Home ଜିଲ୍ଲା ପରିକ୍ରମା ଯୋଗ୍ୟ ପ୍ରାଥମିକ ଶିକ୍ଷକଙ୍କୁ ହାଇସ୍କୁଲ୍‌କୁ ଡେପୁଟେସନ୍ ବଦଳରେ ପଦୋନ୍ନତି ଦିଆଯିବାକୁ ଦାବି

ଯୋଗ୍ୟ ପ୍ରାଥମିକ ଶିକ୍ଷକଙ୍କୁ ହାଇସ୍କୁଲ୍‌କୁ ଡେପୁଟେସନ୍ ବଦଳରେ ପଦୋନ୍ନତି ଦିଆଯିବାକୁ ଦାବି

35

ଭୁବନେଶ୍ୱର ୧୭ା୧ (ଓଡ଼ିଆ ପୁଅ) : କରୋନା ମହାମାରୀ ସମୟରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍ ଖୋଲିବାକୁ ଅନୁମତି ଦେଇ କେବଳ ଦଶମ ଶ୍ରେଣୀରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ସମୟରେ ଦଶମ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକମାନଙ୍କର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ପଢ଼ାଇବା ପାଇଁ ଚିଠି ନଂ- ୯୧୭, ତା ୧୩.୦୧.୨୦୨୧ରିଖରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏଥିରେ ନିର୍ଦ୍ଦେଶ ଦିଆଯାଇଛିକି, ପ୍ରାଥମିକ ଶିକ୍ଷକମାନେ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବେ। ସରକାରଙ୍କର ଛାତ୍ରଛାତ୍ରୀମାନଙ୍କ ପାଠପଢା ପ୍ରତି ଧ୍ୟାନ ଦେବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। କିନ୍ତୁ ଦୁଃଖର ବିଷୟ, ପ୍ରାଥମିକ ଶିକ୍ଷକମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ କୌଣସି କାର୍ଯ୍ୟରେ ନିୟୋଜିତ କରାନଯାଇ ଯେତେବେଳେ ଯେଉଁ କାର୍ଯ୍ୟର ଆବଶ୍ୟକତା ପଡ଼େ, ସରକାର ସେତେବେଳେ ଏମାନଙ୍କୁ ସେହି କାର୍ଯ୍ୟରେ ଲଗାନ୍ତି। ଏଥିରେ ପ୍ରାଥମିକ ଶିକ୍ଷକମାନେ କୌଣସି ଦ୍ୱିଧା ନ ରଖି ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ସମ୍ପାଦନ କରନ୍ତି। ପଦୋନ୍ନତି ବଦଳରେ ଏଭଳି ଡେପୁଟେସନ୍ ବ୍ୟବସ୍ଥାକୁ ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘ ଘୋର ବିରୋଧ କରିଛି। ଶିକ୍ଷା ଅଧିକାର ଅଧିନିୟମ ଆସିବା ପରେ ଅନେକ ଯୋଗ୍ୟ ଶିକ୍ଷକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବିଜ୍ଞାପନ ଆଧାରରେ ମେଧା ଭିତ୍ତିରେ ନିଯୁକ୍ତି ପାଇଛନ୍ତି। ମାଧ୍ୟମିକ ବିଦ୍ୟାଳୟରେ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସେମାନଙ୍କର ଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରୁ ନିର୍ଦ୍ଧାରିତ ୯୯୯୦ଜଣ ଯୋଗ୍ୟ ଟି.