ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ଼ ରେଳ ଷ୍ଟେସନ ଠାରୁ ବୈତରଣୀ ନଦୀ ଆଡ଼କୁ ଅବସ୍ଥିତ ବିରିଡ଼ି ଗ୍ରାମର ମଧ୍ୟ ଭାଗରେ ଯାଇଛି ରେଳପଥ।ଫଳରେ ଗ୍ରାମବାସୀ ପଡ଼ୋଶୀଙ୍କ ଘରକୁ ହେଉ ଅବା ଚାଷ ଜମିକୁ ଯିବା ପାଇଁ ଭୋଗୁଛନ୍ତି ସମସ୍ୟା।ଏହି ସମସ୍ୟାର ସମାଧାନ ପାଇଁ ରେଳବାଇର ଖମ୍ବ ନମ୍ବର ୩୧୭/୧୨ ନିକଟରେ ଏକ ଲେବେଲ କ୍ରସିଂ ସ୍ଥାପନ କରିବାକୁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି।ଏପରିକି ୨୦୦୯ ମସିହାରେ ମଞ୍ଜୁରୀରୋଡ଼ ରେଳ ଷ୍ଟେସନର ବିକାଶ ସମେତ ବିରିଡ଼ ଓ ମନନ୍ତାଗଡ଼ିଆ ନିକଟରେ ଲେବେଲ କ୍ରସିଂ ନିର୍ମାଣ ଆଦି ଦାବିରେ ଭାରତୀୟ ଜନତା ଯୁବମୋର୍ଚା, ମଞ୍ଜୁରୀରୋଡ଼ ଆଂଚଳିକ ବିକାଶ ମଂଚ ଓ ମଞ୍ଜୁରୀରୋଡ଼ ବଜାର କମିଟିର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିବା ଆନ୍ଦୋଳନ ବେଳେ ରେଳବାଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ମାତ୍ର ଏପର୍ଯ୍ୟନ୍ତ ଏଥିପାଇଁ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇନାହିଁ।ଏବେ ପୁଣି ତୃତୀୟ ରେଳ ଧାରଣା ବିଛାଇବା ପାଇଁ ନିର୍ମାଣ କାର୍ଯ୍ୟ ଚାଲୁଛି।ଫଳରେ ବିରିଡ଼ି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଲୋକମାନେ ନିଜର ଘର ଓ ଚାଷ ଜମିକୁ ଯିବା ପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ।ତେଣୁ ମଞ୍ଜୁରୀରୋଡ଼-ବୈତରଣୀ ରୋଡ଼ ଷ୍ଟେସନ ମଧ୍ୟରେ ଅବସ୍ଥିତ ବିରିଡ଼ିର ରେଳ ଖମ୍ବ ନମ୍ବର ୩୧୭/୧୨ ନିକଟରେ ରେଳପଥରେ ଏକ ଗଳାପୋଲ ନିର୍ମାଣ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଦାବି ଜଣାଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମର ନିରଞ୍ଜନ ପଣ୍ଡା,ନବୀନ ନାୟକ,ଦେବାଶିଷ ପଣ୍ଡା, ବିପିନବିହାରୀ ସେଠୀ, ପ୍ରଦୀପ ରାଉତ,ଶଶଧର ସାହୁ,ସୁକାନ୍ତ ରାଉତ,ସୁବ୍ରତ ରାଉତ ପ୍ରମୁଖଙ୍କ ସ୍ୱାକ୍ଷର ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି।