା ୦୧ ଜାନୁଆରୀ ୨୦୨୨ରେ ଆରମ୍ଭ କରା ଯାଇଥିଲା। ଏଏଚ୍‌ସି ସାଧାରଣ ଖାଉଟିଙ୍କ ଠାରୁ ପ୍ରାଥମିକତା ଭିତିରେ ସୁନା ଅଳଙ୍କାରର ପରୀକ୍ଷା କରିବା କାର୍ଯ୍ୟ ହାତକୁ ନେଇ ପାରିବେ ଏବଂ ଖାଉଟିଙ୍କୁ ଏକ ପରୀକ୍ଷା ରିପୋର୍ଟ ପ୍ରଦାନ କରି ପାରିବେ। ଖାଉଟିଙ୍କୁ ପ୍ରଦାନ କରା ଯାଇଥିବା ପରୀକ୍ଷା ରିପୋର୍ଟ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ଖାଉଟିଙ୍କୁ ଆଶ୍ୱସ୍ତ କରାଇ ପାରିବ ଏବଂ ଯଦି ଖାଉଟି ତାଙ୍କ ନିକଟରେ ଉପଲବ୍ଧ ଅଳଙ୍କାରକୁ ବିକ୍ରୟ କରିବାକୁ ଚାହିଁବେ, ସେ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ।

ଖାଉଟିଙ୍କର ସୁନା ଅଳଙ୍କାରର ପରୀକ୍ଷା ବାବଦରେ ବିସ୍ତୃତ ମାର୍ଗ ଦର୍ଶିକା ଏବଂ ମାନ୍ୟତାପ୍ରାପ୍ତ ପରୀକ୍ଷଣ ଓ ହଲମାର୍କ ପ୍ରଦାନକାରୀ କେନ୍ଦ୍ର ଗୁଡ଼ିକର ତାଲିକା ବିଆଇଏସ୍ ୱେବ ସାଇଟ www.bis.gov.in ର ହୋମ୍ ପେଜ୍ ଜରିଆରେ ହାସଲ କରାଯାଇ ପାରିବ।

ସେମାନଙ୍କର ପହଂଚକୁ ବୃଦ୍ଧି କରିବା ପାଇଁ ଏବଂ ଅଳଙ୍କାର ନିର୍ମାତା ଓ ଖାଉଟି ମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଏଚସି ଗୁଡ଼ିକର ପ୍ରତିଷ୍ଠିତ କେନ୍ଦ୍ର ଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ କେନ୍ଦ୍ର (ଅଫ୍ ସାଇଟ୍ ସେଂଟର – ଓଏସ୍‌ସି) ପ୍ରତିଷ୍ଠା କରିବା ପାଇଁ ଯୋଜନା ୦୧ ଜାନୁଆରୀ ୨୦୨୨ରେ ଆରମ୍ଭ କରା ଯାଇଥିଲା। ୩୧ ଜୁଲାଇ ୨୦୨୨ ସୁଦ୍ଧା ୦୮ ଗୋଟି ଓଏସ୍‌ସି ପ୍ରତିଷ୍ଠା କରାଯାଇ ସାରିଛି।

