ad
ଓଡ଼ିଶା

ରାଜଧାନୀ ଭୁବନେଶ୍ୱର ଜଳବନ୍ଦୀର କାରଣ ଓ ନିରାକରଣ

– ସୁରେଶ କୁମାର ରାଉତରାୟ

ବିଗତ କିଛି ବର୍ଷ ହେବ ରାଜଧାନୀ ଭୁବନେଶ୍ୱର ସହ ତାହାର ଆଖପାଖ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ବ୍ୟାହତ ହୋଇ ଜଳବନ୍ଦୀ ସମସ୍ୟା ଉତ୍କଟ ରୂପ ଧାରଣ କରି ଜନଜୀବନ ବିପର୍ଯ୍ୟସ୍ତ ହେଉଥିବା ଦୁର୍ଭାଗ୍ୟର ବିଷୟ। ବଡ଼ ଦୁଃଖର ସହ କହିବାକୁ ପଡ଼ୁଛି ଚଳିତବର୍ଷ ବନ୍ୟାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ମନୁଷ୍ୟକୃତ ତ୍ରୁଟି ବିଚ୍ୟୁତି ବହୁ ପରିମାଣରେ ଦାୟୀ ଓ ପ୍ରଶାସନିକ କ୍ଷେତ୍ରରେ ସମନ୍ୱୟର ଅଭାବ ଓ ଅବହେଳା ଏହାର ମୁଖ୍ୟ କାରଣ। ବେଳ ଥାଉଥାଉ ଏହାର ପ୍ରତିକାର ନ କଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟାନକ ହେବ।

ମହାନଦୀ ତାହାର ଶାଖାନଦୀ କାଠଯୋଡ଼ି, ବିରୁପା, ପ୍ରଶାଖା ନଦୀ କୁଆଖାଇ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ରତ୍ନଚିରା ଆଦି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଅଛି। ସେହିଭଳି ସିଢୁଆ, ଦେବୀ, କନ୍ଦଳ, ବିଲୁଆଖାଇ, ଲୁଣା, ଚିତ୍ରୋତ୍ପଳା, ଭଣ୍ଡୁଆ ଆଦି ନଦୀ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି।

ଭୁବନେଶ୍ୱରର ପାଖ ଚନ୍ଦକା ଜଙ୍ଗଲରୁ ବାହାରିଥିବା ବୁଡ଼ନଦୀ, ଦାରୁଠେଙ୍ଗ, ନନ୍ଦନକାଳନ ପାଖ ଅଳସୁଆ ପାଟଗହୀର ରଘୁନାଥପୁର, ଭୁବନେଶ୍ୱର ପାଞ୍ଚ ପଞ୍ଚାୟତ ଦେଇ ମଞ୍ଚେଶ୍ୱର ଦୋମୁହିଁ ପାଖରେ କୁଆଖାଇରେ ମିଶିଛି। ଏହା ବ୍ୟତୀତ ପୁରାଣ ପ୍ରସିଦ୍ଧ ଗନ୍ଧବତୀ ବା ଗଙ୍ଗୁଆନଦୀ ଓ ତା’ ସହିତ ୧୦ଗୋଟି ପ୍ରାକୃତିକ ଝରଣା ଭୁବନେଶ୍ୱର ସହର ମଧ୍ୟ ଦେଇ ତଳକୁ ପ୍ରବାହିତ ହୋଇ ଗଙ୍ଗୁଆ ଓ ଦୟାନଦୀରେ ମିଶିଅଛି। ଏତଦ୍ବ୍ୟତୀତ ଚନ୍ଦକା ଅଞ୍ଚଳର ଆଉ କେତେକ ଜଳଧାରା ପ୍ରବାହିତ ହୋଇ ତାହା ଉପରେ ଝୁମୁକା, କୁମାରଖୁଣ୍ଟି ଓ ଡେରାସ୍ ଜଳଭଣ୍ଡାର ନିର୍ମାଣ ହୋଇ ଜଳସେଚନ ବ୍ୟବସ୍ଥା ଓ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ୱର୍ଗତ ମହତାବ ଓ ସ୍ୱର୍ଗତ ବିଜୁବାବୁଙ୍କ ସମୟରେ ନିର୍ମାଣ ହୋଇଛି। ବରୁଣେଇ ପାହାଡ, ହଳଦିଆ, ତିରିମଲ୍ଲ ଅଞ୍ଚଳ ସହ ଖଣ୍ଡଗିରିଠାରୁ ଆରମ୍ଭ କରି ଖୋର୍ଦ୍ଧା ପର୍ଯ୍ୟନ୍ତ ବହୁ କ୍ଷୁଦ୍ରନଦୀ, ଝରଣା ଓ ପ୍ରାକୃତିକ ନାଳ ବହିଯାଇ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ସହ ଏହା ଗଙ୍ଗୁଆ ଓ ଦୟା ନଦୀରେ ମିଶିଅଛି। ଫୁଲନଖରା ଛକଠାରୁ ବାହାରିଥିବା ପ୍ରାଚୀ ନଦୀ ଓ ଭିଙ୍ଗାରପୁର ରାମଚନ୍ଦ୍ରପୁରଠାରୁ ଓ ଜାତୀୟ ରାଜପଥ ନଂ-୧୬ର ରୁଦ୍ରପୁରଠାରୁ ବାହାରିଥିବା ସଫେଇ ନାଳ ପ୍ରାଚୀନଦୀ ସହ ମିଶି ଏହା କାକଟପୁର ଅସ୍ତରଙ୍ଗ ଦେଇ ସମୁଦ୍ରରେ ମିଶିଅଛି। କଟକଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଆସୁଥିବା ମହାନଦୀ ତ୍ରିକୋଣଭୂମି ଅଞ୍ଚଳର ନଦନଦୀ ରାଜାରାଜୁଡା ଅମଳରୁ ସୁଚାରୁରୂପେ ପ୍ରବାହିତ ହୋଇ ସମୁଦ୍ରରେ ମିଶୁଥିଲା ଓ ବନ୍ୟା ବିତ୍ପାତ ମଧ୍ୟ ବିଶେଷ ନଥିଲା।

