Home ଜିଲ୍ଲା ପରିକ୍ରମା ମିଶାବନ୍ଦୀମାନଙ୍କ ରେକର୍ଡ ପାଉନାହିଁ ପ୍ରଶାସନ, ମିଶାବନ୍ଦୀଙ୍କ ମଧ୍ୟରେ ନୈରାଶ୍ୟ

ମିଶାବନ୍ଦୀମାନଙ୍କ ରେକର୍ଡ ପାଉନାହିଁ ପ୍ରଶାସନ, ମିଶାବନ୍ଦୀଙ୍କ ମଧ୍ୟରେ ନୈରାଶ୍ୟ

17

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନିକ ଉଦାସୀନତା କାରଣରୁ ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଦଣ୍ଡ ଭୋଗିଥିବା ମିଶାବନ୍ଦୀମାନଙ୍କ ରେକର୍ଡ ମିଳୁନାହିଁ। ଫଳରେ ଜିଲାର ମିଶାବନ୍ଦୀ ମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ସୂଚନାଯୋଗ୍ୟ ଦେଶର ଜରୁରୀକାଳୀନ ପରିସ୍ଥିତିରେ ରାଜନୈତିକ ଆକ୍ରୋଶର ଶୀକାର ହୋଇଥିବା ବହୁ ବ୍ୟକ୍ତି ମିଶା, ଡିଆଇଆର ଓ ଡିଆଇଏସ୍‌ଆର ଆଇନ୍ ବଳରେ ଏମାନଙ୍କୁ ପୁଲିସ୍ ଗିରଫ କରି କୋର୍ଟକୁ ପଠାଇଥିଲେ। ମାସ ମାସ ଧରି ଏମାନେ ଜେଲ୍‌ରେ ବନ୍ଦୀ ହୋଇ ପଡିରହିଥିଲେ। କେତେକ ପୁଲିସ୍‌ର ମାତ୍ରାଧିକ ଅତ୍ୟାଚାର ଶୀକାର ହେବାକୁ ପଡିଥିଲା। ତେବେ ଏହି ମିଶାବନ୍ଦୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ଭତା, ମାଗଣା ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ମହତ୍ ଉଦ୍ଦେଶ୍ୟ ଭଦ୍ରକ ଜିଲାରେ କାର୍ଯ୍ୟକାରୀ ହେବାରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ପ୍ରକାଶଯୋଗ୍ୟ ୧୯୭୫ ରୁ ୧୯୭୭ ମଧ୍ୟରେ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ଜିଲାରେ ୧୪ ଜଣଙ୍କୁ ମିଶା, ଡିଆଇଆର ଓ ଡିଆଇଏସ୍‌ଆର ରେ ପୁଲିସ୍ ଗିରଫ କରି ଜେଲ୍ ପଠାଇଥିଲା। ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏମାନେ ହେଲେ ପୂର୍ବତନ ମନ୍ତ୍ରୀ ବୈରାଗୀ ଜେନା, ପୂର୍ବତନ ବିଧାୟକ ଗଂଗାଧର ଦାସ, ସୁବାଷ ବାରିକ (ବାସୁଦେବପୁର), ଅକ୍ଷୟ କୁଣ୍ଡୁ (ଏଡତାଳ ପଦ୍ମପୁର), ଉଦ୍ଧବ ଚରଣ ଜେନା। ଏହି ମିଶାବନ୍ଦୀମାନଙ୍କ ମଧ୍ୟରୁ ଏବେ ଜୀବିତ ଅଛନ୍ତି ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ଭଦ୍ରକ ଏସ୍‌ଡିଜେଏମ୍ ବିଜୟ କୁମାର ରାଉତ, ପ୍ରଭାତ କୁମାର ନାୟକ, ଭରତ କୁମାର ମହାନ୍ତି (ବାସୁଦେବପୁର), କୈଳାସ ଚନ୍ଦ୍ର ସାହୁ (ବାସୁଦେବପୁର), ତାରାକାନ୍ତ ମହାପାତ୍ର (ଭଦ୍ରକ), ପ୍ରଶାନ୍ତ ପାଣିଗ୍ରାହୀ (ଭଦ୍ରକ କେଶପୁର), ବିମଲ କୁମାର ମହାନ୍ତି (ଭଦ୍ରକ ରାଜମୁକୁନ୍ଦପୁର)। ଏହାବ୍ୟତୀତ ଭଦ୍ରକର