Home ଜିଲ୍ଲା ପରିକ୍ରମା ‘ଯମୁନା ଲାଲ ବଜାଜ’ ପୁରସ୍କାର ପାଇବେ ଭଦ୍ରକର ଝିଅ ସେକ୍ ସୋଫିଆ

‘ଯମୁନା ଲାଲ ବଜାଜ’ ପୁରସ୍କାର ପାଇବେ ଭଦ୍ରକର ଝିଅ ସେକ୍ ସୋଫିଆ

55

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଞ୍ଚମ ଓଡ଼ିଆ ତଥା ପ୍ରଥମ ସର୍ବ କନିଷ୍ଠ ମହିଳା ଭାବରେ ମର୍ଯ୍ୟାଦା ଜନକ ‘ଯମୁନାଲାଲ ବଜାଜ’ ଆନ୍ତର୍ଜାତୀୟ ପୁରସ୍କାର ପାଇବାକୁ ଯାଉଛନ୍ତି ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୋସାଇଟି ଫର ଉଇକର କମ୍ୟୁନିଟି (ଆସିୟାନା)’ ର ସଂପାଦିକା ସୋଫିଆ ସେଖ୍। ୧୯୭୮ ମସିହାରେ ପ୍ରଣିତ ଯମୁନାଲାଲ ବଜାଜ ପୁରସ୍କାର ସମାଜ ନିର୍ମାଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ମହିଳା ଓ ଶିଶୁ ମଙ୍ଗଳ, ଗାନ୍ଧିବାଦୀ ଚିନ୍ତା ସଂପନ୍ନ ମଣିଷ, ସାଙ୍ଗଠନିକ ସେବା, ସାମାଜିକ ଉନ୍ନୟନ କ୍ଷେତ୍ରରେ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି। ୧୯୭୮ ମସିହାରେ ପ୍ରଥମ ଥର ବିଜ୍ଞାନ ବୈଷୟିକ ଜ୍ଞାନ କୌଶଳ ପାଇଁ ଜଗତମୋହନ ଡାଭେ, ସତିଶ ଚନ୍ଦ୍ର ଦାସଗୁପ୍ତାଙ୍କୁ ପ୍ରଦାନ କରାଯାଇଥିବାବେଳେ ୨୦୨୧ ମସିହାରେ ସମାଜ ଗଠନ ପାଇଁ ଧର୍ମପାଲ ଶାଲିନି, ବିଜ୍ଞାନ ପାଇଁ ଡଃ ଲାଲ ସିଂ, ମହିଳା ଶିଶୁ ବିକାଶ ପାଇଁ ଲକି କୋରିୟାନ, ଆନ୍ତର୍ଜାତୀୟ ସେବା ପାଇଁ ଡେଭିଡ ଆଲବର୍ଟଙ୍କୁ ସମ୍ମାନିତ କରାଯାଇଥିଲା।

ତେବେ ଓଡ଼ିଶାରେ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୯୮୧ ମସିହାରେ ରମାଦେବୀ, ୧୯୮୮ ମସିହାରେ ୰ ମାଳତୀ ଚୌଧୁରୀ, ୧୯୯୯ ମସିହାରେ ବାଲେଶ୍ୱରର ଶାନ୍ତି ଦେବୀ ଓ ଶେଷଥର ପାଇଁ ୨୦୧୧ ମସିହାରେ କଳାହାଣ୍ଡିର ପ୍ରଖ୍ୟାତ ସମାଜସେବୀ ବିଦ୍ୟା ଦାସଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିବର୍ଷ ଭାରତର ମହାମହିମ ରାଷ୍ଟ୍ରପତି ଉପରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରୁଥିବବେଳେ ଚଳିତବର୍ଷ କିନ୍ତୁ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ବୈଜ୍ଞାନିକ ତଥା ବିଜ୍ଞାନ ବୈଷୟିକ ଜ୍ଞାନ ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡଃ ଆର.ଏ. ମାସ୍କେକର ଏହି ପୁରସ୍କାର ପ୍ରଦାନ କରିବେ। ମୁମ୍ବାଇର ଗରିଗାମ ସ୍ଥିତ ରୟାଲ ଅପେରା ହାଉସରେ ଡିସେମ୍ବର ୯ ତାରିଖରେ ଏକ ନିରାଡମ୍ବର ଉତ୍ସବରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ସେକ୍ ସୋଫିଆଙ୍କ ସହ ମଧ୍ୟପ୍ରଦେଶର ସଂପର୍କ ସମାଜ ସେବା ସଂସ୍ଥାନର ସଂପାଦକ ତଥା ବିଶିଷ୍ଟ ଗାନ୍ଧିବାଦୀ ନିଲେଶ ଦେଶାଇ, ଗୁଜୁରାଟର ପ୍ରଖ୍ୟାତ ବୈଜ୍ଞାନିକ ମନସୁଖ ଭାଇ ପ୍ରଜାପତି, ଅନ୍ତର୍ଜାତୀୟ ସେବା ପାଇଁ ଲେବାନନର ୟୁନଭରସିଟି କଲେଜ ଫର ନନ୍ ଭାଓଲେନସର ସହକାରୀ ସଂସ୍ଥାପକ ଡଃ ଅଗ୍ରିଟ ୟୁନାନ ମଧ୍ୟ ସମ୍ମାନିତ କରାଯିବ। ଭଦ୍ରକର ଅଗ୍ରଣୀ ସଂଗଠନ ‘ତ୍ୟାଗଭୂମି’ ସାଂସ୍କୃତିକ ସମ୍ମେଳନ ତରଫରୁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.