Home ଜିଲ୍ଲା ପରିକ୍ରମା ଯାତ୍ରାରେ ନଗ୍ନତା ପରିବେଷଣ, ହିନ୍ଦୁ ସମାଜ ଓ ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ ବିରୋଧରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଯାତ୍ରାରେ ନଗ୍ନତା ପରିବେଷଣ, ହିନ୍ଦୁ ସମାଜ ଓ ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ ବିରୋଧରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

26

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମରକ୍ଷା ସମିତି, ଭଦ୍ରକ ତରଫରୁ ଐତିହାସିକ କାଳୀପୂଜା ଅବସରରେ ଆୟୋଜିତ ଯାତ୍ରା ପାର୍ଟିମାନଙ୍କ ଦ୍ୱାରା ନଗ୍ନତା ନୃତ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି। ପ୍ରକାଶ ଥାଉକି ଭଦ୍ରକର ଐତିହାସିକ ପର୍ବ କାଳୀପୂଜା ସାରା ଓଡିଶାରେ ସୁନାମ ଅର୍ଜନ କରିଛି। ଏହି କାଳୀପୂଜାରେ ମୀନାବଜାର ସହ ଅନେକ ଯାତ୍ରା ଦଳ ତରଫରୁ ଯାତ୍ରା ପରିବେଷଣ କରାଯାଇଥାଏ। କିନ୍ତୁ ଏବେ କିଛି ଯାତ୍ରା ଦଳ ଅର୍ଥ ଲୋଭରେ ଯାତ୍ରା ପେଣ୍ଡଲରେ ସର୍ବସମ୍ମୁଖରେ ଅତ୍ୟନ୍ତ ଉଶୃଙ୍ଖଳ ଭାବରେ ନଗ୍ନ ନୃତ୍ୟ ପରିବେଷଣ କରୁଛନ୍ତି। ଯାହାକି ଆମ ସଂସ୍କୃତି ଓ ପରମ୍ପରା ବିରୋଧି ଅଟେ। ଏଥିସହ କିଛି ଯାତ୍ରା ଦଳ ମାନଙ୍କ ଦ୍ୱାରା ଲଭଜେହାଦ୍ ପରି ଘଟଣାକୁ ପ୍ରେମ ନାମରେ ପ୍ରୋତ୍ସାହନ କରିବା ସହ ହିନ୍ଦୁ ଦେବାଦେବୀଙ୍କୁ ନେଇ ବ୍ୟଙ୍ଗାତ୍ମକ ଦୃଶ୍ୟ ପରିବେଶଣ କରୁଛନ୍ତି। ଯାହାକି ଆମ ଧର୍ମ ଓ ଆସ୍ଥାକୁ କୁଠାରଘାତ କରୁଅଛି। ଉକ୍ତ ମେଳାରେ ଅନେକ ଫାଷ୍ଟଫୁଡ ଦୋକାନ ଖୋଲାଯାଇଥାଏ। ଏଥର ଏହାସବୁକୁ ସଠିକ୍ ଭାବରେ ଯାଂଚ କରିବା ପାଇଁ ଧର୍ମରକ୍ଷା ସମିତିର ସଭାପତି ଡ. ଅଜୟ ପଣ୍ଡା ଦାବୀ କରିଥିଲେ। ଏହି ବିଷୟରେ ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୀବନେନ୍ଦୁ ପଣ୍ଡା, ଶମ୍ଭୁନାଥ ଧଳ, ଆଡଭୋକେଟ ଅଶ୍ୱିନୀ କୁମାର ଦାସ, ବିଜୟ ଭୂଷନ ନାୟକ, ମାନସ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସେହିଭଳି ବରିଷ୍ଠ ନାଗରିକଙ୍କ ଦ୍ୱାରା ଧର୍ମରକ୍ଷା ସମିତି ଭଦ୍ରକ ତରଫରୁ ଜିଲ୍ଲାରେ ହିନ୍ଦୁସମାଜ ଓ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ବିରୋଧରେ ଜିଲ୍ଲାପାଳଙ୍କୁ ପୁନର୍ବାର ଏକ ଦାବୀପତ୍ର ଦିଆଯାଇଛି। ପ୍ରକାଶ ଥାଉକି ଗତ ୮ ତାରିଖ ଗୁଜିଦରଡା ହିନ୍ଦୁ ପରିବାର ଉପରେ ଆକ୍ରମଣ ବିରୁଦ୍ଧରେ ଘଟଣାରେ ତା ୧୭.୧୦.