Home ଜିଲ୍ଲା ପରିକ୍ରମା ମିଶାବନ୍ଦୀଙ୍କ ସମ୍ବର୍ଦ୍ଧନା ପ୍ରସଙ୍ଗ,ଡାକିଲେ ଅପମାନିତ କଲେ

ମିଶାବନ୍ଦୀଙ୍କ ସମ୍ବର୍ଦ୍ଧନା ପ୍ରସଙ୍ଗ,ଡାକିଲେ ଅପମାନିତ କଲେ

14

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦେଶର ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ମିଶାବନ୍ଦୀମାନଙ୍କୁ ଆସନ୍ତାକାଲି ୨୫ ତାରିଖରେ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସବୁ ଜିଲାର ସମ୍ବର୍ଦ୍ଧିତ ହେବାକୁ ଥିବା ମିଶା, ଡିଆଇଆର, ଡିଆଇଏସ୍‌ଆଇଆର ବନ୍ଦୀମାନଙ୍କୁ ପ୍ରଶାସନ ତରଫରୁ ଭୁବନେଶ୍ୱରରେ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ପ୍ରଶାସନ ତରଫରୁ ଜିଲାରେ ଜୀବିତ ଥିବା ୯ ଜଣ ମିଶାବନ୍ଦୀମାନଙ୍କୁ ଅପରାହ୍ନ ୧.୩୦ ରେ ଟେଲିଫୋନ୍ ଯୋଗେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ସଂପୃକ୍ତ ମିଶାବନ୍ଦୀ ଅଂଚଳର ବିଡିଓମାନଙ୍କ ନିକଟରେ ମିଶାବନ୍ଦୀମାନଙ୍କୁ ପହଂଚିବା ପାଇଁ କୁହାଯାଇଥିଲା। ପରେ ସେମାନଙ୍କୁ ଜିଲା ପ୍ରଶାସନ ନିକଟରେ ପହଂଚିବା ପାଇଁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଭୁବନେଶ୍ୱରରେ ପହଂଚାଇ ଦିଆଯିବାର ବ୍ୟବସ୍ଥା ରଖାଯାଇଛି ବୋଲି ମିଶାବନ୍ଦୀ ମାନଙ୍କୁ ସୂଚନା ଦିଆଯାଇଥିଲା। ସୂଚନା ମିଳିବା ପରେ ସେମାନେ ଓ ସେମାନଙ୍କ ପରିବାର ଲୋକ ବେଶ୍ ଉଲ୍ଲସିତ ଓ ଆନନ୍ଦିତ ହୋଇ ପ୍ରସ୍ତୁତ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ୯ ଜଣ ପରିବର୍ତେ ମାତ୍ର ୨ ଜଣ ସମ୍ବର୍ଦ୍ଧିତ ହେବେ ବୋଲି ସୂଚନା ଦିଆଯିବା ପରେ ଏହି ୭ ଜଣ ମିଶାବନ୍ଦୀମାନଙ୍କ ଆଶା ମଉଳିଯାଇଥିଲା। ପ୍ରଶାସନ ସେମାନଙ୍କୁ ନିରାଶ କରିନାହାଁନ୍ତି ବରଂ ଅପମାନିତ କରିଛନ୍ତି ବୋଲି କେତେକ ମିଶାବନ୍ଦୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ବହୁ ପୂର୍ବରୁ ମିଶାବନ୍ଦୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ବନ୍ଦୀମାନଙ୍କ ସଂପର୍କରେ ତତ୍‌କାଳୀନ ବାଲେଶ୍ୱର ଜିଲା ଏସ୍‌ପି ଅଫିସ୍ ଓ ଜେଲ୍ ସହ ଯୋଗାଯୋଗ ରକ୍ଷା କରି ପ୍ରଶାସନ କୌଣସି ତଥ୍ୟ ନପାଇବା ପରେ ଚୁପ୍ ବସିଥିଲା। ଏଭଳି ପରିସ୍ଥିତିରେ ବାଙ୍କୀର ପୂର୍ବତନ ବିଧାୟକ ତଥା ଛାତ୍ରନେତା ଓ ଜରୁରୀକାଳୀନ ପରିସ୍ଥିତିର ମିଶାବନ୍ଦୀ ପ୍ରଭାତ ତ୍ରିପାଠୀ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ ମିଶାବନ୍ଦୀମାନେ ଏବେ ପରିଣତ ବୟସରେ ସବୁ ଅଫିସ୍ ଯାଇ ତଥ୍ୟ ସଂଗ୍ରହ କରିବା କଷ୍ଟସାଧ୍ୟ। ଏଣୁ ମିଶାବନ୍ଦୀଙ୍କ ତଥ୍ୟ ସଂଗ୍ରହ ସକାଶେ ଗୃହ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ଦିଗରେ ପ୍ରଶାସନର କୌଣସି ତତ୍ପରତା ପ୍ରକାଶ ନପାଇବାରୁ ହତାଶ ମନୋଭାବ ସୃଷ୍ଟି ହେବା ସହ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଂଚିତ ହେବା ନେଇ ମିଶାବନ୍ଦୀଙ୍କ ମହଲରେ ଚିନ୍ତା ପ୍ରକଟ ହୋଇଛି।
