ad
ଓଡ଼ିଶା

ରାଜନୈତିକ ଛକାପଞ୍ଝାରେ ଡଃ  ମହତାବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାର ସ୍ୱପ୍ନ ଅଧୁରା ରହିବନି ତ ?

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ କେଶରୀ ଡଃ  ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ପକ୍ଷରୁ ତାଙ୍କ ନିଜ ଜନ୍ମମାଟି ଭଦ୍ରକ ଜିଲା ଆଗରପଡାରେ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଲାଗି ରହିଥିବା ୨ ବର୍ଷର ବିବାଦ ରାଜନୈତିକ ଛକାପଞ୍ଝାରେ ପେଶି ହୋଇଯାଇଛି। ଯେଉଁଥିପାଇଁ ପ୍ରଶାସନ ହରଡଘଣାରେ ପଡି ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି। ଫଳରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ଅନିଶ୍ଚିତତା ଜାରି ରହିଥିବାବେଳେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ପ୍ରତିମୂର୍ତ୍ତିଟି ସ୍ଥିର ହୋଇଥିବା ପ୍ରଥମ ସ୍ଥାନରୁ ହଟି ପର୍ଯ୍ୟାୟ କ୍ରମେ ୨ଟି ସ୍ଥାନ ପରିବର୍ତ୍ତନ ହେଲାଣି। ତେବେ ବି କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହିଁ ପ୍ରଶାସନ। ଏହାପଛରେ ରାଜନୀତିର ଗୋଳିଆ ପାଣି ମୁଖ୍ୟ ପ୍ରତିବନ୍ଧକ ବୋଲି ସମସ୍ତେ ଜାଣିଲେ ମଧ୍ୟ ବିଲେଇ ବେକରେ କିଏ ଘଣ୍ଟି ବାନ୍ଧିବା ଭଳି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ପ୍ରତିମୂର୍ତ୍ତି ବିବାଦୀୟ ସ୍ଥାନରୁ ହଟି ଅନ୍ୟ ଯେଉଁ ସ୍ଥାନରେ ସ୍ଥାପନ ହେବ ବୋଲି ପ୍ରଶାସନିକ ବୈଠକରେ ସ୍ଥିର ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯଦିଓ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ସ୍ମାରକୀ ପରିଷଦ ପ୍ରତ୍ୟାହାର କରିନେଇଛି। କିନ୍ତୁ ପ୍ରଶାସନିକ ବୈଠକର ନିଷ୍ପତ୍ତି ଅନୁଯାୟୀ କୁଆଁସମଢିଆ ଛକ ଓ କଲେଜ ଛକର ଅନ୍ୟ ଏକ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପୁଣି ବିବାଦ ଉଗ୍ରରୂପ ନେଇଛି। ଯେଉଁଥିପାଇଁ ପ୍ରଶାସନ କିଂ କର୍ତ୍ତବ୍ୟମୃଢ ହୋଇ କେବଳ ନୀରବଦ୍ରଷ୍ଟା ସାଜିଛି। ଏଠାରେ ସୂଚନାଯୋଗ୍ୟ ଚଳିତବର୍ଷ ଫେବୃୟାରୀ ୨୨ ତାରିଖରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଡଃ  ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଅଧ୍ୟକ୍ଷତା କରିଥିଲେ। ସାଂସଦ ମଂଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ, ନିର୍ବାହୀ ଯନ୍ତ୍ରୀ ରଶ୍ମି ବେହେରା, ପୂର୍ତ୍ତ ବିଭାଗ ନିର୍ବାହଯନ୍ତ୍ରୀ ଅମୀୟ ନାୟକ, ବନ୍ତ ତହସିଲଦାର ଓ ବିଡିଓଙ୍କ ସମେତ ସ୍ମାରକୀ ପରିଷଦ ସଭାପତି ପ୍ରଫେସର ଡଃ  ସନାତନ ମହାନ୍ତି, ସଂପାଦକ ଡଃ  ଭାଗବତ ତ୍ରିପାଠୀ, କୋଷାଧ୍ୟକ୍ଷ ବିଜୟ ମହାନ୍ତି, ସଭ୍ୟ ଡଃ  ସୁଧାଂଶୁ ଶେଖର ନାୟକ ଓ ପଦ୍ମନ ରାୟ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଆଗରପଡା ପ୍ରବେଶ ପଥ କୁଆଁସ ମଢିଆ ଛକରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ବିଧାୟକଙ୍କ ସହମତିରେ ଏହା ଆଗରପଡାର ପ୍ରବେଶପଥ କୁହାଯାଉଥିବା କୁଆଁସମଢିଆ ଛକରେ ଥିବା ସବ-ଷ୍ଟେସନ ସ୍ଥାନରେ ପ୍ରତିଷ୍ଠା ହେବାର ନିଷ୍ପତ୍ତି ହୋଇଥିଲା। ଯେଉଁଥିପାଇଁ ସବ-ଷ୍ଟେସନ ସ୍ଥାନାନ୍ତର ପରେ ବନ୍ତ ତହସିଲଦାର ପ୍ରତିମୂର୍ତ୍ତି ପ୍ରତିଷ୍ଠା ସ୍ଥାନକୁ ଚିହ୍ନଟ କରି ସ୍ମାରକୀ ପରିଷଦକୁ ହସ୍ତାନ୍ତର କରିବାର ସମସ୍ତ ପ୍ରସ୍ତୁତି ପର୍ବ ନିର୍ଦ୍ଧାରିତ ହୋଇଥିଲା। ଏବଂ ଏ ସମସ୍ତ କାର୍ଯ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶାନୁଯାୟୀ କୁଆଁସ ମଢିଆରୁ ଅଣିଜୋ, କାଉପୁର ଦେଇ ଭଦ୍ରକର ନୂଆକରି ନିର୍ମିତ ହେଉଥିବା ରାସ୍ତାର ନାମ ମହତାବ ମାର୍ଗ ରଖାଯିବ ବୋଲି ସ୍ଥିର ହୋଇଥିଲା। ଚଳିତ ଅଗଷ୍ଟ ମାସରେ ବନ୍ତ ତହସିଲ ପକ୍ଷରୁ ସ୍ଥାନ ନିରୂପଣ ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପାଦଭୂମି ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିବା ସମୟରେ କୁଆଁସ ମଢିଆର ସାଂସଦଙ୍କ ପ୍ରତିନିଧିଙ୍କ ଏକ ମାର୍କେଟ୍ କମ୍ପେ୍ଲକସ୍ ତାହା ନିକଟରେ ଥିବାରୁ ତାଙ୍କ ସମେତ କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ଫଳରେ ରାଜସ୍ୱ ନିରୀକ୍ଷକ ସ୍ଥାନ ମାପଚୁପ କରିନପାରି ଫେରିଆସିଥିଲେ। ପରେ ଏହି ଘଟଣା ସଂପର୍କରେ ସ୍ଥାନୀୟ ବିଧାୟକ ଜାଣିବା ପରେ ଏହାକୁ କୁପାରୀ ଛକକୁ ସ୍ଥାନାନ୍ତରିତ କରାଯିବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଉକ୍ତ ସ୍ଥାନଟି ୯ ଫୁଟ୍ ମଧ୍ୟରେ ସୀମିତ ଥାଇ ରାସ୍ତାଟିର ସଂପ୍ରସାରଣ ହେବ ବୋଲି ପୂର୍ତ୍ତ ବିଭାଗ ଜଣାଇବା ପରେ ସ୍ଥାନ ନିରୂପଣ ସ୍ୱପ୍ନ ଅଧୁରା ରହିଛି। ତେବେ ଏଠାରେ ପ୍ରଶ୍ନ ଉଠେ ପୂର୍ବ ନିର୍ଦ୍ଧାରିତ ଆଗରପଡା ମୁଖ୍ୟ ବଜାର ନିକଟରେ ଏହାକୁ ସ୍ଥାପନ ନକରି ଏଠାରୁ ମାତ୍ର ୭ ମିଟର ଦୂରରେ ସ୍ଥାପନା ନେଇ ମାପଚୁପ କରିବା ପଛରେ ଯେଉଁ ରାଜନୈତିକ ଅନିସନ୍ଧିତ୍ସୁ ରହିଛି, ତାହାକୁ ଆଗରପଡା ବାସୀ କେବେ କ୍ଷମା ଦେବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏବଂ ଉତ୍କଳ କେଶରୀ ଡଃ  ହରେକୃଷ୍ଣ ମହତାବଙ୍କ ଭଳି ଏକ ଯୋଗଜନ୍ମା ମହାପୁରୁଷଙ୍କ ବହୁ ପ୍ରତିମୂର୍ତ୍ତି ଏବେବି ରାଜ୍ୟ ତମାମ ରହିଥିବାବେଳେ ତାଙ୍କ ନିଜ ଜନ୍ମମାଟିରେ ହଟହଟା କରାଯିବାକୁ ଇତିହାସ କେବେ କ୍ଷମା ଦେବନାହିଁ ବୋଲି ଜନସାଧାରଣ ଆଲୋଚନା କରୁଥିବାର ଜଣାପଡିଛି। ଏବଂ ଏହି ପ୍ରତିମୂର୍ତ୍ତି ସ୍ମାରକୀ ପରିଷଦ ଦ୍ୱାରା ନହୋଇ ହୁଏତ ରାଜ୍ୟ ସରକାର କିମ୍ବା ପ୍ରଶାସନ ପକ୍ଷରୁ ନିର୍ମାଣ ହେବାର ନିଷ୍ପତ୍ତି ହୋଇଥିଲେ ତାହା ଏପର୍ଯ୍ୟନ୍ତ ଅଟକି ନଥାନ୍ତା ବୋଲି ଅନେକ କୁହାକୁହି ହେଉଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top