Home ଜିଲ୍ଲା ପରିକ୍ରମା ମହାସରସ୍ୱତୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ବୁଧବାର ମହାଯଜ୍ଞର ପୂର୍ଣ୍ଣାହୁତି ଓ ମହାଲକ୍ଷ୍ମୀ ବେଶ

ମହାସରସ୍ୱତୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ବୁଧବାର ମହାଯଜ୍ଞର ପୂର୍ଣ୍ଣାହୁତି ଓ ମହାଲକ୍ଷ୍ମୀ ବେଶ

11

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୁରାଣ ପ୍ରସିଦ୍ଧ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶ ର ଷଷ୍ଠ ଦିବସ ରେ ମହାସରସ୍ୱତୀ ବେଶରେ ପୂଜା ପାଇଛନ୍ତି। ଆଜି ସକାଳ ଠାରୁ ପୀଠରେ ଶହ ଶହ ଭକ୍ତ ମାନଙ୍କର ଭିଡ଼ ଲାଗିଥିଲା। ଭକ୍ତ ମାନେ ଭକ୍ତି ଓ ନିଷ୍ଠାର ସହ ମାଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଆଶିଷ କାମନା କରିଥିଲେ। ମହାସରସ୍ୱତୀ ବେଶରେ ମା ଶ୍ୱେତ ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାର ସହିତ ବିଭିନ୍ନ ଆଭୂଷଣ ରେ ସଜାଇ ହୋଇଥିଲେ। ମା ଙ୍କ ର ମୁଖ ମଣ୍ଡଳ ଶ୍ୱେତ ବର୍ଣ୍ଣ ଥିବା ବେଳେ ମା ହଂସ ବାହନ ରେ ବିରାଜମାନ କରିଥିଲେ। ହସ୍ତ ଯୁଗଳ ରେ ବୀଣା ଧାରଣ କରିଥିବା ବେଳେ ଅନ୍ୟ ହସ୍ତ ରେ ଜପା ମାଳି ଓ ଶ୍ୱେତପଦ୍ମ ଧାରଣ କରିଥିଲେ। ଶ୍ୱେତପଦ୍ମାସନୀ, ହଂସବାହିନୀ, ବୀଣା ବଦନରତା ମା ମହା ସରସ୍ୱତୀ ଙ୍କ ର ଅପୂର୍ବ ଚତୁର୍ଦ୍ଧା ରୂପ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା। ଭକ୍ତ ମାନେ ଦୁଇ ହାତ ଟେକି ମହସରସ୍ୱତି ଙ୍କ ର ଜୟ ଗାନ କରୁଥିବା ବେଳେ ମହିଳା ମାନଙ୍କର ହୁଳହୁଳୀରେ ମନ୍ଦିର ପ୍ରକମ୍ପିତ ହେଉଥିଲା। ମା ମହା ସରସ୍ୱତୀ ବିଦ୍ୟା, ଜ୍ଞାନ ବୁଦ୍ଧି ଓ ସଙ୍ଗୀତ ର ପ୍ରତୀକ ଅଟନ୍ତି। ