ad
ଜିଲ୍ଲା ପରିକ୍ରମା

ଯୁଗଳଙ୍କ ନୀରବତା ନିର୍ବାଚନୀ ଝଡର ପୂର୍ବାଭାଷ ନୁହେଁତ!

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏବେ ଯୁଗଳ ପଟ୍ଟନାୟକଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ କଲାଣି। ଏହି ଆସନରୁ ୫ ଥର ବିଧାୟକ ହୋଇଥିବା ଯୁଗଳଙ୍କ ନୀରବତା ଆଗାମୀ ସାଧାରଣ ନିର୍ବାଚନରେ ଏକ ବଡ ଧରଣର ଓଲଟପାଲଟର ପୂର୍ବାଭାସ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥର ଭଦ୍ରକରେ ବିଧାୟକ ଯୁଗଳ ପଟ୍ଟନାୟକଙ୍କ ଟିକେଟ କଟାଯାଇ ନବାଗତ ସଂଜୀବ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଯୁଗଳ ବାବୁ ନିଜେ ନିର୍ବାଚନ ନଲଢି ନିଜ ପୁଅ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ଟିକେଟ ଲବି ଚଳାଇଥିବାବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ନିରାଶ କରାଯାଇ ନବାଗତ ସଂଜୀବଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ଯାହାକୁ ନେଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ଯୁଗଳଙ୍କ ଅନୁଗତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ପରେ ଆଶା ଖରାଯାଉଥିଲା ଯୁଗଳ ସମ୍ଭବତଃ ଦଳତ୍ୟାଗ କରି ଅନ୍ୟଦଳ ଟିକେଟରେ ନିଜ ପୁଅକୁ ନିର୍ବାଚନ ଲଢାଇବେ। ହେଲେ ସେମିତି କିଛି ଘଟିଲା ନାହିଁ। ପରନ୍ତୁ ଯୁଗଳଙ୍କ କିଛି କଠୋରପନ୍ଥୀ ବିନା ସର୍ତ୍ତରେ ଦଳୀୟ ପ୍ରାର୍ଥୀ ହୋଇଥିବା ସଂଜୀବଙ୍କ ଶିବିରରେ ଯୋଗ ଦେଇଥିବାବେଳେ ଆଉ କିଛି ନୀରବ ବସିଛନ୍ତି। ଆଗାମୀ ନିର୍ବାଚନରେ ସେମାନଙ୍କ ଆଭିମୁଖ୍ୟ କଣ ହେବ, ତାହା ଏବେବି ଅସ୍ପଷ୍ଟ ରହିଛି। ଭଦ୍ରକ ଜିଲା ରାଜନୀତିରେ ଯୁଗଳ ପଟ୍ଟନାୟକ ହେଉଛନ୍ତି ଏପରି ଜଣେ ନେତା, ଯାହାଙ୍କର ବିକଳ୍ପ ନାହିଁ ବୋଲି କୁହାଯାଇପାରେ। ଗତ ୨୦୦୯ ନିର୍ବାଚନ ଠାରୁ ଯୁଗଳ ବାବୁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ନିଜକୁ ଅପରାଜେୟ ନେତା ଭାବେ ସାବ୍ୟସ୍ତ କରି ଆସିଛନ୍ତି। ଦଳୀୟ ଭୋଟ ସହିତ ନିର୍ବାଚନ ମଣ୍ଡଳୀରେ ତାଙ୍କର ଅନ୍ୟୁନ ୨୦ ହଜାରରୁ ଉର୍ଦ୍ଧ୍ୱ ପକେଟ୍ ଭୋଟ ରହିଥିବାର କୁହାଯାଉଛି। ଯାହାକି ଏବେ ଯୁଗଳଙ୍କ ଇଙ୍ଗିତକୁ ଅପେକ୍ଷା କରିଥିବା କୁହାଯାଉଛି। ତେଣେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଯୁଗଳ ବାବୁଙ୍କ ସବୁଠାରୁ ବଡ ଅନୁଗତ ନେତା କୁହାଯାଉଥିବା ହେମନ୍ତ ପାଢୀ (କାଳିଆ) ଇତିମଧ୍ୟରେ ବିଜେଡି ଛାଡି ନିଜର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କର ବିଜେଡି ଛାଡିବା ଏବଂ ବିଜେପିରେ ଯୋଗଦାନ ପଛରେ କାହା ହାତ ରହିଛି, ତାହା ମଧ୍ୟ ଏବେ ଅସ୍ପଷ୍ଟ ରହିଛି। କୁହାଯାଉଛି ହେମନ୍ତଙ୍କ ନେତୃତ୍ୱରେ ଯୁଗଳ ସମର୍ଥକମାନେ ଏକାଠି ହୋଇ ନିର୍ବାଚନ ମଣ୍ଡଳୀରେ ବିଜେଡି ବିରୁଦ୍ଧରେ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିବା ଯୋଜନାରେ ରହିଛନ୍ତି। ଗୋଟିଏ ପଟରେ ଯୁଗଳଙ୍କ ଟିକେଟ୍ କାଟକୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ସମର୍ଥକ ସହଜରେ ଗ୍ରହଣ କରିପାରୁନଥିବାବେଳେ ତେଣେ ଦଳୀୟ ପ୍ରାର୍ଥୀ ହୋଇଥିବା ସଂଜୀବଙ୍କ ବିରୋଧରେ ପ୍ରତିପକ୍ଷ ଦଳର ଦୁର୍ବଳ ପ୍ରାଥ୍ୱର୍ତ୍ୱ ତାଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୬ ଗୋଟି ପଂଚାୟତ ମଧ୍ୟରୁ ପ୍ରାୟ ୩୨ ଟି ପଂଚାୟତରେ ଯୁଗଳ ବାବୁଙ୍କ ଦବଦବା ରହିଛି। ନବାଗତ ସଂଜୀବଙ୍କ ପାଇଁ ପଂଚାୟତ ସ୍ତରରେ ଯୁଗଳଙ୍କ ଏହି ଭୋଟବ୍ୟାଙ୍କକୁ ହାତେଇବା ତାଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି। କାରଣ ଏହି ପଂଚାୟତ ଗୁଡିକରେ ଯୁଗଳଙ୍କ ର କେବଳ ନିଜସ୍ୱ ଭୋଟବ୍ୟାଙ୍କ ନୁହେଁ, ପରନ୍ତୁ ନିଜସ୍ୱ ସଂଗଠନ ରହିଛି। ଯାହାକି ନବାଗତ ପ୍ରାର୍ଥୀ ସଂଜୀବଙ୍କ ହାତରେ ନାହିଁ। ଯୁଗଳଙ୍କ ଏହି ଭୋଟ ବ୍ୟାଙ୍କ ଭାଙ୍ଗି ଦଳପାଇଁ ଭୋଟ ଯୋଗାଡ କରିବା ସେତେଟା ସହଜ ମନେ କରାଯାଇପାରୁନାହିଁ। କାରଣ ଯୁଗଳଙ୍କ ଟିକେଟ୍ କାଟ ପ୍ରସଙ୍ଗକୁ ଏବେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ବହୁ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଏହାର ଜବାବ ଇଭିଏମ୍ ରେ ଦେବାକୁ ମସୁଧା କରୁଥିବା ଜଣାପଡିଛି। ତେଣେ ଯେଉଁମାନଙ୍କୁ ଧରି ସଂଜୀବ ଯୁଗଳଙ୍କ ଦୁର୍ଗ ଭେଦ କରିବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କ ସାମର୍ଥକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଲାଗି ସଂଜୀବଙ୍କୁ ନିଜ ରଣନୀତି ବଦଳାଇବା ସହିତ କେବଳ ଦଳୀୟ ଭୋଟ୍ ନୁହେଁ ପରନ୍ତୁ ପ୍ରତିପକ୍ଷ ଦଳର ଅସନ୍ତୁଷ୍ଟ ଭୋଟକୁ ଆପଣେଇବାକୁ ପଡିବ। ତାହା ନହେଲେ ନିଶ୍ଚିତ ବିଜୟ ସମ୍ଭାବନା ରଖୁଥିବା ଏହି ନିର୍ବାଚନ ମଣ୍ଡଳୀ ବିଜେଡିର ହାତଛଡା ନହେବ କହିହେବ ନାହିଁ। ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସମ୍ମୁଖରେ ବିରୋଧାଭାସ ଫିକା ପଡିଯାଇପାରେ ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଯୁଗଳଙ୍କ ଭଳି ଜଣେ ବରିଷ୍ଠ ନେତା ଖୋଲାଖୋଲି ବିଦ୍ରୋହ କରିବାର ସମ୍ଭାବନା କ୍ଷୀଣ ଥିବା କୁହାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top