ମିଶାବନ୍ଦୀଙ୍କ ପ୍ରତିକ୍ରିୟା ..
କୈଳାସ ସାହୁ, ବ୭୧ର୍ଷ, (ବାସୁଦେବପୁର) – ଆମେ ଚୁପ୍ ଥିଲୁ। ଜିଲା ପ୍ରଶାସନ ଆମକୁ ଆଜି ସମ୍ବର୍ଦ୍ଧିତ କରିବାର ସୂଚନା ଦେବା ପରେ ପରିବାରରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା। କିନ୍ତୁ ପର ମୁହୂର୍ତରେ ପ୍ରଶାସନ ମନା କରିଦେବାରୁ ଜଣେ ମିଶାବନ୍ଦୀକୁ ଅପମାନିତ କରାଯାଇନାହିଁ, ରାଜ୍ୟ ସରକାରଙ୍କ ନିଷ୍ପତିକୁ ହେୟଜ୍ଞାନ କରିଛନ୍ତି। ଅନ୍ୟପକ୍ଷରେ ମୋତେ ଗତ ତା ୨୫.୦୬.୨୪ ରିଖରେ ଜିଲା ବୁଦ୍ଧିଜୀବୀ ପ୍ରକୋଷ୍ଠ, ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା ପକ୍ଷରୁ, ସ୍ୱାଧୀନତା ସଂଗ୍ରାମୀ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ବାର୍ଷିକ ଅବସରରେ ତା ୨୩.୧୧.୨୦୧୭ ରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମ୍ବର୍ଦ୍ଧିତ କରିଥିବାବେଳେ ଆଜି ମୁଁ ସମ୍ବର୍ଦ୍ଧିତ ହେବାରୁ ବଂଚିତ ମୋ ପାଇଁ ଅତ୍ୟନ୍ତ ପରିତାପର ବିଷୟ।
ତାରାକାନ୍ତ ମହାପାତ୍ର , ବ୭୪ର୍ଷ – ଜରୁରୀକାଳୀନ ପରିସ୍ଥିତିରେ ଜେଲ୍‌ରେ ଯେଉଁ କଷ୍ଟ ପାଇନଥିଲୁ, ଆଜି ଜିଲା ପ୍ରଶାସନର ଅବହେଳା ଫଳରେ ତାହାଠାରୁ ଅଧିକ ଅପମାନିତ ହୋଇଛୁ। ତେବେ ଜିଲାରେ ଏବେ ଦାୟିତ୍ୱ ନେଇଥିବା ନୂତନ ଏସ୍‌ପିଙ୍କ ଉପରେ ଆମର ଭରସା ଅଛି, ସେ ଚାହିଁଲେ ଜିଲାର ମିଶାବନ୍ଦୀମାନଙ୍କ ସମସ୍ତ ତଥ୍ୟ ଓ ପ୍ରମାଣପତ୍ର ସଂଗ୍ରହ କରି ମିଶାବନ୍ଦୀମାନଙ୍କୁ ନ୍ୟାୟ ଦେଇପାରିବେ ସେ ମତବ୍ୟକ୍ତ କରିଛନ୍ତି।
ବାଦଲ ନାୟକ,ବ୭୪ର୍ଷ (ତିହିଡି) – ସେହି ସମାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ସମ୍ବର୍ଦ୍ଧନା, କେନ୍ଦ୍ର ସରକାରଙ୍କ ମାସିକ ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ବଂଚିତ ହେଲୁ। ଏହାବ୍ୟତୀତ ଜିଲା ପ୍ରଶାସନ ଡକାଇ ପୁଣି ମନା କରିଦେବା ଆମକୁ ଅପମାନିତ ଓ ପ୍ରତାରିତ କରିଛି।
ତତ୍‌କାଳୀନ ପୂର୍ବତନ ଛାତ୍ରନେତା ପ୍ରାକ୍ତନ ଏସ୍‌ଡିଜେଏମ୍ ବିଜୟ କୁମାର ରାଉତରାୟ, ବ୭୩ର୍ଷ- ସମାନ ଅଭିଯୋଗ କରି କହିଛନ୍ତି ନିମନ୍ତ୍ରଣ କରି ପଛରେ ମନା କରିବା, ଜରୁରୀକାଳୀନ ପରିସ୍ଥିତିର ମିଶାବନ୍ଦୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ମର୍ମାହତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.