Home ଜିଲ୍ଲା ପରିକ୍ରମା ହିନ୍ଦୁଧର୍ମ ରକ୍ଷକ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା

ହିନ୍ଦୁଧର୍ମ ରକ୍ଷକ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା

35

ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଚାଲିଥିବା ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିବା ଦିଲ୍ଲୀର ମଙ୍ଗଲପୁର ନିବାସୀ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଦେଶ ବ୍ୟାପୀ ପ୍ରତିବାଦର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। ହତ୍ୟାକାଣ୍ଡରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବାଲେଶ୍ୱର ହିନ୍ଦୁଧର୍ମ ରକ୍ଷକ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜଣେ ରାମ ଭକ୍ତ ଭାବେ ରିଙ୍କୁ ଶର୍ମା ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିଲେ, ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ତାଙ୍କୁ ବିରୋଧ କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଅତର୍କିତ ଭାବେ ରିଙ୍କୁଙ୍କ ଘର ଉପରେ ଆକ୍ରମଣ ସହ ତାଙ୍କୁ ହତ୍ୟା କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରମାଣିତ ହୋଇଥିବା ସତ୍ୱେ ଦୋଷୀଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସଂଗଠନର କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ। ବିଗତ କିଛି ବର୍ଷ ଧରି ଦିଲ୍ଲୀରେ ହିନ୍ଦୁମାନଙ୍କ ଉପରେ ଅନୁରୁପ ଭାବେ ବର୍ବରୋଚିତ କାଣ୍ଡ ଘଟୁଥିଲେ ବି କାର୍ଯ୍ୟାନୁଷ୍ଠାନ ଅଭାବରୁ ଆତଙ୍କବାଦୀଙ୍କ ଭଳି କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଛି। ଏହି ହତ୍ୟା ଘଟଣାକୁ ନେଇ ସମସ୍ତେ ବ୍ୟଥିତ ଥିବା ବେଳେ ସମଗ୍ର ହିନ୍ଦୁ ସମାଜ ଏକଜୁଟ ହେବାର ସମୟ ଆସି ପହଞ୍ଚିଛିି ବୋଲି କର୍ମକର୍ତ୍ତାମାନେ କହିଥିଲେ। ଶାନ୍ତିପ୍ରିୟ ହିନ୍ଦୁମାନଙ୍କ ମଧ୍ୟରେ ଏକତା ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିବା ସେମାନେ ସୂଚନା ଦେଇଥିଲେ। ଏହି ଶୋଭାଯାତ୍ରା ଟାଉନଥାନା ଛକ ଶିବମନ୍ଦିରରୁ ବାହାରି ଶହୀଦ ପାର୍କଠାରେ ଶେଷ ହୋଇଥିଲା। ବିଶ୍ୱଜିତ ଖଟୁଆ, ସଂଜୟ ମହାପାତ୍ର, ଚିତ୍ତରଂଜନ ପଣ୍ଡା, ଅଜିତ ମିଶ୍ର, ଭାଗ୍ୟରଂଜନ ନନ୍ଦ, ବିକାଶ ପାଢ଼ୀ, ପବନ କୁମାର କମିଳା, ମୁନା ମହନ୍ତ, ସାଧବ ଦାସ, ମିହିର ପାଢ଼ୀ, ଅରୂପ ଜେନା, ଗୋପାଳ ଶତପଥୀ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.