Home ଜିଲ୍ଲା ପରିକ୍ରମା ୧୧ ଦଫା ଦାବିନେଇ ଜିଲାପାଳଙ୍କୁ ଭେଟିଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ, ସମସ୍ୟା...

୧୧ ଦଫା ଦାବିନେଇ ଜିଲାପାଳଙ୍କୁ ଭେଟିଲେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ, ସମସ୍ୟା ସମାଧାନ ନହେଲେ ରୋଗୀସେବା ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବ ସଂଘ

54

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ, ଭଦ୍ରକ ଶାଖା ପକ୍ଷରୁ ଆଜି ସେମାନଙ୍କର ବିଭିନ୍ନ ସମସ୍ୟାର ଦୂରୀକରଣ ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଶାଖାର ସଭାପତି ଚିତରଂଜନ ମହାପାତ୍ର, ସଂପାଦକ ଜୀବନଜ୍ୟୋତି ଚାନ୍ଦଙ୍କ ନେତୃତ୍ୱରେ ଆଜି ବହୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ମୂଳେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସମସ୍ତ କାର୍ଯ୍ୟରତ କର୍ମଚାରୀ ବିଗତ ୨୦୧୩ ମସିହା ଠାରୁ ସେମାନେ ଭୁବନେଶ୍ୱର ଇଡ୍‌କୋ ଟାୱାରରେ ଥିବା ଜିକ୍‌ଟିଜ୍‌ା ହେଲଥ୍ କେୟାର ଲିମିଟେଡ୍ ନାମକ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ କରିଆସୁଛନ୍ତି। ସେମାନେ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଆସୁଥିବାବେଳେ ଗତ ଅକ୍ଟୋବର ୨୧ ତାରିଖ ଠାରୁ ଏମ୍‌ଏସ୍ ଏମ୍ରି ଗ୍ରୀନ୍ ନାମକ ଏକ ନୂତନ ଠିକା ସଂସ୍ଥା ଦାୟିତ୍ୱ ନେବା ପରେ ତାଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି। ବନ୍ୟା, ବାତ୍ୟା, କରୋନା ମହାମାରୀ ଓ ସାମୂହିକ ଦୁର୍ଘଟଣା ଏମିତିକି ବାହାନଗା ଟ୍ରେନ୍ ଦୁର୍ଘଟଣା ପରିସ୍ଥିତିରେ ଜନସାଧାରଣଙ୍କୁ ନିଜ ଜୀବନକୁ ବାଜି ଲଗାଇ ସେମାନେ ଖୁବ୍ କମ୍ ପାରିଶ୍ରମିକରେ ରୋଗୀସେବା ଯୋଗାଇ ଆସୁଛନ୍ତି। କିନ୍ତୁ ଏହି ଜିଲାର ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଖରା, ବର୍ଷା, ରାତି କଟାଇ କାର୍ଯ୍ୟ କରିଆସୁଥିବାବେଳେ ସେମାନଙ୍କର ଦୁଃଖକୁ ସମସ୍ତ ପ୍ରଶାସନିକ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଜଣାଇ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେବାତ ଦୂରର କଥା, ସେମାନଙ୍କର ସମସ୍ୟାକୁ ଶୁଣୁନାହାଁନ୍ତି।

ଯାହାଫଳରେ ସଂପୃକ୍ତ ଠିକା ସଂସ୍ଥା ନିଜର ମନମାନି ଆରମ୍ଭ କରିବା ସହ ସେମାନଙ୍କ ଭଳି ଗରିବ, ମଧ୍ୟବିତ କର୍ମଚାରୀଙ୍କ ପେଟରେ ଲାତ ମାରୁଛି। ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ମୂଳେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନୂତନ କଂପାନୀରେ ନିଯୁକ୍ତି କରିବା, କାର୍ଯ୍ୟକରିବାର ସଠିକ୍ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯିବା, ସେମାନଙ୍କୁ ଠିକା ସଂସ୍ଥାରୁ ମୁକ୍ତ କରାଯାଇ ନିୟମିତ କରାଯିବା, ୧୨ ଘଂଟାର କାର୍ଯ୍ୟର ପ୍ରାପ୍ୟ ଦିଆଯିବା, ସେମାନଙ୍କର ବାର୍ଷିକ ଦରମା ବୃଦ୍ଧି କରାଯାଇ ଅଭିଜ୍ଞ କର୍ମଚାରୀଙ୍କୁ ପାରିଶ୍ରମିକ ଦିଆଯିବା, ସେମାନଙ୍କ ମୃତ୍ୟୁ ଜନିତ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ବେନିୟମ ଛଟେଇ ବନ୍ଦ କରିବା, ଜିଲାର କୌଣସି କର୍ମଚାରୀଙ୍କୁ ଠିକା ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ରାଜ୍ୟ ମହାସଂଘ ସହିତ ଆଲୋଚନା କରିବା, ଏମାନେ ଲୋକଙ୍କ ଆକ୍ରମଣର ଶୀକାର ହେଲେ ସ୍ୱତନ୍ତ୍ର ଦଣ୍ଡବିଧାନ ସହ ଅଭିଯୁକ୍ତଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ସେମାନେ ରହୁଥିବା ସ୍ଥାନରେ ଆମ୍ବୁଲାନ୍ସ ଧୋଇବା, ସାନିଟାଇଜ୍ କରିବା, ବିଶ୍ରାମ ଓ ଖାଇବା ପାଇଁ ସୁବିଧା ଯୋଗାଇବା ସହ ଶୌଚାଳୟର ବ୍ୟବସ୍ଥା କରିବା, ୧୦୨ ଜନନୀ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ଭତାରୁ ବଂଚିତ ନକରି ୧୦୮ ସହ ସମାନ ସୁବିଧା ସୁଯୋଗ ଦିଆଯିବା, ଓଡ଼ିଶାରେ ସାଢେ ଚାରିକୋଟି ଲୋକଙ୍କୁ ସେବା ଯୋଗାଇବା ପାଇଁ ଯେଉଁ ଗାଡି ରହିଛି, ସେଥିମଧ୍ୟରୁ ୨ ଶହରୁ ଉର୍ଦ୍ଧ୍ୱ ଅଚଳ ହୋଇପଡିଥିବାରୁ ପର୍ଯ୍ୟାପ୍ତ ପରିମାଣରେ ଗାଡି ନିୟୋଜିତ କରିବା ଭଳି ଦାବି ରହିଛି। ତେବେ ସେମାନଙ୍କର ଦାବିଗୁଡିକ ବିଚାରକୁ ନେଇ ସମାଧାନ କରାନଗଲେ ଆସନ୍ତା ୩୦ ତାରିଖ ଦିନ ଠାରୁ ଜିପିଏସ୍ ବନ୍ଦ କରି ରୋଗୀସେବା କରାଯାଇ ପୁନର୍ବାର ନଭେମ୍ବର ୧ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ରୋଗୀସେବା ବନ୍ଦ କରି ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ଦିଗରେ ଯେଉଁ କ୍ଷୟକ୍ଷତି ହେବ, ସେଥିପାଇଁ ସଂପୃକ୍ତ ଠିକା ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.