Home ଓଡ଼ିଶା ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାରରେ ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହେବା ପ୍ରସଙ୍ଗ : ଶୀତଳ...

ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାରରେ ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହେବା ପ୍ରସଙ୍ଗ : ଶୀତଳ ଭଣ୍ଡାରର ଗମ୍ଭୀର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି କୃଷକ ମୋର୍ଚ୍ଚା

237

– ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ
– ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ
– ଗଜା ହୋଇଥିବା ଆଳୁର କ୍ଷତିପୂରଣ ତୁରନ୍ତ ଦିଆଯାଉ
– ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ଫେଲ୍ ମାରିଛି

ଭୁବନେଶ୍ୱର, ୦୫/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା ହୋଇଥିବାବେଳେ ଏବେ ଶୀତଳଭଣ୍ଡାରର ସ୍ଥିତି ପୂରା ଦୟନୀୟ ଅବସ୍ଥାରେ ରହିଛି। ପୁରୀ ଜିଲ୍ଲାରେ ୧୧ଟି ବ୍ଲକ ଥିବା ବେଳେ ଅଛି ମାତ୍ର ଗୋଟିଏ ଶୀତଳ ଭଣ୍ଡାର। ଜିଲ୍ଲାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ପୂରା ଏବେ ବେହାଲ। ଫନି ବାତ୍ୟା ପରେ ରାଜ୍ୟ ସରକାର ବିଦ୍ୟୁତ ଯୋଗାଣ କରି ନପାରିବାରୁ ୪ ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି। ବାତ୍ୟା ପରେ ଜେନରେଟରର ବ୍ୟବସ୍ଥା ଥିଲେ ବି ଡିଜେଲ ଯୋଗାଇ ନଦେବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଶୀତଳ ଭଣ୍ଡାରର ସି୍ଥତି ଏବଂ ଚାଷୀଙ୍କ ସମସ୍ୟା ସଂର୍ପକରେ ଅନୁଧାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଶାତସଙ୍ଖ ଗସ୍ତ କରି ଆଳୁ କ୍ଷୟକ୍ଷତିର ଅନୁଧ୍ୟାନ କରିଛି।

ଶାସକ ବିଜେଡି ହେଉଛି ଚାଷ ଓ ଚାଷୀ ବିରୋଧୀ। ଆଳୁ ଚାଷୀ ଶୀତଳ ଭଣ୍ଡାରରେ ଆଳୁ ରଖିଲେ ବି ତାହା ସୁରକ୍ଷିତ ରହିପାରୁ ନାହିଁ। ରାଜ୍ୟସରକାର ଏବଂ ପ୍ରଶାସନର ଖାମଖିଆଳି ନୀତି ଯୋଗୁଁ ଆଜି ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି। ବାତ୍ୟାରେ ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା ପ୍ରଶାସନ କରିପାରିଲା ନାହିଁ। ପ୍ରାକୃତିକ ବିପର୍ଯ୍ୟୟର ଦୃଢ ମୁକାବିଲା କରିଥିବା କଥା କହୁଥିବା ରାଜ୍ୟସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି। ଶୀତଳଭଣ୍ଡାରର ଅଭାବ ଏବଂ ବେପରୁଆ ରକ୍ଷଣାବେକ୍ଷଣ ଯୋଗୁଁ ଆଳୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

୨୦୧୫-୧୬ ବର୍ଷରେ ୩୦ ହଜାର ହେକ୍ଟର ପରିବର୍ତେ ୧୬ ହଜାର ହେକ୍ଟର ଆଳୁ ଚାଷ କରାଯାଇ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ ୨୮ ହଜାର ମେଟ୍ରିକ ଟନ ସ୍ଥଳେ ମାତ୍ର ୨ ଲକ୍ଷ ୭୪ ହଜାର ଟନ ଫଳାଯାଇଥିଲା। ସେହିପରି ୨୦୧୬-୧୭ବର୍ଷରେ ୩ ଲକ୍ଷ ୨ ହଜାର ଟନ ଆଳୁ ଫଳିଥିବାବେଳେ ୨୦୧୭-୧୮ ବର୍ଷରେ ୨ ଲକ୍ଷ ୯୮ ହଜାର ଟନ ରହିଛି। ଏହି ସରକାରୀ ତଥ୍ୟରୁ ରାଜ୍ୟ ସରକାରଙ୍କ ଆଳୁ ମିଶନର ଉଦ୍ଦେଶ୍ୟ କେତେ ପୂରଣ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି। ରାଜ୍ୟରେ ଆଳୁମିଶନ ଅନୁଯାୟୀ ଯେତିକି ଆଳୁ ଉତ୍ପାଦନ କରିବାର ଲକ୍ଷ୍ୟ ରଖାାଇଥିଲା ତାହାର ଏକ ଚତୁର୍ଥାଂଶ ବି ଆଳୁ ଚାଷ ହୋଇପାରିଲା ନାହିଁ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ମାନଙ୍କରେ ଏହି ଶୀତଳଭଣ୍ଡାରରେ ଆଳୁ ଗଜା ହୋଇ ପଚିବାର ନଜିର ମଧ୍ୟ ରହିଛି। ଏହା ସତ୍ୱେ ବି ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଯାଇନାହିଁ। ର୍ଦୁଭାଗ୍ୟର ବିଷୟ ହେଉଛି ଯେ, ଗଜା ହୋଇଥିବା ଆଳୁ ବସ୍ତାକୁ ଚାଷୀମାନେ ଫେରାଇ ନେଉଥିବା ସମୟରେ ଶୀତଳଭଣ୍ଡାର କର୍ତ୍ତୃପକ୍ଷ ବସ୍ତା ପିଛା ୫୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ରାଜ୍ୟସରକାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ତଦନ୍ତ କରିବା ସହ ତୁରନ୍ତ ଆଳୁ ଚାଷୀମାନଙ୍କୁ ସେମାନଙ୍କ ଜମା ଅର୍ଥ ଫେରସ୍ତ ଦେବା ଏବଂ ଗଜା ହୋଇଥିବା ଆଳୁର କ୍ଷତିପୂରଣ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି। କ୍ଷତିପୂରଣ ପ୍ରଦାନ ନକରାଗଲେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଚାଷୀମାନଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦିଲିପ ସ୍ୱାଇଁ, ଯୁବନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଓ ପ୍ରଦୀପ ବାରିକ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.