Home ଜିଲ୍ଲା ପରିକ୍ରମା ମାନସିକ ନିର୍ଯ୍ୟାତନା ସହ ଦୁଷ୍କର୍ମର ଶୀକାର ହୋଇଥିବା ଷ୍ଟାଫନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ, ପତିଙ୍କ ଅଭିଯୋଗ ପରେ...

ମାନସିକ ନିର୍ଯ୍ୟାତନା ସହ ଦୁଷ୍କର୍ମର ଶୀକାର ହୋଇଥିବା ଷ୍ଟାଫନର୍ସଙ୍କ ଆତ୍ମହତ୍ୟା ଉଦ୍ୟମ, ପତିଙ୍କ ଅଭିଯୋଗ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

26

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ ନର୍ସଙ୍କୁ ମାନସିକ ନିର୍ଯ୍ୟାତନା ସହ ବଳାତ୍କାର କରିବା ଭଳି ସଂଗୀନ ଅଭିଯୋଗ ଗଣମାଧ୍ୟମ ସହ ଜିଲାପାଳଙ୍କ ନିକଟରେ ହୋଇଛି। ଏହି ଘଟଣା ପରେ ସଂପୃକ୍ତ ଷ୍ଟାଫ ନର୍ସ ଜଣକ ଭାରସାମ୍ୟ ହରାଇ ଭଦ୍ରକ ଚରମ୍ପାସ୍ଥିତ ରେଳଷ୍ଟେସନରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ରେଳବାଇ ପୁଲିସ୍ ଦ୍ୱାରା ଅଳ୍ପକେ ମୃତ୍ୟୁମୁଖରୁ ବଂଚିଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ଆଜି କଟକ ସ୍ଥାନାନ୍ତର ହୋଇଛନ୍ତି। ଏହି ଘଟଣା ସଂପର୍କରେ ସଂପୃକ୍ତ ଷ୍ଟାଫ ନର୍ସ ସନ୍ତୋଷିନୀ ପଲେଇ ଗଣମାଧ୍ୟମ ନିକଟରେ କରିଥିବା ଅଭିଯୋଗ ମୂଳେ ଡାକ୍ତରଖାନା ଡାକ୍ତର ଅମୂଲ୍ୟ ଦାସ ଓ ଦୁଇଜଣ ମେଟନ କୁସୁମ ପାଢୀ ଓ ସୌଦାମିନୀ ଦାସ ତାଙ୍କୁ ବହୁ ସମୟରେ ମାନସିକ ନିର୍ଯ୍ୟାତନା ଦିଅନ୍ତି। ସେ ପ୍ରାୟ ୬ ବର୍ଷ ହେବ ଧାମନଗର ଡାକ୍ତରଖାନାରୁ ଆସି ଭଦ୍ରକରେ ଯୋଗଦେବା ପରେ ଠିକ୍ ସମୟରେ ନିଜର ଡ୍ୟୁଟି କରିଆସୁଥିଲେ। ରୋଗୀଙ୍କ ଭିଡ ସମୟରେ ସେ ମେଲ୍ ୱାର୍ଡ ଓ ଅନ୍ୟ ସମୟରେ ଫିମେଲ୍ ୱାର୍ଡରେ କାର୍ଯ୍ୟ କରିଥାନ୍ତି। କିନ୍ତୁ ଦୁଇଜଣ ମେଟନ ତାଙ୍କୁ ଡାକ୍ତରଙ୍କ ହୀନ ଉଦ୍ଦେଶ୍ୟ ସାଧନ କରିବା ଲକ୍ଷ୍ୟରେ ତାଙ୍କୁ ମେଲ୍ ୱାର୍ଡକୁ ନଯିବା ପାଇଁ ଚେତାବନୀ ଦେଇଥାନ୍ତି। ଇତିମଧ୍ୟରେ ସନ୍ତୋଷିନୀଙ୍କ ବୃଦ୍ଧ ପିତା ଅସୁସ୍ଥ ହୋଇପଡିଥିବାବେଳେ ଡାକ୍ତର ଶ୍ରୀ ଦାସ ସୁସ୍ଥ କରିବାରେ ଅନେକ ସହାୟତା କରିଥିଲେ। ଯେଉଁଥିପାଇଁ ଶ୍ରୀମତୀ ପଲେଇ ତାଙ୍କ ନିକଟରେ ଋଣୀ ଥିବାର ସୁଯୋଗରେ ଡାକ୍ତର ଶ୍ରୀ ଦାସ ତାଙ୍କୁ ବଳାତ୍କାର କରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଗୁଡିକ ତାଙ୍କର ସ୍ୱାମୀ ଜାଣିଥିଲେ ମଧ୍ୟ ପତ୍ନୀଙ୍କ ଅନୁରୋଧରେ ନୀରବ ରହିଥିଲେ। କିନ୍ତୁ ଧୀରେ ଧୀରେ ଶ୍ରୀମତୀ ପଲେଇଙ୍କ ପ୍ରତି ସଂପୃକ୍ତ ଡାକ୍ତର ଓ ଦୁଇ ମେଟନଙ୍କ ମାନସିକ ନିର୍ଯ୍ୟାତନା ବୃଦ୍ଧି ପାଇଥିଲା। ଫଳରେ ସେ ନିଜର ମାନସିକ ସ୍ଥିତି ହରାଇ ଗତକାଲି ଭଦ୍ରକ ରେଳଷ୍ଟେସନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ସଂପର୍କରେ ଆଜି ତାଙ୍କର ସ୍ୱାମୀ ନିକୁଂଜ ବିହାରୀ ମଲ୍ଲିକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମ କରି ଭଦ୍ରକ ଡାକ୍ତରଖାନାରେ ଭର୍ତି ହୋଇଥିବା ଗୁରୁତର ନର୍ସଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ବଳ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଧ୍ୟାହ୍ନରେ ଅତିରିକ୍ତ ଜିଲାପାଳ ସରୋଜ ଦତ ଭେଟି ତାଙ୍କର ଅବସ୍ଥା ଉଦ୍‌ବେଗ ଜନିତ ଥିବାରୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଉପରୋକ୍ତ ଘଟଣାକୁ ଶ୍ରୀମତୀ ପଲେଇ କୌଣସି ଅଧିକାରୀଙ୍କୁ ଅବଗତ କରିନଥିଲେ। କିନ୍ତୁ ଘଟଣାର ସମ୍ବେଦନଶୀଳତାକୁ ନଜର ରଖି ତଦନ୍ତ ହେବ ବୋଲି କହିଥିବାବେଳେ ଅତିରିକ୍ତ ଜିଲାପାଳଙ୍କ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ, ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.