Home ଜିଲ୍ଲା ପରିକ୍ରମା ମାମଲା ସଂଖ୍ୟା ବୃଦ୍ଧି-ପଦୋନ୍ନତି ନିଶାରେ ଅବକାରୀ ଅଧିକାରୀ, – ଦୋଷ ନଥାଇ ବର୍ଷକର କ୍ଷୀରପିଆ ପୁଅଠାରୁ...

ମାମଲା ସଂଖ୍ୟା ବୃଦ୍ଧି-ପଦୋନ୍ନତି ନିଶାରେ ଅବକାରୀ ଅଧିକାରୀ, – ଦୋଷ ନଥାଇ ବର୍ଷକର କ୍ଷୀରପିଆ ପୁଅଠାରୁ ଛଡ଼େଇ ନେଲେ ମାଆକୁ -ମାତାଲି ସ୍ୱାମୀର ମଦ କାରବାରକୁ ବିରୋଧ ସତ୍ତ୍ୱେ ନିସ୍ତାର ପାଇଲାନି ପତ୍ନୀ

58

ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁଁ ବ୍ରାଉନସୁଗାର କାରବାର କ୍ଷେତ୍ରରେ ବାଲେଶ୍ୱର ଏବେ ସମଗ୍ର ଦେଶରେ ହବ୍ ପାଲଟିଛି। ଅନ୍ୟପକ୍ଷରେ ବାଲେଶ୍ୱର ଅବକାରୀ ବିଭାଗ ଅଧିକାରୀଙ୍କ ମାମଲା ସଂଖ୍ୟା ବୃଦ୍ଧି ଓ ପଦୋନ୍ନତି ପାଇବା ନିଶା ଯୋଗୁଁ ବିଭିନ୍ନ ସମୟରେ ସମ୍ପୂର୍ଣ୍ଣ ଟିମ୍କୁ ଅପଦସ୍ତ ହେବାକୁ ପଡ଼ୁଛି। ଅନୁରୂପ ଭାବେ ସଦର ଥାନା ଅନ୍ତର୍ଗତ ଚଣ୍ଡିପୁର ଗ୍ରାମରେ ଦେଶୀମଦ ବ୍ୟବସାୟ କରୁଥିବା ଜନୈକ ଯୁବକଙ୍କ ପତ୍ନୀଙ୍କୁ ଅବକାରୀ ଟିମ୍ ଗିରଫ କରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମର ଶ୍ୟାମସୁନ୍ଦର ବେହେରାଙ୍କ ପୁତ୍ର ରାଜମିସ୍ତ୍ରୀ ଶମ୍ଭୁନାଥ ବେହେରା ନିଜେ ମଦ ପିଇବା ସହିତ ସ୍ଥାନୀୟ ଯୁବକଙ୍କୁ ମଦ ବିକ୍ରି କରୁଥିବା ନେଇ ଅଭିଯୋଗ ହେଉଥିଲା। ପତ୍ନୀ ତପସ୍ୱନୀ ବେହେରା ମାତାଲି ସ୍ୱାମୀ ଶମ୍ଭୁନାଥର ମଦପିଆ ଓ ମଦବିକ୍ରି ନୀତିକୁ ବିରୋଧ କରିବା ସହ ସମ୍ପର୍କୀୟଙ୍କ ଜରିଆରେ ପୁଲିସ ତଥା ଅବକାରୀ ବିଭାଗକୁ ବହୁବାର ଖବର ଦେଇଛି। ଏମିତିକି ଅଭିଯୋଗ କରିବା ଯୋଗୁଁ ସ୍ୱାମୀଠାରୁ ମାଡ଼ଖାଇ ତାଙ୍କୁ ବାପଘରେ ରହିବାକୁ ପଡ଼ିଛି। କୋଳରେ ଏବେ ବର୍ଷକର ପୁଅଟିଏ ବି ତାଙ୍କର ଅଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସଦର ଶାଖାର ଇନ୍ସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଶମ୍ଭୁନାଥଙ୍କ ଘର ଉପରେ ଆଜି ସକାଳେ ଚଢ଼ଉ କରିଥିଲା। ସେତେବେଳକୁ ଶମ୍ଭୁନାଥ କାମ କରିବାକୁ ଘରୁ ପଳାଇ ଯାଇଥିଲା। ଅବକାରୀ ଟିମ୍ ତାଙ୍କ ପତ୍ନୀ ତପସ୍ୱନୀଙ୍କୁ ମଦ ସମ୍ପର୍କରେ ପଚରାଉଚୁରା ବି କରିଥିଲେ। ତେବେ ତାଙ୍କ ବିରୋଧ ଯୋଗୁଁ ଶମ୍ଭୁନାଥ ଘର ଭିତରେ ମଦ ରଖେନାହିଁ ଓ ଘର ବାହାର ବାଡ଼ିରେ କେଉଁଠି ରଖିଥିବ ବୋଲି ସେ ଅବକାରୀ କର୍ମଚାରୀଙ୍କୁ ସୂଚୀତ କରିଥିଲେ। ସେହିକ୍ର୍ରମରେ ଅବକାରୀ କର୍ମଚାରୀମାନେ ଶମ୍ଭୁନାଥର ଘରବାଡ଼ିରୁ ଗୋଟିଏ ଜରକିନ୍ରେ ଥିବା ୯ ଲିଟର ଦେଶୀମଦକୁ ଜବତ କରିଥିଲେ। ପରେ କିଛି ବୁଝିବା ପୂର୍ବରୁ ଶମ୍ଭୁନାଥ ପରିବର୍ତ୍ତେ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ସେମାନେ ଆରେଷ୍ଟ କରିଥିଲେ। ୧ବର୍ଷର ପୁଅକୁ ଛାଡ଼ି ସେ କେମିତି ଯିବେ ବୋଲି ତପସ୍ୱିନୀ କାକୁତି ମିନତି ହୋଇ କହିଥିଲେ। ସ୍ୱାମୀଙ୍କ କୁକର୍ମକୁ ସେ ସବୁବେଳେ ବିରୋଧ କରିଆସୁଥିବା ନେଇ ପ୍ରକାଶ କରିବା ସହ ପଡ଼ୋଶୀଙ୍କୁ ଏ ବାବଦରେ ପଚାରିବାକୁ ତପସ୍ୱନୀ ଅବକାରୀ କର୍ମଚାରୀଙ୍କୁ ନେହୁରା ମଧ୍ୟ ହୋଇଥିଲେ। ପରେ ଗ୍ରାମବାସୀମାନେ ମଧ୍ୟ ଅବକାରୀ ଟିମ୍କୁ ସବୁକଥା ଜଣାଇବା ସହ ତପସ୍ୱିନୀଙ୍କ ସୂଚନା କ୍ରମେ ଏହି ଚଢ଼ଉ ହୋଇଥିବା ବୁଝାଇଥିଲେ। ମାତ୍ର କାହାରି କଥା ଶୁଣିବା ପରିବର୍ତ୍ତେ ସଦର ଇନସ୍ପେକ୍ଟର ଶ୍ରୀ ପ୍ରଧାନ ତପସ୍ୱିନୀଠାରୁ କ୍ଷୀର ପିଇଥିବା ତାଙ୍କର ପୁଅକୁ ଅଲଗା କରି ଜୋର ଜବରଦସ୍ତ ଗିରଫ ସହ ଅଫିସକୁ ନେଇ ଆସିଥିଲେ। ଏଭଳି ଅମାନବୀୟ ଦୃଶ୍ୟକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସେମାନେ ଅବକାରୀଟିମ୍କୁ କିଛି କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ତେବେ ମାମଲା ସଂଖ୍ୟା ବୃଦ୍ଧି କରିବା ଓ ପଦୋନ୍ନତି ପାଇବା ନିଶାରେ ଅବକାରୀ ଅଧିକାରୀଙ୍କର ଏହିଭଳି ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଟିମ୍କୁ ସାଧାରଣରେ ଶରବ୍ୟ ହେବାକୁ ପଡ଼ୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚଣ୍ଡିପୁର, ଭୀମପୁର ଓ ରସାଳପୁର ଗ୍ରାମବାସୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.