ବର୍ତ୍ତମାନ ଉପଯୁକ୍ତ ପରିଚାଳନା ଅଭାବରୁ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉତ୍କଟ ରୂପ ଧାରଣ କରିଛି ଓ ଲୋକେ ଯମ ଯନ୍ତ୍ରଣା ଭୋଗ କରୁଛନ୍ତି। ମହାନଦୀର ନରାଜ ମୁଣ୍ଡଳୀଠାରୁ ଆରମ୍ଭ କରି, ଦାରୁଠେଙ୍ଗ, ନନ୍ଦନକାନନ, ଚନ୍ଦକା, ପଟିଆ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଅଞ୍ଚଳରୁ ପ୍ରବାହିତ ପାରମ୍ପରିକ ପ୍ରାଚୀନ ପ୍ରାକୃତିକ ଝରଣାକୁ ପୋତି ଦିଆଯାଇ ଗୃହ ନିର୍ମାଣ କରାଯିବା ଯୋଗୁଁ ସାମାନ୍ୟ ବର୍ଷାରେ ଭୁବନେଶ୍ୱର ସହ ପାଶ୍ୱବର୍ତ୍ତୀ ଅଞ୍ଚଳ ଜଳାର୍ଣ୍ଣବ ହୋଇ ଲୋକେ ନାହିଁ ନଥିବା ହୀନସ୍ତା ଭୋଗ କରୁଥିବାରୁ ସରକାରୀ ଅପାରଗତା ରାସ୍ତାଘାଟ ଛକ, ବଜାର ଓ ହାଟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହାର ପ୍ରତିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

କୁଆଖାଇ ନଦୀ, ଦୟା ୱେଷ୍ଟ କେନାଲ୍ ମଧ୍ୟବର୍ତ୍ତୀ ଅଞ୍ଚଳ, କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ୍, ଜାତୀୟ ରାଜପଥ-୧୬, ପୁରୁଣା ଜଗନ୍ନାଥ ସଡ଼କ, ପ୍ରାଚୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଜଳ ନିଷ୍କାସନ ପଥ ଅବରୋଧ କରି ନିର୍ମାଣ କରିବା ଯୋଗୁଁ ସଂପୃକ୍ତ ଅଞ୍ଚଳ ଜଳବନ୍ଦୀ ହେଉଛି। ସେହିଭଳି ଜଳ ନିଷ୍କାସନ ପଥ ଅବରୋଧ କାରଣରୁ ଜଟଣୀ ନିର୍ବାଚନ ମଣ୍ଡଳୀର ଦାରୁଠେଙ୍ଗ, ଅନ୍ଧାରୁଆ, ଚନ୍ଦକା, ପାଇକରାପୁର, ମେଣ୍ଢାଶାଳ, କଣ୍ଟାବାଡ଼ ସହ ହଳଦିଆ ପର୍ଯ୍ୟନ୍ତ, ଖଣ୍ଡଗିରିଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ଅଞ୍ଚଳ, କପିଳପ୍ରସାଦଠାରୁ କୁହା, କଣ୍ଟିଲୋ, ବୋତଣ୍ଡା, ନିରଞ୍ଜନପୁର ଦେଇ ଜଟଣୀ ପର୍ଯ୍ୟନ୍ତ ଅଞ୍ଚଳ ସହିତ ଧଉଳୀ ପାଶ୍ୱର୍ବର୍ତ୍ତୀ ଓ ପିପିଲି ଅଞ୍ଚଳ ଜଳବନ୍ଦୀ ହୋଇଛି, ଯାହା ଚଳିତ ବନ୍ୟାରେ ପ୍ରତିଫଳିତ। ପର୍ଯ୍ୟଟନକ୍ଷେତ୍ର ନନ୍ଦନକାନନର କାଞ୍ଜିଆ ହ୍ରଦରୁ ମଧ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ।

