Home Top News ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ‘ନୂଆଁଖାଇ ଭେଟଘାଟ’ରେ...

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକାର

102

ସମ୍ବଲପୁର ୧୨-୯ (ଓଡ଼ିଆ ପୁଅ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି।

ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁରୀ ଭାଷାରେ ମିଠାସ୍ ରହିଛି। ସମ୍ବଲପୁରୀ ଭାଷାରେ ଆମର ବନ୍ଧୁମାନେ ଯେତେବେଳେ କଥା ହୁଅନ୍ତି ତାହା ତାଙ୍କୁ ବହୁତ ଭଲ ଲାଗେ। ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ। ସମ୍ବଲପୁରୀ ନୃତ୍ୟ ଓ ଗୀତ ଅତି ମନଛୁଆଁ। ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି।

କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡ଼ିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି। ସଂଗ୍ରାମ ଓ ସଂସ୍କୃତିର ମହାନପୀଠ ହେଉଛି ସମ୍ବଲପୁର।

ଦେଶ ଓ ଜାତି ପାଇଁ ବୀରସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ସଂଗ୍ରାମ ତାଙ୍କୁ କିମ୍ବଦନ୍ତୀ କରି ଗଢ଼ିଛି। ସେ ଥିଲେ ଅଜେୟ।

ହୀରାକୁଦଠାରୁ ଆରମ୍ଭ କରି ଦେବ୍ରିଗଡ଼ ଅଭୟାରଣ୍ୟ, ହୁମାଗଙ୍ଗ ମନ୍ଦିର, ହରିଶଙ୍କର, ନୃସିଂହନାଥ- ଏସବୁ ହେଉଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ। ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆମେ ଯୋଜନା କରିଛୁ।

ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକାର ପାଇବେ ସ୍ଥାନୀୟ ଲୋକମାନେ।

ଏହି ରୂପାନ୍ତରର ଲକ୍ଷ୍ୟ ହେଉଛି – ଆମ ସଂସ୍କୃତି, ପରମ୍ପରାକୁ ବିଶ୍ୱମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା। ମା’ ସମଲେଶ୍ୱରୀ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି। ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ। ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ), ସମ୍ବଲପୁର ଉପଜିଲ୍ଲାପାଳ ମୟୁର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ସାଢ଼େ ୭କୋଟି ଟଙ୍କା ବ୍ୟୟ କରାଯାଇଛି। ପ୍ରାୟ ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ। ସମ୍ବଲପୁର ଓ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଏହି ମା’ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି। ପଦ୍ମ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି।

ନୂଆଁଖାଇ ଅବସରରେ ପଶ୍ଚିମଓଡ଼ିଶାର କଳାକାରମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହେଉଛି। ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ୯ଟି ଟିମ୍ ଏହି ଲୋକନୃତ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଉଦ୍ୟମରେ ଏହି ନୂଆଁଖାଇ ଭେଟଘାଟରେ ପଶ୍ଚିମଓଡ଼ିଶାର କଳାକାରମାନେ ନିଜ ଅଂଚଳର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଯାହାକୁ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିବାର ସୁଯୋଗ ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.