Home ଆମ ପର୍ବ ପର୍ବାଣୀ ଶ୍ରୀ ଜୀଉମାନଙ୍କ ଅଣସର ନୀତି

ଶ୍ରୀ ଜୀଉମାନଙ୍କ ଅଣସର ନୀତି

32

କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ। ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ। ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ।

ଶ୍ରୀଅଙ୍ଗ ଫିଟା: ସ୍ନାନମଣ୍ଡପରେ ସ୍ନାନ ଦ୍ବାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ। ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ। ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ। ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା।

ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି। ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ।

ପଇତା ଲାଗି: ଅନସରରେ କେତେକ ସ୍ବତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ। ତାହା ଉପରେ ଚନ୍ଦନ ଲାଗି କରାଯାଏ। ଏହାକୁ ପଇତା ଲାଗି କୁହାଯାଏ। ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ।

ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ। ଏହାକୁ ମଧ୍ୟ ‘ଶ୍ରୀତୈଳ’ କୁହାଯାଏ। ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ। ବିଗ୍ରହରେ ଏହି ତେଲ ଘଷାଯାଏ।

ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ। ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ। ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ‘ଶ୍ରୀକାପଡ଼ା’ କୁହାଯାଏ।

ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀକାପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ। ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ।

ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ।ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି। ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି।

ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ। ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ।

ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ।

ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ : ଆଷାଢ଼ କୃଷ୍ଣ ଦ୍ଵାଦଶୀ: ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ବତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ। ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ। ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ। ଏହାକୁ ନିର୍ମାଲ୍ୟ କୁହାଯାଏ। ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି।

ଖଡି ପ୍ରସାଦ , ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ। ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ। ଏବଂ ଶଙ୍ଖକୁ ପୋଡି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ।

ବନକ ଲାଗି: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ଵଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି। ବନକ ଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ।

ଚକା ଅପସର: ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ। ଏହାକୁ ଚକା ଅସରପ ନୀତି କୁହାଯାଏ।ଏହି ଦିନ ହିଁ ଅଣସରରର ଶେଷ ଦିବସ।

ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ।

ଶ୍ରୀଜଗନ୍ନାଥଙ୍କ ଅଣସର ଦୁଇପ୍ରକାର ପାଳିତ ହୁଏ ଯଥା

୧. ସାଧାରଣ ଅଣସର।

୨. ମହା ଅଣସର।

୧-ସାଧାରଣ ଅଣସର, ଏହା ୧୫ ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚା ପୁର୍ବରୁ ପାଳିତ ହୁଏ।

୨-ମହା ଅଣସର, ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ। ତେବେ ମହା ଅଣସର ୪୫ଦିନ ପାଇଁ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ।

ବିଧି

ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ। କୁହାଯାଏ, ପୁଷ୍ପ ଅଳଙ୍କାରରେ ଆଚ୍ଛାଦିତ ହୋଇ ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅନବସର ଗୃହରେ ଅବସ୍ଥାନ କରନ୍ତି।ନବକଳେବର ପୂର୍ବରୁ ଏହି ବିଧି ମହା ଅଣସର ନାମରେ ଖ୍ୟାତ।

ମହା ଅଣସର ଦୁଇ ଭାଗରେ ବିଭକ୍ତ। ୧-ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସରେ ଯଜ୍ଞ ଚାଲିଥିବା ବେଳେ ସପ୍ତ ମଣ୍ଡପରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ଓ ମାଧବଙ୍କ ବିଗ୍ରହ ନିର୍ମାଣ ମଧ୍ୟ ସମ ଭାବରେ ଚାଲିଥାଏ। ବ୍ରହ୍ମ ପରିବର୍ତ୍ତନ ପର‌୍ୟ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ।

୨- ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ଚାଲିଥାଏ। ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦା ଠାରୁ ଆରମ୍ଭ ହୁଏ। ଏହି ଦିନଠାରୁ ନୂତନ ବିଗ୍ରହଙ୍କ ସପ୍ତାବରଣ ନୀତି ଆରମ୍ଭ ହୋଇଥାଏ। ଏହି ନୀତି ସହିତ କେବଳ ଦଇତାପତି, ପତି ମହାପାତ୍ର, ଓ ଦତ୍ତ ମହାପାତ୍ର ସେବକ ଅଙ୍ଗାଙ୍ଗୀଭାବେ ଜଡ଼ିତ ଥାଆନ୍ତି। ଏହା ସମ୍ପୁର୍ଣ୍ଣ ଗୁପ୍ତ ଲୀଳା। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ।

ମହା ଅଣସର ବେଳେ ରାଘବ ଦାସ ମଠ ତରଫରୁ ସର୍ବାଙ୍ଗପଂକ୍ତି ଭୋଗ ଲାଗି କରାଯାଏ।ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଆନ୍ତି।

ମହା ଅଣସର କାଳେ ନିର୍ମାଣ ମଣ୍ଡପରେ ଦିବ୍ୟ ଦାରୁଙ୍କ ପୂଜା ନୃସିଂହ ମନ୍ତ୍ରରେ କରାଯାଏ।

ଏହି ସମୟରେ ଖଡିଲାଗି ଏବଂ ବନକଲାଗି ନୀତି ସଂପନ୍ନ କରାଯାଏ।

ଏହି ସମୟରେ ବିଗ୍ରହମାନଙ୍କର ପରିବର୍ତ୍ତନ ହୁଏ।

ମହା ଅଣସର ପିଣ୍ଡି ବା ଗୃହ

ନବକଳେବରରେ ମହାପ୍ରଭୁଙ୍କର ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ମହା ଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ। ଗୃହରେ ପରିବେଷ୍ଠିତ ତାଟିକୁ ଅଣସର ତାଟି କୁହାଯାଏ। ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ। ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ଵାର ଥାଏ ଏହାକୁ ଧୁକୁଡ଼ି ଦ୍ଵାର କୁହାଯାଏ। ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତନୀତି ନିମନ୍ତେ ପ୍ରବେଶ କରିଥାନ୍ତି।

ସ୍ବାମୀ ଡଃ ଚିଦାନନ୍ଦ ବ୍ରହ୍ମଚାରୀ

ଅରିଲୋ, ଶିଶୁ ଅନନ୍ତ ଆଶ୍ରମ, ଜଗତସିଂହପୁର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.