Home ଓଡ଼ିଶା ରାତିରେ ସରକାରୀ କାର୍ଯ୍ୟାଳୟରେ ବଢ଼ୁଛି ତାତି – ରଙ୍ଗ ମହଲ ଆସରରେ ବଳି ପଡ଼ୁଛନ୍ତି ପିଅନ-ରାତ୍ରି...

ରାତିରେ ସରକାରୀ କାର୍ଯ୍ୟାଳୟରେ ବଢ଼ୁଛି ତାତି – ରଙ୍ଗ ମହଲ ଆସରରେ ବଳି ପଡ଼ୁଛନ୍ତି ପିଅନ-ରାତ୍ରି ଜଗୁଆଳି

242

ବାଲେଶ୍ୱର, ୨୧-୭(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ କରୋନା ଭଳି ସଙ୍ଗୀନ ସ୍ଥିତିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରାତ୍ରିଯାପନ କରୁଥିବା କେତେକ ଅଧିକାରୀଙ୍କର ଦୌରାତ୍ମ୍ୟ ବିଭାଗରୀୟ ପିଅନ ଓ ନାଇଟ୍ ୱାଚରଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି। କିଛି ଅଧିକାରୀ ସରକାରୀ ପ୍ରଦତ୍ତ କ୍ୱାଟର୍ସରେ ନ ରହି ସାମୟିକ ଭାବେ କାର୍ଯ୍ୟାଳୟକୁ ନିଜର ବସାଘର ଭାବେ ବ୍ୟବହାର କରିଚାଲିଛନ୍ତି। ସଂଧ୍ୟାରେ ଅଫିସ ବନ୍ଦ ହୋଇଗଲା ପରେ ସେଠାରେ ଜମୁଥିବା ରଙ୍ଗମହଲର ଆସରରେ ରାତ୍ରି ଜଗୁଆଳି ଅତିଷ୍ଟ ହୋଇପଡ଼ୁଛନ୍ତି। ଏମିତିକି ମାତାଲି ଅଧିକାରୀଙ୍କଠାରୁ ଗାଳି ମାଡ଼ ଖାଇ ବି ସମ୍ପୃକ୍ତ ପିଅନ୍ ବା ନାଇଟ୍ ୱାଚର ମୁହଁ ଖୋଲିବାକୁ ସାହାସ କରୁପାରୁ ନାହାନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ। କାର୍ଯ୍ୟାଳୟରେ ରାତି ବିତାଉଥିବା ଦୁଇ ମାତାଲି ଅଧିକାରୀଙ୍କଠାରୁ ନିସ୍ତୁକ୍ ମାଡ଼ ଖାଇବା ପରେ ବି ବିଭାଗୀୟ ପଦସ୍ଥ ଅଧିକାରୀ ଏ ବାବଦରେ କିଛି ପଦକ୍ଷେପ ନ ନେବା ସମସ୍ତଙ୍କୁ ଚକିତ କରିଛି। ଏହି ବିଭାଗର ସଦର ଶାଖା ଏଏଫଓ(ସହକାରୀ ଫିସାରୀ ଅଫିସର) ବୀରବର ସେଠୀ ଓ ଖାରଜଳ ବିଭାଗ ଦାୟିତ୍ୱରେ ଥିବା ଏଏଫଓ ଜବାହାରଲାଲ ସେଠୀ ଗତ ମାର୍ଚ୍ଚ ମାସଠାରୁ ଏଡିଏମ ଛକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରାତ୍ରି ଯାପନ କରିଆସୁଛନ୍ତି। ସେମାନଙ୍କୁ ଘରଭଡ଼ା ମିଳୁଥିଲେ ବି ସେମାନେ ବାହାରେ ଭଡ଼ାଘରେ ରହିବା ପରିବର୍ତ୍ତେ ଅଫିସ ଛୁଟି ପରେ ସେଇଠାରେ ରହଛନ୍ତି। ସରକାରୀ ଲାଇଟ୍ ଓ ଏସସି ଚଳାଇ ପ୍ରତିଦିନ ରାତିରେ ମଦର ଆସର ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ରାତ୍ରି ଜଗୁଆଳି ମନୋଜ କୁମାର ଦାସଙ୍କୁ ସେମାନେ ବାଧ୍ୟ କରିଥା’ନ୍ତି। ଜଗୁଆଳି ଶ୍ରୀ ଦାସ ମଧ୍ୟ ସେମାନଙ୍କ ନିର୍ଦ୍ଦେଶକୁ ମାନି ମଦ ଆଣିବାଠାରୁ ଖାଦ୍ୟ ପରସିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥା’ନ୍ତି। ତେବେ ଗତ ୧୪ ତାରିଖ ରାତିରେ ଦୁଇ ଅଧିକାରୀ ‘ସେଠୀ ବ୍ରଦର୍ସ’ ଅତିମାତ୍ରାରେ ମାତାଲ ହୋଇ ମନୋଜକୁ ମାଡ଼ ମାରି ଅଫିସରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ମୁଖ୍ୟ ଦିଲ୍ଲୀପ କୁମାର ମହାନ୍ତିଙ୍କଠାରେ ମନୋଜ ଆପତ୍ତି କରିଥିଲେ ବି ସେ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପଚାପ୍ ସହିଯିବାକୁ ପରାମର୍ଶ ଦେଇଛନ୍ତି। ତେବେ କେବଳ ଫିସାରୀ କାର୍ଯ୍ୟାଳୟ ନୁହେଁ ବରଂ ସମଗ୍ର ଶିକ୍ଷା ଅଭିଯାନ, ଉଚ୍ଚଶିକ୍ଷା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭଳି ବହୁ ଅଫିସ ଏବେ ଅଧିକାରୀ ଓ କର୍ମଚାରୀଙ୍କର ଆବାସିକ କ୍ଷେତ୍ର ପାଲଟିଛି। ସରକାରଙ୍କ ପକ୍ଷରୁ କ୍ୱାର୍ଟର୍ସ ଯୋଗାଇ ଦିଆଯାଉଛି ଓ କ୍ୱାର୍ଟର୍ସ ପାଇନଥିବା ଅଧିକାରୀଙ୍କୁ ଘରଭଡ଼ା ବି ମିଳୁଛି। ଏହା ସତ୍ତ୍ୱେ ସେମାନେ କାର୍ଯ୍ୟାଳୟ ଛାଡ଼ିବାକୁ ରାଜି ନୁହନ୍ତି। ରାତି ହେଲେ ଏହିସବୁ ଅଫିସମାନଙ୍କରେ ଜମୁଥିବା ରଙ୍ଗମହଲର ଆସରକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ସବୁଜାଣି ମଧ୍ୟ ବିଭାଗୀୟ ଅଧିକାରୀମାନେ ଚୁପ୍ ରହବା ଫଳରେ ଏହି ପ୍ରସଙ୍ଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ମାତ୍ର ଏଥିରେ ବଳି ପଡ଼ୁଛନ୍ତି ବିଭାଗୀୟ ପିଅନ୍ ଓ ରାତ୍ରି ଜଗୁଆଳିମାନେ। ଏହି ଧାରା ବନ୍ଦ କରିବା ସହ ଅମାନିଆ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.