କୁଆଖାଇ ନଦୀର ବଇଁଚୁଆ କାଜ, ଅଚ୍ୟୁତପୁର କାଜ, ଧନୁଆ ମୁହଁ ଅବରୋଧ ହୋଇ ଜଳବନ୍ଦୀ ହେଉଛି। ଏହାର ପ୍ରତିକାର ପାଇଁ କାହାରି ସାମାନ୍ୟତମ ଚେଷ୍ଟା ମଧ୍ୟ ନାହିଁ। ସମସ୍ତ ନଦୀ ମୁହଁ, ପ୍ରାକୃତିକ ନାଳକୁ ବିକି ଦିଆଗଲାଣି, ସେଥିପାଇଁ କାହାରି ନଜର ମଧ୍ୟ ନାହିଁ। ଏହାର ପ୍ରତିକାର ପାଇଁ ଜଳସମ୍ପଦ ବିଭାଗ ସଚିବ, ରାଜସ୍ୱ ନଗର ଉନ୍ନୟନ ବିଭାଗ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ, ଡିଜାଇନ୍ ଓ ଅନ୍ୟ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାପାଳଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆହ୍ୱାନ କରି ଏଥିରେ ବାଙ୍କୀ, କଟକ ସଦର, ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର, ଜଟଣୀ, ଖୋର୍ଦ୍ଧା, ପିପିଲି ଓ ଜୟଦେବ ବିଧାୟକଙ୍କୁ ସାମିଲ୍ କରି ସେହି ବୈଠକର ଆଲୋଚନାର ନିର୍ଯ୍ୟାସ ଆଧାରରେ ଏକ ସ୍ୱତନ୍ତ୍ର ଟିମ୍କୁ ନେଇ ପ୍ରତ୍ୟେକ ନଦୀ ଓ ଝରଣାର ମାପଚୁପ କରି ଅବରୋଧ ହଟାଇ ତାହାକୁ ଜଳ ନିଷ୍କାସନ ଧର୍ମୀ କରିବାର ବ୍ୟବସ୍ଥା କରାଯାଉ।

ମହାନଦୀର ମୁଣ୍ଡଳୀଠାରୁ ବାହାରିଥିବା ଦୟା ୱେଷ୍ଟ କେନାଲ୍, ପଟିଆ, ଭୁବନେଶ୍ୱର ମହାନଗର ନିଗମ ଓ ଜଟଣୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବ୍ୟାପକ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ସହ ଏହାର ଜଳ ପ୍ରବାହ ଯୋଗୁଁ ରାଜଧାନୀର ଭୂତଳ ଜଳସ୍ତର ପୁନଃ ଭରଣ ହୋଇ କୁଅ, ପୋଖରୀ ବର୍ଷସାରା ଜଳପୂର୍ଣ୍ଣ ହେଉଥିଲା। ଏହି କେନାଲ୍କୁ ଅବିଚାରିତ ଭାବରେ ପୋତିଦେଇ ଏହାର ଜଳ ପ୍ରବାହ ଝାରପଡ଼ାଠାରୁ ବନ୍ଦ ହୋଇଯାଇଅଛି। ସମଗ୍ର ଭୁବନେଶ୍ୱରର ଆବର୍ଜନା ଜଳକୁ ଏହା ମଧ୍ୟକୁ ନିକ୍ଷେପ କରିବା ଯୋଗୁଁ ଏହି କେନାଲ୍ ଜଳ ପ୍ରଦୁଷିତ ହୋଇ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ମଶା ବଂଶ ବୃଦ୍ଧିରେ ସହାୟକ ହୋଇଛି। ଏହି କେନାଲ୍କୁ ପୁନଃଉଦ୍ଧାର କରି ଜଳ ପ୍ରବାହଗାମୀ କରିବା ଆବଶ୍ୟକ।

ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଚାଷ ଜମି ଉପରେ ହେଉଥିବା ନିର୍ମାଣ ପୂର୍ବରୁ ଜଳସେଚନ ବିଭାଗ ଡ୍ରେନେଜ୍ ୱିଙ୍ଗ୍ର ଅନୁମୋଦନ ବାଧ୍ୟତାମୂଳକ କରାଯାଉ। ଯାହାଫଳରେ ନିର୍ମାଣଗତ ତ୍ରୁଟି ପାଇଁ ଜଳବନ୍ଦୀ ସମସ୍ୟା ଦୂରୀଭୂତ ହୋଇ ଜଳ ପ୍ରବାହ ସୁଗମ ହୋଇପାରିବ।

ଚଳିତ କରୋନା ସଂକ୍ରମଣ ସ୍ଥିତିରେ କରୋନା ପରିଚାଳନା ପାଇଁ ସରକାର ସଚିବାଳୟ ସହକାରୀ ଉପବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ଅଧିକାରୀଙ୍କୁ ସାମିଲ୍ କରିଛନ୍ତି। ଏହି ଜଳନିଷ୍କାସନ ସମସ୍ୟା ଅନୁଧ୍ୟାନ ପାଇଁ ବିଭାଗୀୟ ଯନ୍ତ୍ରୀ, ଘଙ୍ଗାପାଟଣା ରାଜସ୍ୱ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ତାଲିମ୍ ନେଇଥିବା ରାଜସ୍ୱ ଅଧିକାରୀ, ରାଜଧାନୀ ଆଖପାଖରେ ଗଢ଼ି ଉଠିଥିବା ବିଭିନ୍ନ ଇଂଜିନୟରିଂ କଲେଜର ସିଭିଲ୍ ଇଂଜିନିୟରିଂ, ଆର୍କିଟେକ୍ଟ ଛାତ୍ରଛାତ୍ରୀଙ୍କୁ ନେଇ ସମସ୍ତ ଅଞ୍ଚଳ ରାଜସ୍ୱ ଅଧିକାରୀ, ଜଳସମ୍ପଦ, ପୂର୍ତ୍ତ ଓ ପୌରଯନ୍ତ୍ରୀଙ୍କୁ ନେଇ ସର୍ବେକ୍ଷଣ ବ୍ୟବସ୍ଥା କରାଗଲେ ଏହି ସମସ୍ୟା ସବୁଦିନ ପାଇଁ ସମାଧାନ ହୋଇପାରିବ।

ଖୋର୍ଦ୍ଧାଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥ-୫ ଏବେ ଜାତୀୟ ରାଜପଥ-୧୬ ପାଶ୍ୱର୍ରେ ରାଜାରାଜୁଡା ଅମଳରୁ ପ୍ରଶସ୍ତ ନୟନଜୋରୀ ଥିଲା, ଯାହା ଜଳ ନିଷ୍କାସନରେ ସହାୟକ ହେଉଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଉଭୟ ପାଶ୍ୱର୍ରେ ଜଳନିଷ୍କାସନ ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେଇ ଜାତୀୟ ରାଜପଥ ପ୍ରାଧୀକରଣ ତରଫରୁ ଦୂରଦୃଷ୍ଟି ବିହୀନ ଅପରିଣାମଦର୍ଶୀ ଭାବରେ ନୟନଜୋରୀ ପୋତି ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଉଭୟ ପାଶ୍ୱର୍ର ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆ ନଯିବା କାରଣରୁ ଜାତୀୟ ରାଜପଥ ୧୬ର ଖୋର୍ଦ୍ଧାଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ଜଳବନ୍ଦୀ ହୋଇ ଜଳ ନିଷ୍କାସନରେ ବାଧକ ସୃଷ୍ଟି ହୋଇ ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହି ଫସଲ ନଷ୍ଟ ହେବା ସହ ଗାଁ ଗଣ୍ଡା ପାଣି ଘେରରେ ରହି ଲୋକଙ୍କ ବାଡ଼ିବଗିଚା ବୁଡ଼ି ଚାଷ ଉଚ୍ଛେଦ ହୋଇଛି। ଅପରପକ୍ଷେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ତଳମୁଣ୍ଡରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ କରି ସେମାନେ ଜାତୀୟ ରାଜପଥର ନିଜସ୍ୱ ଜଳ ନିଷ୍କାସନ ପାଇଁ ଉପରେ ଡ୍ରେନ୍ ନିର୍ମାଣ କରୁଛନ୍ତି। ତେଣୁ ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧୀକରଣ ତରଫରୁ ହୋଇଥିବା ଗୁରୁତର ତ୍ରୁଟି ବିଚ୍ୟୁତି ପାଇଁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଲୋକଙ୍କ ଜୀବନ ଜୀବିକାକୁ ବ୍ୟାହତ କରିଥିବାରୁ ତାଙ୍କ ତରଫରୁ ଉଭୟ ପାଶ୍ୱର୍ରେ ତଳପାଖରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉ। ଯଦି ସେମାନେ ଏଥିରେ ଏକମତ ନହୁଅନ୍ତି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାଏର କରାଯାଇ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଉ।

ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ପଥରେ ଗୃହନିର୍ମାଣ ପ୍ରକଳ୍ପ ଓ ଗୋଦାମ ଘର, ବିଭିନ୍ନ ହୋଟେଲ୍, ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ପାଇଁ ବେଆଇନ୍ ଭାବେ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ଦ୍ୱାରା ପ୍ରକଳ୍ପ ଅନୁମୋଦନ ହୋଇଛି, ଯାହାଫଳରେ ଜଳନିଷ୍କାସନ ବାଧାପ୍ରାପ୍ତ ହେଉଛି ଏବଂ ଆଉ କେତେକ ବିନା ଅନୁମୋଦନରେ ଜଳ ନିଷ୍କାସନ ପଥ ଅବରୋଧ କରି ନିର୍ମାଣ କରିଛନ୍ତି ଏହାକୁ ତଦନ୍ତ ପରିସରକୁ ଆଣି ଜଳ ନିଷ୍କାସନ ପଥରେ ଥିବା ନିର୍ମାଣକୁ ହଟାଇ ଜଳ ନିଷ୍କାସନ ସୁଗମ କରାଯାଉ ଏବଂ ଯେଉଁମାନେ ନିର୍ମାଣ କରି ଜଳ ଅବରୋଧ କରିଛନ୍ତି ସେହି ଅବରୋଧକାରୀଙ୍କ ଦ୍ୱାରା ସେମାନଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉ ଏବଂ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୁହଁକୁ ନ ଚାହିଁ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ବେଆଇନ୍ ନିର୍ମାଣ ହଟାଇ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପାଦନ କରାଯାଉ ଓ ବେଆଇନ୍ ଅନୁମୋଦନ କରିଥିବା ଅଧିକାରୀଙ୍କ ଉପରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର କୁଆଖାଇ, ପୁରୀ ମୁଖ୍ୟ କେନାଲ, ଜାତୀୟ ରାଜପଥ, ପ୍ରାଚୀନଦୀ, ପୁରୁଣା ଜଗନ୍ନାଥ ସଡ଼କ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥବା ପୁରୀ ମୁଖ୍ୟ କେନାଲର ଅଣ୍ଡିଲୋ, ହରିଦାସପୁର, ନହରକଣ୍ଟା, ନୂଆପାଟରା, ସାଇଫନ୍, ଜାତୀୟ ରାଜପଥର ରୁଦ୍ରପୁର, ଜାଉଳି ଶଙ୍ଖ, ଜୟପୁର, ତଲଉଶଙ୍ଖ, ପାହାଳ ଶଙ୍ଖ ଓ କୁଣ୍ଡିତରାପାଟଣା ଶଙ୍ଖ ମୁହଁ ଅବରୋଧ କରି ନିର୍ମାଣ କରାଯିବା ଯୋଗୁଁ ଜଳ ନିଷ୍କାସନ ହୋଇପାରି ସମ୍ପୃକ୍ତ ଅଞ୍ଚଳ ବର୍ଷବର୍ଷ ଧରି ଜଳବନ୍ଦୀ ହୋଇ ଚାଷ ଉଜୁଡୁଛି ଓ ଲୋକଙ୍କ ଘରଦ୍ୱାର ପାଣି ଘେରରେ ରହୁଛି। ଏହି ଅଞ୍ଚଳର ଜଳ ନିଷ୍କାସନ ପଥ ମୁହଁରେ ଥିବା ଅବରୋଧ ହଟାଇ ଜଳ ନିଷ୍କାସନ ସୁସଂହତ କରାଯାଉ। ଏହା ବ୍ୟତୀତ ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀକୁ ବିକ୍ରି କରି ଜଳ ଅବରୋଧ ହୋଇଛି ଫୁଲନଖରାଠାରୁ ତାହାର ମୁହାଁଣ ପର୍ଯ୍ୟନ୍ତ ପ୍ରାଚୀ ନଦୀକୁ ଅବରୋଧ ମୁକ୍ତ କରାଯାଉ।

