Home ଜିଲ୍ଲା ପରିକ୍ରମା ଲକ୍‌ଡାଉନ୍ ପରେ ପୁଣି ବଜାରରେ ଶିଶୁ ଶ୍ରମିକ ସକ୍ରିୟ

ଲକ୍‌ଡାଉନ୍ ପରେ ପୁଣି ବଜାରରେ ଶିଶୁ ଶ୍ରମିକ ସକ୍ରିୟ

63

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ବାଇପାସ ଛକ ଅଞ୍ଚଳରେ ଚାଇଲ୍ଡଲାଇନ ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହାବ୍ୟତୀତ ଜଣେ ନାବାଳକ ଅତ୍ୟନ୍ତ ଅସହାୟ ଭାବେ ବୁଲୁଥିବା ସମୟରେ କର୍ତ୍ତୃପକ୍ଷ ତାକୁ ଉଦ୍ଧାର କରିଛି । ଶିଶୁ ଶ୍ରମିକ ଦୁଇ ଜଣ ପୌରାଞ୍ଚଳ ଅଧିନସ୍ଥ ପୁରୁଣାବଜାର ଅଞ୍ଚଳର ହୋଇଥିବାବେଳେ, ଅନ୍ୟଜଣେ ଚରମ୍ପା ତେଲଙ୍ଗା ପଟି ଅଞ୍ଚଳର ବୋଲି ଜଣାପଡ଼ିଛି । ଉଭୟ ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯିବା ପରେ ସେମାନଙ୍କୁ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ ସେମାନଙ୍କ ଅଭିଭାବକମାନେ କମିଟି ସମ୍ମୁଖରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଏହାପରେ ଶିଶୁ ମଙ୍ଗଳ କମିଟି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ଦିଆଯାଇଛି । ତେବେ ଭଦ୍ରକରେ ଶିଶୁ ଶ୍ରମିକ ଉଦ୍ଧାର ହେବା ଏକ ନୂଆ ଘଟଣା ନୁହେଁ । ଏହାପୂର୍ବରୁ ବହୁବାର ଚାଇଲ୍ଡଲାଇନ ପୁଲିସ ସହାୟତାରେ ବହୁ ସଂଖ୍ୟକ ଶିଶୁଙ୍କୁ ଉଦ୍ଧାର କରିଛି । ଅତୀତରେ ସରକାରୀସ୍ତରରେ ମୁସ୍କାନ ଓ ସ୍ମାଇଲ ପରି କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ବହୁ ସଂଖ୍ୟକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ଥଇଥାନ ପାଇଁ ସରକାରୀସ୍ତରରେ କୌଣସି ନିର୍ଦ୍ଧିଷ୍ଟ ଯୋଜନା ନଥିବାରୁ, ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସଂକଟ ମଧ୍ୟରେ ଗତି କରୁଛି । ଏହାବ୍ୟତୀତ ଶିଶୁ ଶ୍ରମିକ ପ୍ରଥା ଲୋପ ପାଇବା ସମ୍ଭବ ହୋଇ ପାରୁନି । ଏଠାରେ ସୂଚନାଯୋଗ୍ୟ ଶିଶୁ ସୁରକ୍ଷା ଅଧିକାର ଦିଗରେ ଜିଲ୍ଳାରେ ଏକାଧିକ ସଂସ୍ଥା କାର୍ଯ୍ୟ କରୁଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୁଲିସ, ଶିଶୁ ମଙ୍ଗଳ କମିଟି, ସମାଜ ମଙ୍ଗଳ, ଶ୍ରମ ବିଭାଗ ପରି ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ଶିଶୁ ଅଧିକାରର କିିଛି ଉତ୍ତରଦାୟିତ୍ୱ ରହିଛି । ହେଲେ ଉପରୋକ୍ତ ସଂସ୍ଥାଙ୍କ ମଧ୍ୟରେ ବିଭାଗୀୟ ସମନ୍ୱୟତାର ଅଭାବରୁ ଶିଶୁ ଶ୍ରମିକଙ୍କ ଭାଗ୍ୟ ଅନ୍ଧକାର ହୋଇଚାଲିଛି । ବାସ୍ତବରେ ଜିଲ୍ଲାରେ କେତେ ସଂଖ୍ୟକ ଶିଶୁ ଶ୍ରମିକ କାର୍ଯ୍ୟରତ ଅଛନ୍ତି ସେ ସମ୍ପର୍କରେ ମଧ୍ୟ ସରକାରୀସ୍ତରରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ । ତଥାପି ଏହା ୨ହଜାରରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି । ଲକଡାଉନ ସମୟରେ ଶିଶୁ ଶ୍ରମିକମାନଙ୍କୁ ଆଦୌ ଦେଖିବାକୁ ମିଳୁନଥିଲା । କିନ୍ତୁ ଲକଡାଉନ କଟକଣା ହଟିବା ପରେ ପୁଣି ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ ଶିଶୁ ଶ୍ରମିକମାନଙ୍କୁ ଦେଖିବାକୁ ମିଳିଲାଣି । ତେବେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ବ୍ୟକ୍ତିବିଶେଷ ଓ ବ୍ୟବସାୟିକ ସଂସ୍ଥାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଶ୍ରମ ବିଭାଗ ନିକଟରେ ରହିଥିଲେ ମଧ୍ୟ ଏହି ବିଭାଗ ଏଦିଗରେ ନୀରବ ରହୁଛି । ସୂଚନା ଅନୁଯାୟୀ ଶ୍ରମ ବିଭାଗ ପକ୍ଷରୁ ଏଯାବତ୍ ମାତ୍ର ୨ଟି ମାମଲା ରୁଜ୍ଜୁ ହୋଇଥିବାବେଳେ, କେତେକ ବ୍ୟବସାୟୀକ ପ୍ରତିଷ୍ଠାନଙ୍କୁ କେବଳ ନୋଟିସ ଲାଗିଛି । ଯଦି ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ପାଇଁ ଶିକ୍ଷା ଓ ଥଇଥାନର ବ୍ୟବସ୍ଥା ସରକାରୀସ୍ତରରେ କରାଯାଆନ୍ତା, ତେବେ ହୁଏତ ଏହି ଘୃଣ୍ୟ ପ୍ରଥାର ଅନ୍ତ ଘଟନ୍ତା । ଅପରପକ୍ଷରେ ଭଦ୍ରକ ଜିଲ୍ଲାକୁ ଏକ ଶିଶୁ ଶ୍ରମିକମୁକ୍ତ ଜିଲ୍ଲାରେ ପରିଣତ କରିବା ଦିଗରେ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଅନୁଭୂତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.