Home ଆମ ପର୍ବ ପର୍ବାଣୀ ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

68

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ନେରଡା ଗ୍ରାମ ବୈତରଣୀ ନଦୀ କୂଳରେ ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ପ୍ରତ୍ୟୁଷରେ ଉଦ୍‌ଯାପିତ ହୋଇଯାଇଛି। ଗତ ୧୩ ତାରିଖ ନିଶାର୍ଦ୍ଧରେ ନିଶାବଳୀ ସହ ୧୪ ତାରିଖ ପଣା ସଙ୍କ୍ରାନ୍ତୀ ପ୍ରତ୍ୟୁଷରେ ଘଣ୍ଟା, କୁକ୍କୁଟ, ସୁନା ମୋକଟ, ରୂପା ମୋକଟ, ମାଟି ଘୋଡା, ଷୋଡଶଉପଚାର ପୂଜା ସହ ଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ସନ୍ଧ୍ୟାରେ ମେଲୋଡି ଓ ଅପେରା ଅନୁଷ୍ଠିତ ହୋଇଥିଲା। ପର୍ବପାଳନ ଦିନମାନଙ୍କରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ ହୋଇଥିବା ଭକ୍ତମାନେ ମା’ଙ୍କ ଉଦ୍ଦେଶ୍ୟରେ କୁକୁଡା ଛାଡ କରି ଦିଆଯାଇ ଥିଲା। ଏହାସହ ଚଳିତ ବର୍ଷ ନୂତନ ଭାବେ ମନାସି ଥିବା ଭକ୍ତ ଗଣ ଆସନ୍ତା ବର୍ଷ ମାନସିକ ପୂରଣ ହେଲେ ଆଗାମୀ ବର୍ଷ ଯାତ୍ରା ସମୟରେ ମା’ଙ୍କ ପାଇଁ ଉପଚାର କରିବେ ବୋଲି ମା’ଙ୍କୁ ଗୁହାରୀ କରୁଥିବା ଦେଖାଯାଇଥିଲା। ଅନ୍ତିମ ଦିବସରେ ୨୦ ହଜାର ଲୋକଙ୍କ ସମାଗମ ହେଇଥିଲା। ଯାତ୍ରାର ଶେଷ ଦିନରେ କାଳିସୀ ମାଗୁଣି ଦଳାଇକୁ ହୋଇଥିବା ସ୍ୱପ୍ନାଦେଶ ଅନୁଯାୟୀ ବୈତରଣୀ ନଦୀରେ ଭାସମାନ ଅବସ୍ଥାରେ ଥିବା ପୂର୍ବ ବର୍ଷର ଚରଖ ଖୁଣ୍ଟି ଅଣାଯାଇ ଚରଖ ବନ୍ଧାଯାଇଥିଲା। ଚରଖ ଖୁଣ୍ଟରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ଦୋଳି ଖେଳାଯାଇଥିଲା। ମା’ଙ୍କ ଦୋଳି ଖେଳ ପରେ ପାଟୁଆ, ଦେହୁରୀ କୃଷ୍ଣ ମାଝୀ ଓ ସାଥି ଓ ସାଧାରଣ ଭକ୍ତଗଣ ଦୋଳି ଖେଳିଥିଲେ। ବିଧିମତେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ସମାପ୍ତି ଘୋଷଣା କରାଯାଇଥିଲା। ପୂର୍ବ ଭଳି ଚରଖ ଖୁଣ୍ଟକୁ ବୈତରଣୀ ନଦୀରେ ଭସାଇ ଦିଆଯାଇଥିଲା। ପ୍ରଥା ଅନୁଯାୟୀ ଉକ୍ତ ଚରଖ ଖୁଣ୍ଟ ବନ୍ୟା ସ୍ରୋତରେ କେବେ ଭାସିଯାଏ ନାହିଁ। ଏହି ଘଟଣା ମା’ଙ୍କ ଅଲୌକିକ ଲୀଳା ମଧ୍ୟରୁ ଅନ୍ୟତମ ବୋଲି ସ୍ଥାନୀୟ ଲୋକେ ତଥା ପୂଜକ ବ୍ରଜ କିଶୋର ପଣ୍ଡା ମତ ରଖନ୍ତି। ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଥିଲା। ଯାତ୍ରା କମିଟି ପକ୍ଷରୁ ସୂଚନା କେନ୍ଦ୍ର ପ୍ରତିଷ୍ଠା ହେବା ସହ ଯାତ୍ରୀମାନଙ୍କୁ ସହାୟତା ନିମନ୍ତେ ସ୍ୱେଚ୍ଛାସେବୀ ନିଯୁକ୍ତି ଦିଆଯାଇଥିଲା। କମିଟି ପକ୍ଷରୁ ସଭାପତି ଭାଗବତଜେନା, ସମ୍ପାଦକ ଅନନ୍ତ କେଶରୀ ଜେନା, ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ରବିନାରାୟଣ ଜେନା, ନିରଞ୍ଜନ ଜେନା, କିର୍ତ୍ତନ ଜେନା, ଶରତ ଜେନା, ବୀରଭଦ୍ର ଜେନା, ବସନ୍ତ ନାୟକ, ନୀଳମଣି କବି, ହରିଶ୍ଚନ୍ଦ୍ର ବାରିକ, ଗୋପାଳ ଭଞ୍ଜ, ଅଶୋକ ସେଠୀ, ଭୀମସେନ ଜେନା ପ୍ରମୁଖ ସଭ୍ୟ ଓ ଗ୍ରାମବାସୀମାନେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.