ଖୋର୍ଦ୍ଧାଠାରୁ ଚଣ୍ଡିଖୋଲ, ଭୁବନେଶ୍ୱର ଠାରୁ ସାକ୍ଷୀଗୋପାଳ, ଭୁବନେଶ୍ୱରଠାରୁ ମୁଣ୍ଡଳୀ ଅଞ୍ଚଳ ସହ ଖୋର୍ଦ୍ଧା, ଜଟଣୀ, ପିପିଲି, ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ବାରଙ୍ଗ, କଟକ ସଦର, କଣ୍ଟାପଡ଼ା, ଜଗତ୍ପୁର ତହସିଲ ଅଞ୍ଚଳରେ ଚାଷ ଜମି ଉପରେ ବ୍ୟାପକ ଗୃହନିର୍ମାଣ ଯୋଗୁଁ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହେଇଛି। ଭୂସଂସ୍କାର ଆଇନ୍ ଅନୁଯାୟୀ ଜମିର କିସମ ପରିବର୍ତ୍ତନ ସମୟରେ ପଛପାଖ ଜମିକୁ ବାଟ ବ୍ୟବସ୍ଥା, ଜଳ ସେଚନ, ଜଳ ନିଷ୍କାସନ ଅତୁଟ ସହ ପାର୍ଶ୍ୱ ଜମିର ମୌଳିକତା ରକ୍ଷା ପାଇଁ ଆପଣ ନିଜେ ନିୟମ ପ୍ରଣୟନ କରିଥିବା ବେଳେ କିଛି ନେତା ଜମି ମାଫିଆ, ଗୋଦାମଘର ମାଲିକ, ବିଲଡର୍ସଙ୍କ ସହ ହାତ ମିଳେଇ ପଛପାଖ ଜମିକୁ ବାଟ ନଦେଇ ତହସିଲ୍ଦାରମାନେ ଜମିର କିସମ ପରିବର୍ତ୍ତନ କରୁଛନ୍ତି ଓ ଜମିର କିସମ ପରିବର୍ତ୍ତନ ସଙ୍ଗେସଙ୍ଗେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ମହାନଗର ନିଗମ ତରଫରୁ ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ହୋଇଯାଉଛି। ଚାଷୀମାନଙ୍କ ଭାତହାଣ୍ଡି ସଦୃଶ ଚାଷ ଜମି ଅବରୋଧ ହେଉଛି, ବାଧ୍ୟହୋଇ ସେମାନେ ନିଜ ଭାତହାଣ୍ଡି ସଦୃଶ ଚାଷ ଜମିକୁ ଶାଗମାଛ ମୂଲ୍ୟରେ ବିକୁଛନ୍ତି। ଯେଉଁମାନେ ବିକ୍ରି କରୁନାହାଁନ୍ତି ମାଫିଅମାନେ ତାଙ୍କୁ ଧମକାଇ ଜମି ଜବରଦଖଲ କରୁଛନ୍ତି। ତେଣୁ ପ୍ରତ୍ୟେକ ଜମିକୁ ବାଟ ବ୍ୟବସ୍ଥା ପାଇଁ ସରକାର କଠୋର ପଦକ୍ଷେପ ନେବା ସହ ଯେଉଁ ଜମି ଅବରୋଧ ହୋଇଛି ସେହି ଜମିକୁ ବାଟ ବ୍ୟବସ୍ଥା ସହ ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ଅତୁଟ ପାଇଁ ପଦକ୍ଷେପ ନେବା ଆବଶ୍ୟକ।

ଖୋର୍ଦ୍ଧା ଜିଲ୍ଲାରେ ଚାଷଜମି ଅବରୋଧ ଘଟଣାର ସମାଧାନ ପାଇଁ ପୂର୍ବରୁ ରାଜସ୍ୱ ବିଭାଗ ତରଫରୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି କମିଟି ବୈଠକ ବସିନାହିଁ କି ଅବରୋଧ ହୋଇଥିବା ଜମିକୁ ବାଟ ବ୍ୟବସ୍ଥା କରାଯାଇନାହିଁ। ଯଦି ଚାଷୀମାନଙ୍କ ଜମିକୁ ବାଟ ବ୍ୟବସ୍ଥା ନ ହୁଏ, ଆଗାମୀ ଦିନରେ ଋଣ ପାଇଁ ନୁହେଁ, ଚାଷୀମାନେ ଜମିକୁ ଚାଷ କରିବାକୁ ଯିବାକୁ ବଞ୍ଚିତ ହୋଇ ଯେକୌଣସି ଚରମ ପଦକ୍ଷେପ ନେଇପାରନ୍ତି। ସେଥିପାଇଁ ସରକାର ସଚେତନ ହେବା ଆବଶ୍ୟକ।

