Home କେନ୍ଦୁଝର ସଫଳ ମହିଳା ଚାଷୀ ବିଣାପାଣି , ସବୁଜ ଉଦ୍ୟାନ ସୃଷ୍ଟିକରି ସାଉଟୁଛନ୍ତି ପ୍ରସଂଶା

ସଫଳ ମହିଳା ଚାଷୀ ବିଣାପାଣି , ସବୁଜ ଉଦ୍ୟାନ ସୃଷ୍ଟିକରି ସାଉଟୁଛନ୍ତି ପ୍ରସଂଶା

121

ହାଟଡିହି-୨୫ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ବାଡିରେ ଧାଡି ଧାଡି ହୋଇ ଲାଗିଛି ବିଭିନ୍ନ କିସମର ଆମ୍ବଗଛ । ପାଖ ବଗିଚାରେ ବିଭିନ୍ନ କିସମର ଫୁଲ ଫଳ ଗଛ ମଧ୍ୟ ଶୋଭା ପାଉଛି । ଏକଦା ମରୁଭୁଇଁ ଥିବା ଗୋଟିଏ ନଣ୍ଡା ପାହାଡ ପାଖ ଜମିରେ ସବୁଜ ଉଦ୍ୟାନ ସୃଷ୍ଟିକରି ପ୍ରସଂଶା ସାଉଣ୍ଟୁଛନ୍ତି ବିଣାପାଣି । ହାଟଡିହି ବ୍ଲକ ପୋଡାସିଙ୍ଗିଡି ଗ୍ରାମର ବିଣାପାଣି ସାହୁ ଏକ ସାଙ୍ଗରେ ଜଣେ ସଫଳ ଗୃହିଣୀ ସହିତ ସଫଳ ଚାଷୀ ଭାବେ ଏବେ ଚର୍ଚ୍ଚାରେ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ବେଣୁଧର ସାହୁ ବୃତ୍ତିରେ ଜଣେ ଶିକ୍ଷକ । ସେ ଗତ ୧୯୯୯ମସିହାରେ ବଡରମ୍ପାସରୁ ଆସି ପନ୍ଦାଡୋ ପଞ୍ଚାୟତ ପୋଡାସିଙ୍ଗିଡି ଗ୍ରାମରେ ଜମିକିଣି ବାସବାସ ଆରମ୍ଭ କଲେ । ତାଙ୍କର ପିଲାଦିନରୁ ବୃକ୍ଷଲତା ପ୍ରତି ସ୍ୱତନ୍ତ ଆଗ୍ରହ ଥିବାରୁ ସେ ଯେଉଁଠିକୁ ଯାଆନ୍ତି ଗଛଟିଏ ସଂଗ୍ରହ କରି ଘରକୁ ଆଣିଥାନ୍ତି । ତାଙ୍କ ପତ୍ନୀ ବିଣାପାଣି ଗଛ ଗୁଡିକୁ ନିଜ ବାଡିରେ ସଯତ୍ନରେ ଲଗାଇ ତାହାକୁ ବଡକରିଥାନ୍ତି । ଗୋଟିଏ ବଡକଥା ହେଲା ଯେ ଗଛ ଲଗାଇବାବେଳେ ତାଙ୍କ ବାଡିରେ ପାଣିର କୌଣସି ସୁବିଧା ନଥିବାରୁ ବିଣାପାଣି ଏକ କିଲୋମିଟରରୁ ଉର୍ଦ୍ଧବାଟ ଯାଇ ଗରାରେ ପାଣିଆଣି ଗଛ ଗୁଡିକ ଉପରେ ପାଣିଢ଼ାଳିଥାନ୍ତି । ସେ ନିଜ ପିଲାମାନଙ୍କ ପରି ଗଛ ଗୁଡିକର ମଧ୍ୟ ଦାୟିତ୍ୱ ବୁଝୁଥିଲେ । ସ୍ୱାମୀ ସ୍କୁଲ କାମରେ ସବୁବେଳେ ବ୍ୟସ୍ତ ରହୁଥିବାରୁ ବିଣାପାଣି ସକାଳ ଠାରୁ ସନ୍ଧ୍ୟାଯାଏ ସେହି ଗଛଗୁଡିର ସେବାଯତ୍ନ ନେଇଥାନ୍ତି । ଏକଦା ମରୁଭୁଇଁ ସଦୃଷ୍ୟ ଜମିରେ ସେ ସବୁଜ ବନାନୀ ସୃଷ୍ଟି କରିପାରିଛନ୍ତି । ତାଙ୍କ ବାଡିରେ ସେ ବାଇଗଣ ପଲେଇ, ତୋଟା ପଲେଇ, ଆମ୍ରପଲ୍ଲୀ, ଦଶରି, ହିମ ସାଗର, ବମ୍ବେ ଗ୍ରୀନ ଭଳି ୩୦୦ରୁ ଉର୍ଦ୍ଧ ଆମ୍ବଗଛ ସାଙ୍ଗକୁ ଭଲ ପ୍ରଜାତିର ପିଜୁଳି, ସପେଟା, ପଣସ, ସପୁରି, ଲେମ୍ବୁ, କମଳା ଓ ଶହଶହ ସାଗୁଆନ, ଶିଶୁ ଆଦି ଗଛ ଲଗାଇଛନ୍ତି । ଗତ ୭/୮ବର୍ଷ ହେଲା ଶହଶହ କୁଇଣ୍ଟାଲ ଆମ୍ବ ଆମଦାନୀ ହେଉଛି । ଯାହାକୁ କି ଭଦ୍ରକ, ଭୁବନେଶ୍ୱର, କଟକ, ବାଲେଶ୍ୱର ଆଦି ସହରରୁ ଭଲ ଭଲ ବ୍ୟବସାୟୀମାନେ ଆସି ଗାଡି ଲଗାଇ କିଣିନେଇଥାନ୍ତି । ଯାହାଦ୍ୱାରା ସେ ବର୍ଷକୁ ୩ରୁ୪ଲକ୍ଷ ଟଙ୍କା ପାଇପାରୁଛନ୍ତି ବୋଲି ବିଣାପାଣି କହିଛନ୍ତି । ସେହିପରି ତାଙ୍କ ବଗିଚାର ଶୋଭାରାଜିକୁ ଉପଭୋଗ କରିବାପାଇଁ ଅନେକ ସମୟରେ ଅନେକ ସ୍ଥାନରୁ ପର୍ଯ୍ୟଟକ ମାନେ ବଣଭୋଜି କରିବା ପାଇଁ ଛୁଟିଆସୁଛନ୍ତି । ଏବେ ସେ ନିଜ ଉଦ୍ୟମରେ ବାଡିରେ ଦୁଇ ଦୁଇଟି ବ୍ରୟଲର କୁକୁଡାଫାର୍ମ କରିବା ସହିତ ଗୋଟିଏ ଦେଶୀ କୁକୁଡା ଫାର୍ମ କରିଛନ୍ତି । ଯେଉଁଥିରୁ ସେ ଭଲ ଦି ପଇସା ପାଇବାର ଆଶା ରଖିଛନ୍ତି ବୋଲି କହିଛନ୍ତି । ସେ ଦିନ ରାତି ଏହି ଗଛ ଗୁଡିକର ସୁରକ୍ଷା ଓ ଦାୟିତ୍ୱରେ ଏପରି ବ୍ୟସ୍ତ ରହିଯାଉଛନ୍ତି ଯେ ଦିନେ ଦିନେ ଖାଇବା ପିଇବା ଭୁଲି ଯାଆନ୍ତିବୋଲି କହିଛନ୍ତି । ଜଣେ ମହିଳା ହୋଇବି ଏପରି ଏକ ସୁନ୍ଦର ଫଳ ବଗିଚା ସୃଷ୍ଟି କରିପାରିଥିବାରୁ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.