Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା , ଅନାବଶ୍ୟକ ନିର୍ମାଣକୁ ଗୁରୁତ୍ୱ, ଖତ ଖାଉଛି ବାଇକ୍ ଆମ୍ବୁଲାନ୍‌ସ

ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା , ଅନାବଶ୍ୟକ ନିର୍ମାଣକୁ ଗୁରୁତ୍ୱ, ଖତ ଖାଉଛି ବାଇକ୍ ଆମ୍ବୁଲାନ୍‌ସ

21

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ୪ମାସ ପୂର୍ବେ ଦୁଇଟି ରେପିଡ ରେସପଣ୍ଡର ବାଇକ୍ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଗତ ଡିସେମ୍ବର ମାସ ୨୩ ତାରିଖ ଜିଲ୍ଲା କଲେକ୍ଟରିଏଟ ଠାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ ହିରୋ ମୋଟୋକର୍ପ କମ୍ପାନୀ ପ୍ରସ୍ତୁତ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବାଇକ୍ ଆମ୍ବୁଲାନ୍‌ସକୁ ଲୋକାର୍ପିତ କରିଥିଲେ । ଯେଉଁ ଦୁର୍ଗମ ଅଞ୍ଚଳକୁ ୪ଚକିଆ ଆମ୍ବୁଲାନ୍ସ ଯିବାରେ ଅୁବିଧା ହେଉଛି, ସେହି ସ୍ଥାନରେ ଏହି ବାଇକ ଆମ୍ବୁଲାନ୍ସ ଜରୁରୀ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଲାଗି ପାରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ଏହି ଦୁଇ ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟଟି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବ ବୋଲି କୁହାଯାଇଥିଲା । ଏହି ଲୋକାର୍ପଣ ଉତ୍ସବରେ ହିରୋ ମୋଟୋକର୍ପ କମ୍ପାନୀର ବହୁ ପଦସ୍ଥ ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ଯୋଗଦେଇ ବିଧାୟକଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଲୋକାର୍ପଣ ପରେ ଉକ୍ତ ଦୁଇ ଆମ୍ବୁଲାନ୍ସକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ତେବେ ଇତିମଧ୍ୟରେ ୪ମାସ ବିତିବାକୁ ବସିଛି ।

କିନ୍ତୁ ଲୋକଙ୍କ ସେବାରେ ଲାଗି ପାରିନି ଏହି ରେପିଡ ରେସପଣ୍ଡର ବାଇକ ଆମ୍ବୁଲାନ୍ସ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ପାଇଁ ମୁଖ୍ୟ ଚିକିତ୍ସାଳୟର ଏକ ପୋଟିକୋ ତଳେ ଏଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ଖତ ଖାଉଛି । ଉକ୍ତ ଦୁଇ ଆମ୍ବୁଲାନ୍ସକୁ କାର୍ଯ୍ୟରେ ଲଗାଇବାକୁ ସ୍ୱାସ୍ଥ୍ର‌୍ୟ ବିଭାଗ ପକ୍ଷରୁ କାଣିଚାଏ ଉଦ୍ୟମ ହୋଇ ନାହିଁ । ସୂଚନାଯୋଗ୍ୟ ଏବେ ଜିଲ୍ଲା ଚିକିତ୍ସାଳୟର ନୂତନ ଗୃହର କାର୍ଯ୍ୟ ଜୋରସୋରରେ ଚାଲିଛି । ଆଗାମୀ ୫/୬ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଉଛି । କିନ୍ତୁ ଏହି ସମୟରେ କୌଣସି ଆବଶ୍ୟକତା ନଥାଇ ମଧ୍ୟ ଏବେରେ ଜିଲ୍ଲା ଚିକିତ୍ସାଳୟ ପରିସରରେ ବିଭିନ୍ନ ନୂତନ ନିର୍ମାଣ କାର୍ଯ୍ୟ ଚାଲିଛି । ନୂତନ ନିର୍ମାଣ କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଭାଗ ଯେଭଳି ଭାବରେ ଗୁରୁତ୍ୱ ଦେଉଛି ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ୪ମାସ ହେଲା ବାଇକ ଆମ୍ବୁଲାନ୍ସକୁ କାମରେ ଲଗାଯାଇ ପାରୁନି । ସିସି କ୍ୟାମେରା ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ । ବହିରାଗତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇ ବିଶ୍ରାମ ନେବାକୁ ଜାଗା ନାହିଁ । ଜିଲ୍ଲା ଚିକିତ୍ସାଳୟରେ ଲିଫ୍ଟ ଅଚଳ ହୋଇ ପଡ଼ିରହିଛି । କେତେକ ଦାତବ୍ୟ ସଂସ୍ଥାଙ୍କ ଦ୍ୱାରା ପ୍ରଦତ୍ତ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଅକାମୀ ହୋଇ ପଡ଼ି ରହିଛି । ଭିତ୍ତିଭୂମୀ ଥାଇ ଏଗୁଡ଼ିକର ରକ୍ଷଣାବେକ୍ଷଣ ଦିଗ ପ୍ରତି ସ୍ୱାସ୍ଥ୍ୟ ପ୍ରଶାସନ ଆଖି ବୁଜି ଦେଇଛି । ଅପରପକ୍ଷେ ଆବଶ୍ୟାକତା ନଥାଇ ମଧ୍ୟ ବିଭିନ୍ନ ନୂତନ ନିର୍ମାଣ କାର୍ଯ୍ୟ ପ୍ରତି ମାତ୍ରାଧିକ ଆଗ୍ରହ ଦେଖାଉଛି । ତେଣୁ ଏସବୁ ପ୍ରତି ଜିଲାପାଳ ଓ ଭଦ୍ରକ ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.