୨୦୨୪ ରିଖରେ ଦିଆଯାଇଥିବା ଦାବୀପତ୍ର ଉପରେ କାର୍ଯ୍ୟକାରୀ ହୋଇନଥିବାରୁ ଆଜି ପୁନର୍ବାର ଭଦ୍ରକ ବରିଷ୍ଠ ନାଗରିକ ଦ୍ୱାରା ଉକ୍ତ ବିଷୟ ସହିତ ଧାମନଗର ବୟାଙ୍ଗଡିହିରେ ଏକ ହିନ୍ଦୁ ଦୋକାନୀମାନଙ୍କୁ ଯୋଜନାବଦ୍ଧ ମରଣାନ୍ତକ ଆକ୍ରମଣ ଏବଂ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି କଟକ ବଡମେଡିକାଲରେ ଦୀର୍ଘ ଦିନ ଚିକିତ୍ସିତ ହୋଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଆସାମୀ ଅଦ୍ୟାବଧି ଗିରଫ କରାଯାଇନାହିଁ। ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ଭଦ୍ରକ ସନ୍ଥିଆ ପୋଲ ଉପରେ ପୋଲିସ ପ୍ରଶାସନର ଅଧିକାରୀମାନଙ୍କୁ ମରଣାନ୍ତକ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆସାମୀ ଏବେ ମଧ୍ୟ ପୋଲିସ ଗିରଫ କରିପାରିନାହିଁ। ଗୁଜିଦରଡା ଘଟଣାରେ ହିନ୍ଦୁ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରି ସେହି ପରିବାରର ଜଣେ ଅବିବାହିତା ଝିଅକୁ ମାଡ ମାରି ସେ ରେକର୍ଡିଂ କରୁଥିବା ମୋବାଇଲକୁ ଛଡାଇନେଇ ସେଥିରେ ଥିବା ସମସ୍ତ ପ୍ରମାଣ ଓ ସମସ୍ତ ଡାଟାକୁ ନଷ୍ଟ କରି ୭ ଦିନ ପରେ ପୋଲିସକୁ ହସ୍ତାନ୍ତର କରିବା ଘଟଣାର ୨୦ ଦିନ ଅତିବାହିତ ହୋଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନ କରିବା ପ୍ରଶାସନର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଏ ସମସ୍ତ ବିଷୟରେ ବିଭିନ୍ନ ବାହାନା ଦେଖାଇ ପ୍ରଶାସନ ତାର ଉତରଦାୟିତ୍ୱ ଏଡାଇ ଚାଲିଛି। ଏଥିପାଇଁ ଭଦ୍ରକରେ ଜନଅସନ୍ତୋଷ ବଢିଚାଲିଛି। ଆଗାମୀ ଦିନରେ ଏହା ଜନଆକ୍ରୋଶରେ ପରିଣତ ହୋଇ ବିଶାଳ ଆନ୍ଦୋଳନ ପାଇଁ ଧର୍ମରକ୍ଷା ସମିତି ତରଫରୁ ଜିଲ୍ଲାପାଳଙ୍କୁ ଚେତାବନୀ ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଧର୍ମରକ୍ଷା ସମିତିର ସଭାପତି ଡ. ଅଜୟ ପଣ୍ଡା, ସମାଜସେବୀ ମାନସ ମହାନ୍ତି, ଜୀବନେନ୍ଦୁ ପଣ୍ଡା, ଶମ୍ଭୁନାଥ ଧଳ, ଆଡଭୋକେଟ ଅଶ୍ୱିନୀ କୁମାର ଦାସ, ରାଷ୍ଟ୍ରୀୟ ଚିନ୍ତନ ସଂଗଠନର ସଭାପତି ବିଜୟ ଭୂଷନ ନାୟକ, ନଗର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର, ଡ. ଅଜୟ ଦାସ, ସାଧାରଣ ସମ୍ପାଦକ ସଞ୍ଜିବ ଦାସ, ପୂର୍ବତନ ସେନାନିବୃତ ଅଧିକାରୀ ବଳରାମ ଜେନା ଓ ପଦ୍ମନାଭ ପଣ୍ଡା, ଅମିୟ ପରିଡା, ସଂଯୋଜକ ସୌମ୍ୟରଞ୍ଜନ ବାରିକ, କୋଷାଧ୍ୟକ୍ଷ ବିଭାସ ନାଥ, ଗୌରାଙ୍ଗ ଜେନା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.