ଭାରତ ସରକାର ଖାଉଟି ମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତାକୁ ବିଚାରକୁ ନେଇଛନ୍ତି ଏବଂ ସୁନା ଅଳଙ୍କାର ଓ କାରିଗରୀ ସାମଗ୍ରୀ ଗୁଡ଼ିକୁ ହଲମାର୍କ ପ୍ରଦାନ କରିବା ବାଧ୍ୟତାମୂଳକ କରିଛନ୍ତି ଯେହେତୁ ଅଳଙ୍କାର ତିଆରି କରିବା ପାଇଁ ସୁନା କୌଣସି ପ୍ରକାରର ଭଙ୍ଗା ତୁଟାକୁ ସହ୍ୟ କରିବା ନିମନ୍ତେ ଅତ୍ୟନ୍ତ କୋମଳ, ଆଉ ସେଥିପାଇଁ, ଅଳଙ୍କାର ତିଆର କରିବା ବେଳେ ସୁନା ସହିତ ସବୁବେଳେ ଅନ୍ୟ ଧାତୁ ମାନଙ୍କୁ ମିଶା ଯାଇଥାଏ। ସୁନା ସହିତ ମିଶ୍ରଣ କରିବାର ଆବଶ୍ୟକତା ମଧ୍ୟ ଜନସାଧାରଣଙ୍କୁ ଅତ୍ୟଧିକ ମାତ୍ରାରେ ଅପମିଶ୍ରଣ ପ୍ରତି ଉନ୍ମୁଖ କରିଥାଏ ଏବଂ ବୈଷୟିକ ପରୀକ୍ଷଣ ନ କରି ସୁନାରେ ଅପମିଶ୍ରଣକୁ ଚିହ୍ନଟ କରିବା କଷ୍ଟକର। ସାଧାରଣ ଖାଉଟି ଯଦିଓ ଏଭଳି କାର୍ଯ୍ୟ ଗୁଡ଼ିକ ବିଷୟରେ ଭଲ ଭାବରେ ଅବଗତ, ତଥାପି ତାଙ୍କ ହାତରେ ବେପାରୀମାନଙ୍କ ଦ୍ୱାରା ଦିଆ ଯାଉଥିବା ଆଶ୍ୱାସନା ଉପରେ ଭରସା କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥାଏ।

ହଲମାର୍କ ପ୍ରଦାନକାରୀ ଯୋଜନା ଅଧୀନରେ ହଲମାର୍କ ପ୍ରଦାନ କରା ଯାଇଥିବା ଅଳଙ୍କାର ଗୁଡ଼ିକୁ ବିକ୍ରି କରିବାକୁ ଅଳଙ୍କାର ନିର୍ମାତା ମାନଙ୍କୁ ବିଆଇଏସ୍ ପଞ୍ଜିକରଣ ମଂଜୁର କରା ଯାଇଥାଏ ଏବଂ ପରୀକ୍ଷଣ ଓ ହଲମାର୍କ ପ୍ରଦାନକାରୀ କେନ୍ଦ୍ର ମାନଙ୍କୁ ପରୀକ୍ଷା ସମୟରେ ଲକ୍ଷ୍ୟ କରା ଯାଇଥିବା ଶୁଦ୍ଧତା ଉପରେ ଆଧାର କରି ଅଳଙ୍କାର ଗୁଡ଼ିକୁ ହଲମାର୍କ ପ୍ରଦାନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥାଏ। ହଲମାର୍କ ପ୍ରଦାନ ଖାଉଟି ଅର୍ଥାତ୍ ଅଳଙ୍କାର ଖରିଦକର୍ତାମାନଙ୍କୁ ତୃତୀୟ ପକ୍ଷ ଆଶ୍ୱାସନା ଏବଂ ସନ୍ତୁଷ୍ଟି ପ୍ରଦାନ କରିଥାଏ ଯେ ସେମାନେ ସୁନା (ବା ରୂପା)ର ଠିକ୍ ଶୁଦ୍ଧତା ପାଉଛନ୍ତି।

ବାଧ୍ୟତାମୂଳକ ହଲମାର୍କ ପ୍ରଦାନର କାର୍ଯ୍ୟାନ୍ୱୟନ ଦୁଇଗୋଟି ପର୍ଯ୍ୟାୟରେ କରା ଯାଇଥିଲା:

