Home Top News ମାଛଙ୍କ ସଭା (ବ୍ୟଙ୍ଗ)

ମାଛଙ୍କ ସଭା (ବ୍ୟଙ୍ଗ)

116

ଛୋଟ କେରାଣ୍ଡି ମାଛଟି ପହଁରି ପହଁରି ମାଛମାନଙ୍କୁ ଖବର ଦେଲା, ସାମ୍ପ୍ରତିକ ପରିସ୍ଥିତିରେ ଆଜି ଗୋଟେ ଜରୁରୀ ସଭାର ଆୟୋଜନ କରାଯାଇଛି, କିଛି ଗୁରୁତ୍ୱପୂର୍ଣ ଆଲୋଚନା ହେବ ତେଣୁ ଯୋଗଦେବାକୁ ଅନୁରୋଧ। ରୋହି ପଚାରିଲା କିରେ କେରାଣ୍ଡି, ଏମିତି କି ଆଲୋଚନା କରିବୁ କି ? ସାଧାରଣତଃ ମାନ୍ୟଗଣ୍ୟ ଓ ଜ୍ଞାନୀଗୁଣିମାନେ କିଛି ବିଚାର ବିମର୍ଶ କରିବା ପାଇଁ ସଭା ଆୟୋଜନ କରିଥାନ୍ତି ଓ ତଳତଳିଆଙ୍କୁ କହିଥାନ୍ତି ସମସ୍ତଙ୍କୁ ଡାକିବା ପାଇଁ। ଏ ସଭା କରିବା ପାଇଁ ତୋତେ କିଏ କହିଛି ନା ତୁ ମନକୁ କହି ଚାଲିଛୁ ? କେରାଣ୍ଡି କହିଲା ଏତେ ପ୍ରଜାତିର ମାଛଙ୍କୁ ସଭାରେ ଯୋଗଦେବାକୁ ଡାକି ଆସିଲି କାହାର କିଛି ପ୍ରତିବାଦ ନାହିଁ। ତୁମେ ଏମିତି କିଏ କି ଏତେ ପ୍ରଶ୍ନ ପଚାରୁଛ ? ରୋହି କହିଲା ତୁ ଜାଣିନୁ ମୁଁ କିଏ ? “ଅଗାଧ ଜଳ ସଂଚାରି ରୋହିତ ନୈବ ଗର୍ବିତମ୍, ଗଣ୍ଡୁଷ ଜଳ ମାତ୍ରେଣ ସର୍ଫରି ଫର୍ଫରାୟତେ “। ଆଞ୍ଜୁଳାଏ ପାଣିରେ ତୁ ଫଡ ଫଡ ହୋଇଥାଉ କିନ୍ତୁ ମୁଁ ଅଗାଧ ଜଳରେ ରହି ମଧ୍ୟ ଗର୍ବ ପ୍ରଦର୍ଶନ କରେନି। ଅଳ୍ପ ବିଦ୍ୟା ଭୟଙ୍କରୀ, ତୁ କିଛି ଜାଣି ବେଶି ଦେଖେଇ ହେବା ପ୍ରକୃତିର। ତା’ପରେ ତୁ ଗୋଟେ ଅତି ଛୋଟ କେରାଣ୍ଡି ତୋ କଥାକୁ କେହି ଗୁରୁତ୍ୱ ଦେବେନି। କେରାଣ୍ଡି ହସି ହସି କହିଲା ରୋହି ମହାଶୟ ଛୋଟ ବଡ କଥା କଣ କହୁଛନ୍ତି। ଜାଣି ରଖିବା ଉଚିତ ଯେ ଛୋଟ ସାପର ବେଶି ବିଷ। ମୋର ଆକାର କଣ ଦେଖୁଛନ୍ତି, କାମ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ତମେ ଗଭୀର ଜଳରେ ରହୁଛ ତେଣୁ ବାହ୍ୟ ଦୁନିଆ ବିଷୟରେ କିଛି ଜାଣିପାରୁନା। ମୁଁ ଅଧିକାଂଶ ସମୟ ପାଣିର ଉପରେ ରହି ଦୁନିଆର ସବୁ ଖବର ରଖିଛି। ରୋହି କହିଲା ଛୋଟ ଅବସ୍ଥାରେ ପାଣିର ଉପରି ସ୍ତରରେ ବାଡେଇ ହେବା ତୁମ୍ଭ ମାନଙ୍କର ଅଭ୍ୟାସ ଯାହାପାଇଁ ତୁମର ଉପସ୍ଥିତକୁ ଜାଣିପାରି ଲୋକେ ଜାଲ ପକେଇ ତୁମକୁ ଧରି ନେଇଯାନ୍ତି। ଆଲୋଚନା କରିବାକୁ ଡ଼ାକୁଛୁ ଯେ ତୋତେ ଯଦି କିଏ ଧରି ନେଇଗଲା, ସମସ୍ତେ ଉପସ୍ଥିତ ଥିବେ କିନ୍ତୁ ତୁ ନଥିବୁ। ତେଣୁ ଆଜି ଟିକେ ସତର୍କ ହୋଇ ଚଳପ୍ରଚଳ କର। କେରାଣ୍ଡି ଟିକେ ଆଖି ମାରି କହିଲା ନାହିଁ ଆଜ୍ଞା ଆମ ପ୍ରଜାତିର ଏତେ ଶୀଘ୍ର ଓ ସହଜରେ ଜାଲରେ ଧରାପଡୁନା। ମହୁରାଳୀ ସବୁବେଳେ ପାଣିର ଉପରେ ଖେଳେ ଓ ବାଡେଇ ହୁଏ ତେଣୁ ତାକୁ ଧରି ନେଇଯାନ୍ତି। ରୋହି କହିଲା ହଉ ତୁ ଯା ମୁଁ ଠିକ୍ ସମୟରେ ସଭା ସ୍ଥଳରେ ପହଞ୍ଚିବି। କେରାଣ୍ଡି ପୁଣି କଣ କହିଆସୁଥିଲା ବେଳେ ରୋହି ବିରକ୍ତି ହୋଇ କହିଲା ହଉ ହଉ ତୁ ଯା ଯା ବହୁତ ଗପୁଛୁ।

କେରାଣ୍ଡିର ନିମନ୍ତ୍ରଣ ରକ୍ଷା କରି ସବୁ ମାଛ ସଭା ସ୍ଥଳରେ ମିଳିତ ହେଲେ। ଭାକୁର କହିଲା କିରେ କେରାଣ୍ଡି କଣ ଗୋଟେ ଆଲୋଚନା କରିବୁ ବୋଲି ଡାକିଛୁ, ଉପରେ କଣ ଖେଳୁଛୁ, ଶୀଘ୍ର ଆଲୋଚନା ଆରମ୍ଭ କର। କେରାଣ୍ଡି କହିଲା ମଣିଷମାନେ ନିର୍ବାଚନ କରୁଛନ୍ତି, ନିର୍ବାଚନ ସମୟରେ ନେତା ଜନତାଙ୍କର କି ଅପୂର୍ବ ମିଳନ। କି ଗାଁ କି ସହର, ସବୁଆଡେ ଚଳଚଞ୍ଚଳ। ବିଭିନ୍ନ ମାଧ୍ୟମରେ ନିର୍ବାଚନ ପ୍ରଚାର କରୁଛନ୍ତି। ଭୋଜିଭାତରେ ସମସ୍ତେ ଭାସୁଛନ୍ତି, କେତେ ମଜା କରୁଛନ୍ତି। ଯିଏ ନିର୍ବାଚିତ ହୋଇଥାଏ ସେ ଜନତାଙ୍କ ଦୁଃଖ ଦୂର କରେ। ଆମେ ଯଦି ନିର୍ବାଚନ କରନ୍ତେ ତେବେ ଆମେ ମଧ୍ୟ ଆମର ନେତା ଚୟନ କରନ୍ତେ ଓ ସେ ବି ଆମର ଦୁଃଖ ସୁଖର ସାଥି ହୁଅନ୍ତା, ସେଥିଲାଗି ଆଜିର ଆଲୋଚନା। ଭାକୁର କହିଲା କାହିଁକି ସେ ନିର୍ବାଚନ କରିବାକୁ ମନ ବଳାଉଛ, ମୁଁ ପାଣିର ଉପର ସ୍ତରରେ ରହି ଯାହା ଖବର ରଖିଛି ଆଜିକାଲିକା ନିର୍ବାଚନରେ ଅତ୍ୟଧିକ ଖର୍ଚ୍ଚ। ପୁଣି ଆମେ ଜଳଜୀବ, ଏତେ ଟଙ୍କା ଆଣିବା କଉଠୁ ? ତେଣୁ କୌଣସି ପ୍ରତିଯୋଗିତା ନକରି ମୋତେ ନେତା ଭାବରେ ଘୋଷଣା କରାଯାଉ। ଏହା ଶୁଣି ବାଳିଆ ମାଛ ନିଶକୁ ଫୁଲାଇ କହିଲା ସେ ବେକାର କଥା ଗୁଡା କହନି ତୋ କଥା ଉପରେ କାହାରି ଭରସା ନାହିଁ। ପାଣିର ଉପରି ଭାଗରେ ରହି ସବୁ ଖାଦ୍ୟ ଖାଇଯାଉଛୁ, ତୋର ଖାଲି ଲମ୍ବା ଭାଷଣ, ଆଜି ଯାଏ ତୁ କାହା ପାଇଁ କଣ କରିଛୁ। ଏହା ଶୁଣି ଭାକୁର କହିଲା “ଚାଲୁଣି କହୁଛି ଛୁଂଚିକୁ”। କିରେ ବାଳିଆ, ତୋତେ କେତେ କିଏ ଭଲ ପାଆନ୍ତି ଆଉ ଆଦର କରନ୍ତି ତାହା ସମସ୍ତଙ୍କୁ ଜଣା। ନା ମାଛ ନା ମଣିଷ ତୋତେ କେହି ବି ଭଲ ପାଆନ୍ତି ନାହିଁ। ଛୋଟ ମାଛ ତୋତେ ଦେଖିଲେ ପ୍ରାଣ ବିକଳରେ ଧାଇଁ ଥାଆନ୍ତି। ତୋର ଦୟାମାୟା ନାହିଁ କି ବିଚାର ଶକ୍ତି ନାହିଁ ଯାହାକୁ ପାଉଛୁ ଖାଇଯାଉଛୁ। ପୋଖରୀରେ ଯାଆଁଳ ଗୁଡାକୁ ଖାଇଯାଉଛୁ ବୋଲି ଚାଷୀ ତୋତେ ଦେଖିଲା ମାତ୍ରେକେ ପୋଖରୀରୁ ବାହାର କରିଦେଉଛନ୍ତି। ଲୋକମାନେ ମୋତେ ଖାଇବାକୁ ଭଲ ପାଆନ୍ତି। ସେଥିଲାଗି ବଜାରରେ ମୋର ଚାହିଦା ଅଧିକ। ତୁ ପୁଣି ମୋ ବିରୋଧରେ କହୁଛୁ, ତୋତେ ଟିକେ ଲାଜ ଲାଗୁନି। ଭାକୁରର କଥା ଶୁଣି ବାଳିଆ ରାଗ କହିଲେ ନସରେ। ଲାଞ୍ଜକୁ ପାଣିରେ ବାଡେଇ ରାଗ ତମ ତମ ହୋଇ କହିଲା ଘାଣ୍ଟ ତରକାରୀ କରିବା ପାଇଁ ତୋ ଅପେକ୍ଷା ଲୋକମାନେ ମୋତେ ବେଶି ପସନ୍ଦ କରିଥାନ୍ତି। ବଜାରରେ କେବଳ ତୋର ଏକା ଚାହିଦା ନାହିଁ ସବୁ ମାଛଙ୍କର ଚାହିଦା ଅଛି। ବିନା ନିର୍ବାଚନରେ ତୋତେ ନେତା ଭାବେ ଆମେ ଗ୍ରହଣ କରିପାରିବୁନି। ବରଂ ମୋତେ ନେତା ଭାବରେ ମନୋନୀତ କରାଯାଉ। ବାଳିଆ ଓ ଭାକୁରର କଳି ଶୁଣି ମିରିକାଳୀ କହିଲା କିଛି ନହେଉଣୁ ଏତେ ମନୋମାଳିନ ଓ ବିଶୃଙ୍ଖଳା। ବାଳିଆକୁ ନେତା ଭାବେ ମନୋନୀତ କରିବାର ପ୍ରଶ୍ନ ଉଠୁନି। ସେ ଏମିତି ତ ଛୋଟ ଆକାର