ଚକବନ୍ଦୀ ଜମିକୁ ଭାଗଭାଗ କରି ବିକ୍ରୟ କରିବାକୁ ସରକାରୀ ନିୟମ ପ୍ରଣୟନ ପୂର୍ବରୁ ବହୁ ସ୍ଥାନରେ ଚକକୁ ଭାଗ ଭାଗ କରି ଅଂଶ ବିକ୍ରୟ କରି ତାହାର ଦାଖଲ ଖାରଜ ହୋଇଛି। ଏହି ନିୟମ ପ୍ରଣୟନ ପୂର୍ବରୁ ବେଆଇନ୍ ଭାବେ ଚକର ଅଂଶ ବିକ୍ରୟ ଦଲିଲ୍କୁ ଖାରଜ କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶନାମା ପ୍ରଦାନ କରାଯାଉ। ଆବଶ୍ୟକସ୍ଥଳେ ଦୁର୍ନିତୀ ନିବାରଣ ବିଭାଗ ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଉ।

ବର୍ତ୍ତମାନ ବିଲଡରସ୍ ଓ ଜମି ମାଫିଅମାନେ ରାସ୍ତାପାଖ ଜମି କିଣିନେଇ ପଛପାଖ ଜମିକୁ ବାଟ ବନ୍ଦ କରୁଛନ୍ତି ଏବଂ ପଛପାଖରେ ଥିବା ଜମି ମାଲିକଙ୍କଠାରୁ ବାଟ ବ୍ୟବସ୍ଥା ପାଇଁ ଜମିର ଏକ ତୃତୀୟାଂଶ ଜମି ବା ଜମି ମୂଲ୍ୟର ଏକ ତୃତୀୟାଂଶ ଅର୍ଥ ଦାବି କରି ଏକ ନିଜସ୍ୱ ମାଫିଆ ରାଜସ୍ୱ ଆଇନ୍ ପ୍ରଣୟନ କରୁଛନ୍ତି ଓ ଚାଷୀମାନେ ବାଧ୍ୟହୋଇ ସେମାନଙ୍କୁ ଜମି ବା ଟଙ୍କା ଦେଇ ନିଜ ଜମିକୁ ବାଟ ନେଉଛନ୍ତି, ଯାହାକୁ ତଦନ୍ତ କଲେ ଜାଣିପାରିବେ।

ଚକବନ୍ଦୀ ଅଞ୍ଚଳରେ ଥିବା ଚକନାଳ, ଚକରାସ୍ତା ସହ ଅନାବାଦି ଜମି, ଗୋଚର ଶ୍ମଶାନ, ଏପରିକି ଭୂଦାନ ଜମିକୁ ବିଲଡରମାନେ ଜବରଦଖଲ କରି ବିକ୍ରି କରିଛନ୍ତି, ଏହାକୁ ଜବରଦଖଲମୁକ୍ତ କରାଯାଉ।

ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପୁଅ, ଲୋକମାନଙ୍କ ଆଶୀର୍ବାଦ କୁ ନେଇ ଶାସନ କରୁଛନ୍ତି। ମାତ୍ର କିଛି ମାଫିଆ ଓ ଅସାଧୁ ଅଫିସର ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ହୋଇ ସରକାରଙ୍କ ସ୍ୱାଭିମାନକୁ ରାଜରାସ୍ତାରେ ନିଲାମ କରୁଛନ୍ତି। ଯେଉଁ ଲୋକଙ୍କ ଆଶୀର୍ବାଦରେ ସରକାର ଗଠନ ହୋଇଛି ସେହି ଗରିବ ଅସହାୟ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ସହ ତାଙ୍କ ଚାଷ ଜମିକୁ ବାଟ ବ୍ୟବସ୍ଥା ପାଇଁ କଠୋର ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ସବିନୟ ଅନୁରୋଧ।

