Home ଜିଲ୍ଲା ପରିକ୍ରମା ସସ୍ମିତା ନିର୍ଯ୍ୟାତନା ମାମଲା, ପୁଅକୁ ଫେରିପାଇଲା ମା’

ସସ୍ମିତା ନିର୍ଯ୍ୟାତନା ମାମଲା, ପୁଅକୁ ଫେରିପାଇଲା ମା’

69

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ନାଆମୀ ପଂଚାୟତର ସାତଶୋଳା ଗ୍ରାମ ନିବାସୀ ନିତ୍ୟ ଚୈତନ୍ୟ ଖଣ୍ଡେଇଙ୍କ ପତ୍ନୀ ସସ୍ମିତାଙ୍କୁ ନିଜ ପୁତ୍ର ଠାରୁ ଅଲଗା କରାଯିବା ସହ ପ୍ରବଳ ମାଡ ମରାଯାଇଥିବା ଘଟଣାରେ ପୁଲିସ୍ ଆଜି ମଧ୍ୟାହ୍ନରେ ୩ ବର୍ଷର ପୁଅକୁ ମା’ ସସ୍ମିତାଙ୍କୁ ହସ୍ତାନ୍ତର କରିଛି । ସଂପର୍କୀୟଙ୍କ ସହାୟତାରେ ଶାଶୁଘର ଲୋକେ ୩ ବର୍ଷର ପୁତ୍ର ସ୍ପନ୍ଦନଙ୍କୁ ଆଜି ଦିନ ପ୍ରାୟ ୧୧ଟା ବେଳେ ଥାନାରେ ପହଞ୍ଚାଇବା ପରେ ପୁଲିସ୍ ସସ୍ମିତା ଓ ତାର ବାପ, ଭାଇ ଓ ଅନ୍ୟ ଭଦ୍ରଲୋକଙ୍କୁ ଥାନାକୁ ଡକାଇ ସସ୍ମିତାଙ୍କୁ ଜିମା ଦେଇଛି । ଖୁବ୍‌ଶୀଘ୍ର ଅଭିଯୁକ୍ତ ସ୍ୱାମୀ ନିତ୍ୟ ଚୈତନ୍ୟଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ଏତଲାରେ ଦର୍ଶାଯାଇଥିବା କେତେକ ବ୍ୟକ୍ତି ଘଟଣାସ୍ଥଳରେ ନଥିବା ନେଇ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିଥିବାର କହିଛି । ମାତ୍ର ପୁଲିସ୍‌ର କାର୍ଯ୍ୟଧାରାକୁ ନେଇ ସସ୍ମିତା ସମେତ ତାର ବାପଘର ଲୋକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପୁଲିସ୍ ରାଜନୈତିକ ଓ ଅନ୍ୟ କେତେକ କାରଣରୁ ପ୍ରଭାବିତ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଅବହେଳା କରୁଥିବାର ଅଭିଯୋଗ ହେବା ପରେ ପୁଲିସ୍ ସମାଲୋଚନାର ଶରବ୍ୟ ହୋଇଛି । ସସ୍ମିତାଙ୍କ ଶ୍ୱଶୁର ନାରାୟଣ ଖଣ୍ଡାଇ ବିଜୁ ଜନତା ଦଳର ସମର୍ଥନରେ ନାଆମୀ ସେବା ସମବାୟ ସମିତିର ସଭାପତି ଥିଲେ । ଏଣୁ କ୍ଷମତାସୀନ ଦଳୀୟ ନେତାଙ୍କ ଚାପ କିମ୍ବା ଅନ୍ୟ କୌଣସି କାରଣରୁ ପୁଲିସ୍ ଗିରଫଦାରୀକୁ ଏଡାଇ ଜାମିନ୍ ଆବେଦନ ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ସସ୍ମିତାର ବାପା ପରମାନନ୍ଦ ସାହୁ ଅଭିଯୋଗ କରିଛନ୍ତି । ପୁତ୍ର ସ୍ପନ୍ଦନକୁ ପାଇବା ପରେ ମା’ ସସ୍ମିତା ସାମାନ୍ୟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ମାତ୍ର ତାଙ୍କୁ ତୁରନ୍ତ ନ୍ୟାୟ ମିଳୁ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ସସ୍ମିତାଙ୍କୁ ଗତ ୨୦୧୭ ମସିହା ମଇ ମାସ ୭ ତାରିଖରେ ନିତ୍ୟ ଚୈତନ୍ୟ ବୈଦିକ ରୀତିରେ ବିବାହ କରିଥିଲେ । ମାତ୍ର ପରେ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି ସହ ଦ୍ୱିତୀୟ ବିବାହ କରିବା ପାଇଁ ନିତ୍ୟ ଚୈତନ୍ୟ ଧମକ ଦେବା ସହ ଯୌତୁକ ନିର୍ଯ୍ୟାତନା ଦେଇଥିଲେ । ଗତ ୮ ତାରିଖ ବିଳମ୍ବିତ ରାତିରେ ସସ୍ମିତାଙ୍କୁ ତାର ଶ୍ୱଶୁରଘର ଲୋକେ ମାଡମାରି ଗୁରୁତର ଆହତ କରିଥିଲେ । ଏହି ଘଟଣାରେ ସସ୍ମିତାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁ କରିଛି । ତେବେ ଶାଶୁ, ଶ୍ୱଶୁର ଓ ନଣନ୍ଦଙ୍କ ସହ ଅନ୍ୟ ସମସ୍ତେ ଜଡିତ ଥିବା ବିଷୟ ସସ୍ମିତା ଏତଲାରେ ଦର୍ଶାଇଥିବାବେଳେ ପୁଲିସ୍ ଏହାକୁ ଦୀର୍ଘଦିନର ଦାମ୍ପତ୍ୟ କଳହ ବୋଲି କହି ହାଲୁକା ଭାବରେ ଘଟଣାକୁ ନେଇଛି । ଇତିମଧ୍ୟରେ ଗତ ପ୍ରାୟ ମାସକ ତଳେ ନିତ୍ୟ ଚୈତନ୍ୟ ସେହି ଗ୍ରାମର ଜଣେ ଯୁବତୀଙ୍କୁ ନେଇଯାଇ ବିବାହ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.