Home ଜିଲ୍ଲା ପରିକ୍ରମା ହରିପୁର ବାଲିଘାଟରୁ ବେଆଇନ୍ ବାଲି ଉଠାଣ ପ୍ରତିବାଦରେ ଶତାଧିକ ମହିଳାଙ୍କ ଜିଲାପାଳ ଅଫିସ୍ ଆଗରେ ଆନ୍ଦୋଳନ

ହରିପୁର ବାଲିଘାଟରୁ ବେଆଇନ୍ ବାଲି ଉଠାଣ ପ୍ରତିବାଦରେ ଶତାଧିକ ମହିଳାଙ୍କ ଜିଲାପାଳ ଅଫିସ୍ ଆଗରେ ଆନ୍ଦୋଳନ

24

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ ଅଧୀନସ୍ଥ ହରିପୁର ବାଲିଘାଟରୁ ବେଆଇନ୍ ବାଲି ଉଠାଣ ପ୍ରତିବାଦରେ ଆଜି ସାଳନ୍ଦୀ ବିକାଶ ମଂଚ ନେତୃତ୍ୱରେ ସ୍ଥାନୀୟ ଅଂଚଳର ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସାଳନ୍ଦୀ ବିକାଶ ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ ଓ ପଦ୍ମନାଭ ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ମା’ ସିଦ୍ଧେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ହରିପୁରର ସମସ୍ତ ମହିଳା ସଂଘର ସଭ୍ୟାମାନଙ୍କ ମଧ୍ୟରେ ଉଷାରାଣୀ ପରମାଣିକ, ତିଳୋତ୍ତମା ପାଣିଗ୍ରାହୀ, ତୁଳସୀ ନାୟକ, ପଦ୍ମିନୀ ନାୟକ, ସୁବାସିନୀ ନାୟକ, ସାକିରନ୍ ଖାତୁନ, ପ୍ରଭାତୀ ବେହେରା, ସତ୍ୟଭାମା ଦେହୁରୀ, ମିନତୀ ମହାକୁଡ, ଭବାନୀ ଦାସ, ଜଇତୁନ ବିବି ପ୍ରମୁଖ ବହୁ ମହିଳା ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେମାନଙ୍କ ଗ୍ରାମ ପାଶ୍ୱର୍ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଛି । ନଦୀରେ ବାଲି ନଥିଲେ ବି ଜନୈକ ବାଲି ମାଫିଆ ଜୋର ଜବରଦସ୍ତ ଜେସିବି ଲଗାଇ ନଦୀରୁ ବାଲି ଉଠାଇବା ଆଳରେ ନଦୀପଠାକୁ ଖୋଳିନେଉଛନ୍ତି । ଏହାଦ୍ୱାରା ନଦୀର ଗତିପଥ ପରିବର୍ତ୍ତନ ହୋଇ ସେମାନଙ୍କ ଗ୍ରାମ ପ୍ରତି ବିପଦ ସୃଷ୍ଟିର ଆଶଙ୍କା ଦେଖାଦେଇଛି । ଏଥିସହ ନଦୀକୂଳରେ ବଡ ବଡ ଗର୍ତ୍ତମାନ ସୃଷ୍ଟି ହେବା ଫଳରେ ଧନଜୀବନ, ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ୧୯୯୯ ମହାବାତ୍ୟା ଓ ବନ୍ୟାରେ ଏହି ଗ୍ରାମର ସମସ୍ତ ଘରଦ୍ୱାର ଭାସିଯାଇଥିଲା । ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଣ୍ଟା ସଳଖି ଠିଆ ହେବା ମଧ୍ୟରେ ଗ୍ରାମ ନିକଟରେ ନଦୀର ବାଙ୍କ ଥିବାରୁ ପ୍ରତିବର୍ଷ ନଦୀ କୂଳ ଖାଉଛି ।

ଏ ସଂପର୍କରେ ବହୁବାର ପ୍ରଶାସନ ପାଖରେ ଆଡିବନ୍ଧ ନିର୍ମାଣ ନେଇ ଆପତ୍ତି ଅଭିଯୋଗ କଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଅଧିକନ୍ତୁ ମନୁଷ୍ୟାକୃତ ବାଲି ମାଟି ତଡାଯିବା ଦ୍ୱାରା ସେମାନଙ୍କ ଗ୍ରାମ ପ୍ରତି ବିପଦ ଦେଖାଦେଇଛି । ତେବେ ସେମାନେ ସମସ୍ତ ମହିଳା ସଂଘ ଏହି ବାଲିତଡାକୁ ବିରୋଧ କରିବାରୁ ସେହି ଗ୍ରାମର କେତେକ ଅସାମାଜିକ ଯୁବକଙ୍କ ସମେତ ବାଲି ମାଫିଆ ଜଣକ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହୋଇଥିବାରୁ ସେମାନଙ୍କୁ ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଛନ୍ତି । ଏପରିକି ସେମାନେ ବାଲିଘାଟ ନିଲାମ ଧରିଥିବା ବିଷୟ ପ୍ରତ୍ୟେକ୍ଷରେ କହି ବୁଲୁଛନ୍ତି । ସେମାନେ ରାତିରେ ମଧ୍ୟ ବାଲି ମାଟି ତାଡି ନିକଟରେ ଥିବା ସେମାନଙ୍କ ପାଳରେ ଜମା କରୁଛନ୍ତି । ଏହି ବ୍ୟକ୍ତିମାନେ ଚୋରା ବାଲି ବେପାର କରି ପ୍ରଚୁର ଅର୍ଥ ବେଆଇନ୍ ଭାବେ ରୋଜଗାର କରୁଥିବାବେଳେ ରାତ୍ରୀ ସମୟରେ ନଦୀକୂଳରେ ମଦ, ମାଂସ ଖାଇ ଆତଙ୍କ ସୃଷ୍ଟି କରୁଛନ୍ତି । ଫଳରେ ଝିଅ-ବୋହୂମାନେ ନଦୀକୁ ଯିବା ସମୟରେ ସେମାନଙ୍କ ଅଶାଳୀନ ବ୍ୟବହାରର ସମ୍ମୁଖୀନ ହେବା ସହ ଏ ସଂପର୍କରେ ଉପରିସ୍ଥ ଅଧିକାରୀ କିମ୍ବା ଥାନାକୁ ଜଣାଇଲେ, ସେମାନଙ୍କୁ ହତ୍ୟା କରିବା ସହ ପରିବାରକୁ ଧ୍ୱଂସ କରିଦେବେ ବୋଲି ଧମକ ଦେଉଛନ୍ତି । ଏଣୁ ଏହି ଘଟଣାରେ ନିରପେକ୍ଷ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଡିବନ୍ଧ ନିର୍ମାଣ ପରେ ଠିକାଦାରଙ୍କୁ ବାଲି ଉଠାଇବାକୁ ଆଦେଶ ଦେଇ ସେମାନଙ୍କୁ ନ୍ୟାୟ ଓ ସୁରକ୍ଷା ନଦେଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.