ମାଛ ଗୁଡାକୁ ଖାଇଯାଉଛି, ଯଦି ନେତା ହୋଇଯିବ ସେ ଆଉ ଇନ୍ଦ୍ର ଚନ୍ଦ୍ର ମାନିବ ନାହିଁ, ସବୁ ଖାଇଯିବ। ଯଦି ସବୁ ଚାହୁଁଛନ୍ତି ତେବେ ନିର୍ବାଚନ ହେଉ କିନ୍ତୁ ବିନା ନିର୍ବାଚନରେ କାହାକୁ ଆମେ ନେତା ବୋଲି ଗ୍ରହଣ କରିପାରିବୁନି। ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ମଣିଷ ମାନଙ୍କର ନିର୍ବାଚନ ସମୟରେ ଯେମିତି ହିଂସା ଘଟୁଛି ସେମିତି ନହେଉ। କଣ୍ଟିଆ ମାଛ କହିଲା ହଁ ହଁ ନିର୍ବାଚନ ହେଉ, କେହି ଯଦି ନିର୍ବାଚନକୁ ନେଇ କିଛି ବି ଗଣ୍ଡଗୋଳ କରନ୍ତି ମୁଁ ତାକୁ ଦଣ୍ଡ ଦେବି। ଭଗବାନ ମୋ ଦେହରେ ଯେଉଁ କଣ୍ଟା ଦେଇଛନ୍ତି, ସେଇଟା ତୁଛାରେ ଦେଇ ନାହାନ୍ତି, ସେଇଟା ଏବେ କାମରେ ଲଗେଇବି। ତା’ପରେ କଉ, ମାଗୁର ଓ ସିଂହି ଏକାବେଳେ କହିଉଠିଲେ କଣ୍ଟିଆର କଥାକୁ ଆମେ ସମର୍ଥନ କରୁଛୁ ଏବଂ ଆମ ଦେହରେ ବି ଅସ୍ତ୍ର ଅଛି, ଯିଏ ଗଣ୍ଡଗୋଳ କରିବ ଆମେ ତାକୁ ଉଚିତ ଶିକ୍ଷା ଦେବୁ।

ସଭା ଚାଲିଥିଲା ବେଳେ ମହୁରାଳୀ ଚିତ୍କାର କରି କହିଲା ଏବେ ଏବେ କେହି ଜଣେ ଲୋକ ଜାଲ ପକାଇ କେରାଣ୍ଡିକୁ ଧରି ନେଇଗଲା। ଏହା ଶୁଣି ରୋହି ଦୁଃଖର ସହିତ ନିଜ ବକ୍ତବ୍ୟରେ କହିଲା ଆଜିର ସଭାରେ ଉପସ୍ଥିତ ମଉସା ଓ ମାଉସୀମାନେ, ଭାଇ ଓ ଭଉଣୀମାନେ ଏବଂ ଛୋଟ ଛୋଟ ମାଛ ଓ ଯାଆଁଳମାନେ। ବଡ ଦୁଃଖର ସହିତ କହିବାକୁ ପଡୁଛି ଯେ ଆଜି ସଭାର ଆବାହକ କେରାଣ୍ଡି ଆମ ଗହଣରେ ଆଉ ନାହାନ୍ତି। ତେଣୁ ସମସ୍ତେ ଜାଣିବା ଉଚିତ ଯେ ଆମର ଜୀବନ କ୍ଷଣସ୍ଥାଇ। ଏ ନିର୍ବାଚନ ଆମ ପାଇଁ ଠିକ୍ ନୁହେଁ। ଆମେ ସବୁ ଜଳଜୀବ, କେତେବେଳେ କିଏ କାହା ଜାଲରେ ଧରାପଡିଯିବ। ଆମେ ଯେମିତି ଅଛେ, ସେମିତି ଆମ ପାଇଁ ଭଲ। ତେଣୁ ଏପରି ଦୁଃଖ ସମୟରେ ଆଉ ଆଲୋଚନାକୁ ଆଗେଇନେବା ଶୋଭନୀୟ ନୁହେଁ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.