ଜି. ଶିକ୍ଷକଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ବିଭାଗୀୟ ପରୀକ୍ଷା କରାଇ ପଦୋନ୍ନତି ଦେବା ବଦଳରେ ସେମାନଙ୍କୁ ଡେପୁଟେସନ୍‌ରେ ପଠାଯିବାର ବ୍ୟବସ୍ଥା କରିଛନ୍ତି। ଏହି ଶିକ୍ଷକମାନଙ୍କୁ ଡେପୁଟେସନରେ ନ ପଠାଇ ପଦୋନ୍ନତି ଭିତ୍ତିରେ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀରେ ଅବସ୍ଥାପିତ କରିବା ପାଇଁ ସଂଘର ରାଜ୍ୟ ସଭାପତି ସରୋଜ କୁମାର ପଣ୍ଡା ସରକାରଙ୍କ ନିକଟରେ ଦାବି କରିଛନ୍ତି। ‘ସମାନ କାମକୁ ସମାନ ଦରମା’ ଦେବାକଥା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଓଡ଼ିଶା ସରକାର ତାହାକୁ ଅନୁପାଳନ କରିନାହାଁନ୍ତି। ବର୍ତ୍ତମାନ ଆବଶ୍ୟକ ସମୟରେ ବି.ଏଡ୍‌. ଶିକ୍ଷକମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ପାଠ ପଢାଇବାକୁ ଡେପୁଟେସନ୍‌ରେ ପଠାଇବାର ବ୍ୟବସ୍ଥା କରୁଥିବା ବେଳେ ଅନେକ ଶିକ୍ଷକ ଏଥିରେ କୁଣ୍ଠାବୋଧ କରୁଛନ୍ତି। ସମାନ ଯୋଗ୍ୟତା ଆଧାରରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ଅନେକ ତାରତମ୍ୟ ରହୁଥିବାରୁ ଏବଂ ସେମାନଙ୍କର ଆତ୍ମ ସମ୍ମାନ କ୍ଷୁର୍ଣ୍ଣ ହେଉଥିବାରୁ ସେମାନେ ଏହି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତା’ଛଡ଼ା ୧୦୦ ଦିନର କାର୍ଯ୍ୟ ଦିବସ ଭିତରେ ରବିବାର ବା ସାପ୍ତାହିକ ଛୁଟି ରହୁନଥିବାରୁ ପିଲାମାନେ ଅନେକ ସମସ୍ୟା ଭୋଗିବା ସଙ୍ଗେସଙ୍ଗେ ବିଶ୍ରାମ ବିହୀନ ହେଉଛନ୍ତି ଏବଂ ଶିକ୍ଷକମାନେ ମଧ୍ୟ ସାପ୍ତାହିକ ଛୁଟି ନପାଇଲେ ନିଜର କାର୍ଯ୍ୟ ଦକ୍ଷତା ସୂଚାରୁ ରୂପେ ସମ୍ପାଦନ କରିବାକୁ ସକ୍ରିୟ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ଏ ଦିଗରେ ସୁବିଚାର କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ପଦୋନ୍ନତି ଭିତ୍ତିରେ ଶିକ୍ଷକମାନଙ୍କୁ ନେବାର ବ୍ୟବସ୍ଥା କରନ୍ତୁ ନଚେତ୍ ଟି.ଜି. ଶିକ୍ଷକର ଦରମା ପ୍ରଦାନ କରି ଡେପୁଟେସନ୍ କଲେ ଏଭଳି ଶିକ୍ଷକ ଅଭାବ ସମସ୍ୟାରୁ ମୁକ୍ତି ମିଳିବା ସଙ୍ଗେସଙ୍ଗେ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବି.ଏଡ୍‌. ଶିକ୍ଷକମାନଙ୍କର ଦୀଘ ଦିନର ଦାବି ପୂରଣ ହୋଇପାରନ୍ତା। ଯଦି ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ବି.ଏଡ୍‌. ଶିକ୍ଷକମାନେ ଏ ଦିଗରେ ଅସହଯୋଗ କରିବେ ଅନ୍ୟଥା କୁହୁଳୁଥିବା ଅସନ୍ତୋଷ ଉଗ୍ରରୂପ ଧାରଣ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ, ଦେବେନ୍ଦ୍ର କୁମାର ନାୟକ, ଅଜୟ କୁମାର ଧଳ, ଉମେଶ ନାୟକ, ଲଲାଟେନ୍ଦୁ ମହଲ, ଅକ୍ଷୟ କୁମାର ପୃଷ୍ଟି, ପଦ୍ମଲୋଚନ ଘଡ଼େଇ, ମକରକେତନ ସାହୁ, ଗୁରୁପ୍ରସାଦ ଦାସ, ସଚିକାନ୍ତ ମିଶ୍ର, ବଳରାମ ପତି ପ୍ରମୁଖ ନେତୃବୃନ୍ଦ ସରକାରଠାରେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.