Home Top News ମୋଟରଯାନ ଟ୍ରେଡ଼ ସାର୍ଟିଫିକେଟ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ

ମୋଟରଯାନ ଟ୍ରେଡ଼ ସାର୍ଟିଫିକେଟ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ

85

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନ୍ତର୍ଗତ ଟ୍ରେଡ ସାର୍ଟିଫିକେଟ ନିୟମରେ କେତେକ ସଂଶୋଧନ ଆଣିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୫ତାରିଖ(୫.୫.୨୦୨୨)ରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ମୋଟରଯାନ କ୍ଷେତ୍ରରେ ଟ୍ରେଡ ସାର୍ଟିଫିକେଟର ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି। ଯେତେବେଳେ ଗୋଟିଏ ମୋଟରଯାନ ପଞ୍ଜୀକୃତ ହୋଇ ନ ଥିବ କିମ୍ବା ଅସ୍ଥାୟୀ ପଞ୍ଜୀକରଣ ପାଇ ନ ଥିବ, ସେତେବେଳେ ସମ୍ପୃକ୍ତ ଗାଡି ପାଇଁ ଟ୍ରେଡ ସାର୍ଟିଫିକେଟ ଦରକାର ହୋଇଥାଏ। ଏହି ସମୟରେ ସମ୍ପୃକ୍ତ ଯାନ ଏହାର ନିର୍ମାତା, ବିକ୍ରେତା, ଆମଦାନୀକାରୀ କିମ୍ବା ଟେଷ୍ଟିକାରୀ ସଂସ୍ଥା ପାଖରେ ରହିଥାଏ। ଏଥିପାଇଁ ମୋଟରଯାନ ଆଇନର ୧୨୬ ଧାରେ ବ୍ୟବସ୍ଥା ରହିଛି।

ଏହି ଯାନର କାରବାର /ବ୍ୟବସାୟକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ କେତେକ ସଂଶୋଧନ କରିବାକୁ ଚାହୁଁଛନ୍ତି। ପ୍ରସ୍ତାବ ଅନୁସାରେ ଏଣିକି ସମ୍ପୃକ୍ତ ସଂସ୍ଥା ବା ଏଜେନ୍ସି ବିଭିନ୍ନ ପ୍ରକାର ମୋଟର ଯାନ ପାଇଁ ଟ୍ରେଡ୍ ସାର୍ଟିଫିକେଟ ଓ ଟ୍ରେଡ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ଏଣିକି ଆବେଦନ କରିପାରିବେ। ଆରଟିଓ ଅଫିସକୁ ନ ଯାଇ ଆବେଦନକାରୀ ‘ବାହନ ପୋର୍ଟାଲ’ରେ ଗୋଟିଏ ଆବେଦନପତ୍ର ମାଧ୍ୟମରେ ଏହି ଟ୍ରେଡ ସାର୍ଟିଫିକେଟ ଓ ଟ୍ରେଡ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଆବେଦନ କରିପାରିବେ। ଟ୍ରେଡ ରେଜିଷ୍ଟ୍ରେସନ ମାର୍କର ସଂଖ୍ୟା ଅନୁସାରେ ଆବେଦନକାରୀଙ୍କୁ ଫି ଭରିବାକୁ ପଡିବ। ଏହାପରେ ଉଭୟ ଟ୍ରେଡ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ମାର୍କ ଅନଲାଇନରେ ସମ୍ପୃକ୍ତ ପୋର୍ଟାଲ ମାଧ୍ୟମରେ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ଯୋଗାଇ ଦିଆଯିବ।

ଏହି ଇଲେକ୍ଟ୍ରୋନିକ ବ୍ୟବସ୍ଥା ଫଳରେ ଟ୍ରେଡ୍ ସାର୍ଟିଫିକେଟ ହଜିଲେ କିମ୍ବା ନଷ୍ଟ ହୋଇଗଲେ ଏହାର ନକଲ ପାଇବାକୁ କର୍ତ୍ତୃପକ୍ଷଙ୍କ ନିକଟକୁ ଆଗଭଳି ଆଉ ଦୌଡିବାକୁ ପଡିବ ନାହିଁ। ଏହା ଫଳରେ ଗାଡି ବିକ୍ରେତା, ଉତ୍ପାଦକ ଓ ଆମଦାନୀକାରୀ ବିଶେଷ ଉପକୃତ ହେବେ। ପରିବହନ କ୍ଷେତ୍ରରେ ଏହା ଏକ ନୂଆ ସୁବିଧା ପ୍ରଦାନକାରୀ ବ୍ୟବସ୍ଥା। ଆହୁରି ମଧ୍ୟ ଚିଠା ବିଜ୍ଞପ୍ତିରେ ଟ୍ରେଡ ସାର୍ଟିଫିକେଟର ବୈଧତାକୁ ୧୨ମାସରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.