ଜଟଣୀ, ଭୁବନେଶ୍ୱର, ବାଲିଅନ୍ତା, ବାରଙ୍ଗ, କଟକ ସଦର, କଣ୍ଟାପଡ଼ା, ପିପିଲି ବ୍ଲକ ସହ ଭୁବନେଶ୍ୱର, କଟକ ମହାନଗର ନିଗମ, ଜଟଣୀ, ଖୋର୍ଦ୍ଧା, ଚୌଦ୍ୱାର ପୌରପାଳିକା, ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାଷଜମି ଅଞ୍ଚଳରେ ବିଲଡର୍ସମାନେ ବାସଗୃହ ପ୍ରକଳ୍ପ ନିର୍ମାଣ ସମୟରେ ପଛପାଖ ଜମିକୁ ଗମନାଗମନ ପାଇଁ ବାଟ ବ୍ୟବସ୍ଥା ନକରି ପ୍ରକଳ୍ପ ଅନୁମୋଦନ କରି ଚାଷୀଙ୍କୁ ବାଟ ବନ୍ଦ କରୁଛନ୍ତି। ଯେଉଁ ପ୍ରକଳ୍ପ ଅନୁମୋଦନ ହୋଇଛି ସେମାନେ ବାଟବ୍ୟବସ୍ଥା ନକଲେ ତାଙ୍କ ପ୍ରକଳ୍ପ ଅନୁମୋଦନ ବାତିଲ୍ ସହ ନୂତନ ପ୍ରକଳ୍ପ ଅନୁମୋଦନ ସମୟରେ ଚତୁଃପାର୍ଶ୍ୱ ଜମିର ବାଟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ଅନୁମୋଦନ ନିମନ୍ତେ କଡାକଡ଼ି ପଦକ୍ଷେପ ନିଆଯାଉ। ଏ ସମସ୍ୟା ସମ୍ପର୍କରେ ବହୁ ପୂର୍ବରୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ପ୍ରଚାର ଓ ପ୍ରସାର କରିଥିଲେ ମଧ୍ୟ ଏହା ଉପରେ ସରକାର ଦୃଷ୍ଟି ଦେଇନାହାଁନ୍ତି, ଯାହା ଦୁଃଖର ବିଷୟ।

ସ୍ୱର୍ଗତ ହରେକୃଷ୍ଣ ମହତାବ ଓ ସ୍ୱର୍ଗତ ବିଜୁ ବାବୁଙ୍କ ଆଶୀର୍ବାଦରେ ମୁଁ ବ୍ଲକ ଅଧ୍ୟକ୍ଷ ଓ ୧୯୭୭ ମସିହାରୁ ବିଧାୟକ ହୋଇ ମୋ ସାମଗ୍ରୀକ ଜୀବନରେ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳର ଅନୁଭବ କରିଥିବା ସମସ୍ୟାକୁ ଦୀର୍ଘଦିନ ଧରି ବହୁ କଷ୍ଟରେ ଏହି ସମସ୍ୟା ସମ୍ବଳିତ ଦୀର୍ଘପତ୍ର ଯାହାକି ସାଧାରଣ ଲୋକଙ୍କ ଓ ରାଜ୍ୟର ସମସ୍ୟା ଏହି ବିଷୟରେ ବହୁ କଷ୍ଟ ସ୍ୱୀକାର କରି ରାତି ଅନିଦ୍ରା ହୋଇ ଲେଖିଅଛି। ଏହାକୁ ସରକାର ଅନୁଧ୍ୟାନ କରି କେବଳ ସୁପାରିଶ ନକରି ଏହାକୁ ଗୁରୁତ୍ୱର ସହ ଅନୁଧ୍ୟାନ କରି ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଜନସାଧାରଣ ବିଶେଷକରି ଗରିବ, ଅସହାୟ ଲୋକମାନେ ସମ୍ମୁଖୀନ ହେଉଥିବା ନିର୍ଯ୍ୟାତନା ଓ ଦୁଃଖ ଲାଘବ କରି ସେମାନଙ୍କ ମୁହଁରେ ହସ ଫୁଟାଇ ତାଙ୍କ ଅନ୍ତରର ଆଶୀର୍ବାଦ ପାଇବେ ବୋଲି ଆଶା କରି ଏହି ଶିରୋନାମା ପ୍ରସାରିତ କରିବା ପାଇଁ ସମସ୍ତ ଗଣମାଧ୍ୟମକୁ ସବିନୟ ଅନୁରୋଧ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ କଠୋର କାର୍ଯ୍ୟାନୁଷ୍ଠାନ କାମନା କରୁଅଛି।

ବିଧାୟକ, ଜଟଣୀ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top