ପ୍ରଥମ ପର୍ଯ୍ୟାୟ : ୨୩ ଜୁନ୍ ୨୦୨୧ ଠାରୁ ସୁନା ଅଳଙ୍କାର ଏବଂ ସୁନା କଳାତ୍ମକ କାରିଗରୀ ଜିନିଷଗୁଡ଼ିକ ଆଦେଶନାମା, ୨୦୨୨ ବଳରେ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ କାର୍ଯ୍ୟାନ୍ୱୟନ କରା ଯାଇଥିଲା। ଏହି ପର୍ଯ୍ୟାୟରେ ସୁନା ସାମଗ୍ରୀ ଗୁଡ଼ିକର ୩ ଗୋଟି ମାନ (ଗ୍ରେଡ୍‌)କୁ ଯଥା ୧୪ କ୍ୟାରେଟ୍ (୫୮୫ ଶୁଦ୍ଧତା), ୧୮ କ୍ୟାରେଟ୍ (୭୫୦ ଶୁଦ୍ଧତା) ଏବଂ ୨୨ କ୍ୟାରେଟ୍ (୯୧୬ ଶୁଦ୍ଧତା)କୁ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ ଆଦେଶନାମା ଅଧୀନରେ ପରିସରଭୁକ୍ତ କରା ଯାଇଥିଲା। ଏହି ପର୍ଯ୍ୟାୟରେ, ଆଦେଶନାମାକୁ ନିହାତି କମ୍‌ରେ ଗୋଟିଏ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନକାରୀ କେନ୍ଦ୍ର ଥିବା ୨୫୬ଟି ଜିଲ୍ଳାରେ କାର୍ଯ୍ୟକାରୀ କରା ଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ : ୦୧ ଜୁନ୍ ୨୦୨୨ ଠାରୁ ସୁନା ଅଳଙ୍କାର ଏବଂ ସୁନାର କଳାତ୍ମକ କାରିଗରୀ ଜିନିଷଗୁଡ଼ିକ (ସଂଶୋଧିତ) ଆଦେଶନାମା, ୨୦୨୨, ତାରିଖ ୦୪ ଏପ୍ରିଲ ୨୦୨୨ ବଳରେ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରା ଯାଇଥିଲା। ବାଧ୍ୟତାମୂଳକ ହଲମାର୍କ ପ୍ରଦାନର ଦ୍ୱିତୀୟ ପର୍ଯ୍ୟାୟ ସୁନା ଅଳଙ୍କାର / କଳାତ୍ମକ କାରିଗରୀପୂର୍ଣ୍ଣ କାର୍ଯ୍ୟର ଭାରତୀୟ ମାନକ ଆଇଏସ୍ ୧୪୧୭ ଅଧୀନରେ ଉଲ୍ଲେଖ କରା ଯାଇଥିବା ଅନୁସାରେ ତିନିଗୋଟି ଅତିରିକ୍ତ କ୍ୟାରେଟ ଯଥା ୨୦ କ୍ୟାରେଟ (୮୩୩ ଶୁଦ୍ଧତା), ୨୩ କ୍ୟାରେଟ (୯୫୮ ଶୁଦ୍ଧତା) ଏବଂ ୨୪ କ୍ୟାରେଟ (୯୯୫ ଶୁଦ୍ଧତା)କୁ ପରିସରଭୁକ୍ତ କରିଥାଏ।

ବାଧ୍ୟତାମୂଳକ ହଲମାର୍କ ପ୍ରଦାନ ଆଦେଶନାମାର ପ୍ରଥମ ପର୍ଯ୍ୟାୟର କାର୍ଯାନ୍ୱୟନ ପରେ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ ପରିସର ମଧ୍ୟରେ ଅତିରିକ୍ତ ୩୨ଟି ଜିଲ୍ଲାକୁ ପରିସରଭୁକ୍ତ କରିଛି ଯେଉଁ ଗୁଡ଼ିକରେ ଏକ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନକାରୀ କେନ୍ଦ୍ର (ଏଏଚ୍‌ସି) ପ୍ରତିଷ୍ଠା କରାଯାଇଛି। ୨୮୮ଟି ଜିଲ୍ଲାର ତାଲିକା ବିଆଇଏସ ୱେବ ସାଇଟ୍ www.bis.gov.in. ରେ ଉପଲବ୍ଧ। ସମୟ କ୍ରମେ ବାଧ୍ୟତାମୂଳକ ହଲମାର୍କ ପ୍ରଦାନ ଯୋଜନା ଅଧୀନରେ ଅଧିକ ଜିଲ୍ଲାକୁ ପରିସରଭୁକ୍ତ କରାଯିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.