ତତ୍‌କାଳୀନ ଯୁବନେତା ୰ ଲକ୍ଷ୍ମୀନାରାୟଣ ମହାପାତ୍ର। ତେବେ ଏହି ଜୀବିତ ମିଶାବନ୍ଦୀ ମାନେ ଓଡ଼ିଶା ସରକାରଙ୍କ ପ୍ରଦତ ଫର୍ମରେ ଜିଲାର ୭ ଜଣ ମିଶା, ଡିଆଇଆର ଓ ଡିଆଇଏସ୍‌ଆର ବନ୍ଦୀମାନେ ଜିଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। ତେବେ ଏହାମଧ୍ୟରୁ ଦୁଇମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ଆବେଦନ ପତ୍ର ଅନୁଯାୟୀ ଜେଲ୍‌ରେ ଥିବା ବନ୍ଦୀ ସଂପର୍କିତ କୌଣସି ପ୍ରାମାଣିକ ତଥ୍ୟ ପାଇପାରୁନାହିଁ। ଜିଲା ପ୍ରଶାସନ ପକ୍ଷରୁ ତଥ୍ୟ ହାସଲ ପାଇଁ ଜିଲା ଏସ୍‌ପି ଅଫିସ୍‌, ଜେଲ୍‌, କୋର୍ଟ କୁ ଚିଠି କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ଜିଲାର ମିଶାବନ୍ଦୀମାନେ ପ୍ରଶାସନ ନିକଟରେ ଦ୍ୱାରସ୍ତ ହୋଇ ହତାଶ ହୋଇଗଲେଣି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ମହତ୍ ଉଦ୍ଦେଶ୍ୟ ଭଦ୍ରକ ଜିଲାରେ କାର୍ଯ୍ୟକାରୀ ହେବାରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅପରପକ୍ଷରେ ଭଦ୍ରକରେ ଗିରଫ ହୋଇଥିବା ପୂର୍ବତନ ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ ଏ ବାବଦରେ ମୁଖ୍ୟ ଶାସନ ସଚିବ, ଗୃହ ମନ୍ତ୍ରଣାଳୟ ଓ ଜିଲାପାଳଙ୍କୁ ଏକ ପତ୍ର ଦେଇଛନ୍ତି। ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଏବେ ଯେଉଁ ବନ୍ଦୀମାନେ ଜୀବିତ ଅଛନ୍ତି, ସେମାନଙ୍କର ବୟସ ୭୦ ରୁ ବର୍ଷରୁ ଉର୍ଦ୍ଧ୍ୱ ହେବ। ଏମାନଙ୍କ ପକ୍ଷେ ବିଭିନ୍ନ ଅଫିସ୍ ଯାଇ ତଥ୍ୟ ସଂଗ୍ରହ କରିବା ସମ୍ଭବପର ନୁହେଁ। ଏଣୁ ପ୍ରଶାସନ ଭଦ୍ରକ ଜିଲାର ବନ୍ଦୀମାନଙ୍କର ପ୍ରାମାଣିକ ତଥ୍ୟ ହାସଲ ଦିଗରେ ଗୁରୁତ୍ୱ ଦେବାକୁ ସେ ନିବେଦନ କରିଛନ୍ତି। ଜିଲାର ଅନ୍ୟତମ ମିଶାବନ୍ଦୀ ତାରାକାନ୍ତ ମହାପାତ୍ର କୁହନ୍ତି ଜରୁରୀ କାଳୀନ ପରିସ୍ଥିତି ସମୟରେ ଭଦ୍ରକ ବାଲେଶ୍ୱର ଜିଲା ଅଧୀନରେ ଥିଲା। ସେତେବେଳେ ଜିଲାର ମାନ୍ୟତା ପାଇନଥିଲା, ସବଡିଭିଜନ ଥିଲା। ସେହି ସମୟରେ ଯେଉଁ ବନ୍ଦୀମାନେ ବିଭିନ୍ନ ଥାନା ଅଂଚଳରେ ଗିରଫ ହୋଇଥିଲେ, ସେମାନଙ୍କର ରେକର୍ଡପତ୍ର ତତ୍‌କାଳୀନ ଭଦ୍ରକ ଡିଏସ୍‌ପି ଅଫିସ୍‌, ବାଲେଶ୍ୱର ଜିଲା ଏସ୍‌ପି ଅଫିସ୍ ଓ ଜିଲା ଜଜ୍ କୋର୍ଟରେ ମିଳିପାରିବ। ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେଇ ତଥ୍ୟ ହାସଲ କରିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.