Home ଜଗତସିଂହପୁର ଲକ୍ଷ୍ମୀପ୍ରିୟାର ହତ୍ୟାକାରୀଙ୍କୁ ଗିରଫ ଦାବିରେ ଏସପିଙ୍କ ଅଫିସ୍ ଆଗରେ ଧାରଣାରେ ବସିଲେ କୁଞ୍ଜକୋଠି ଗ୍ରାମର ଶତାଧିକ...

ଲକ୍ଷ୍ମୀପ୍ରିୟାର ହତ୍ୟାକାରୀଙ୍କୁ ଗିରଫ ଦାବିରେ ଏସପିଙ୍କ ଅଫିସ୍ ଆଗରେ ଧାରଣାରେ ବସିଲେ କୁଞ୍ଜକୋଠି ଗ୍ରାମର ଶତାଧିକ ମହିଳା ଓ ପୁରୁଷ

125

ଜଗତସିଂହପୁର-୯/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଏରସମା କୁଞ୍ଜକୋଠି ଗ୍ରାମର ଝିଅ ଲକ୍ଷ୍ମୀପ୍ରିୟା ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଆସାମୀମାନଙ୍କୁ ତୁରନ୍ତ ଗିରଫ ଦାବି କରି ଶତାଧିକ ଗ୍ରାମବାସୀ ସୋମବାର ଦିନ ଏସପିଙ୍କ ଅଫିସ୍ ଆଗରେ ଧାରଣାରେ ବସିଥିଲେ। ଅଗଷ୍ଟ ୨୪ ତାରିଖରେ ଶାଶୁଘର ଲୋକେ ସଂଘବଦ୍ଧ ହୋଇ ଅତି ନୃସଂଶ ଓ ନିର୍ମମ ଭାବରେ ଲକ୍ଷ୍ମୀପ୍ରିୟାକୁ ହତ୍ୟା କରିଥିବା ବାପ ସମୀର ପ୍ରଧାନ ଏରସମା ଥାନାରେ ଏତଲା ଦେଇଥିଲେ। ପୋଲିସ ଆସାମୀମାନଙ୍କୁ ଗିରଫ କରିବା ପରିବର୍ତ୍ତେ ୫୦ ହଜାର ଟଙ୍କା ନେଇ କେଶ୍ ସମାଧାନ କରିବାକୁ ସମୀରକୁ କହୁଛନ୍ତି। ହଜାର ହଜାର ଲୋକ ମରୁଛନ୍ତି, ସେମିତି ତୁମ ଝିଅ ମରିଗଲା ତ କ’ଣ ଭାସିଗଲା ବୋଲି ଥାନା ଅଧିକାରୀ କହିଥିବା ସେ ସୂଚନା ଦେଇଛନ୍ତି। ଲକ୍ଷ୍ମୀପ୍ରିୟାର ଦୁଇଟି ୮ ବର୍ଷର ଜାଆଁଳା ପୁଅ ଅଛନ୍ତି। ମା’ର ହତ୍ୟାକାରୀଙ୍କୁ ଗିରଫ କରାଯିବା ଦାବିରେ ଏହି ଦୁଇ ପୁଅ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଥିଲା। ଏଥିପୂର୍ବରୁ ଅଗଷ୍ଟ ୪ ତାରିଖ ଦିନ ଶାଶୁଘର ଲୋକ କାଠ ଫାଳିଆରେ ପିଟି ପିଟି ଲକ୍ଷ୍ମୀପ୍ରିୟାକୁ ମାରିଦେବାର ଯୋଜନା କରିଥିଲେ। ସେ କୌଶଳକ୍ରମେ ସେମାନଙ୍କ କବଳରୁ ଖସିଆସି ଏରସମା ଥାନାରେ ଲିଖିତ ଅଭିଯୋଗ କରିଥିଲା। ଏରସମା ପୋଲିସ ଗୋଡା (ଆଉଁରୀ)ଗ୍ରାମର ଶାଶୁଘର ଲୋକଙ୍କୁ ଥାନାକୁ ଡକାଇ ତାଗିଦ କରିବା ସହ ଆପୋଷ ସମାଧାନ କରାଇଥିଲା। ସେହି ରାଗରେ ତାର ସ୍ବାମୀ ବାବୁଲି ଜେନା, ଦିଅର ରାଜେଶ, ଶାଶୁ ନିଆସୀ, ମଝିଆ ନଣନ୍ଦ ରୋଜାଲିନ ତାଙ୍କ ସ୍ବାମୀ ସୁରେଶ, ସାନ ନଣନ୍ଦ ଟୁକନି ତାର ସ୍ବାମୀ ବଳରାମ ସମସ୍ତେ ମିଶି ପିଟି ପିଟି ଲକ୍ଷ୍ମୀପ୍ରିୟାକୁ ମାରିଦେଇଥିବାର ଅଭିଯୋଗ କରିଛନ୍ତି ବାପ ସମୀର। ଏରସମା ପୋଲିସ ଆସାମୀମାନଙ୍କୁ ଘଣ୍ଟଘୋଡାଉ ଥିବାରୁ ସେ ନ୍ୟାୟ ପାଇଁ ଗ୍ରାମବାସୀଙ୍କ ସହ ଆସି ଏସପିଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ଆସାମୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଆର୍ ପ୍ରକାଶ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.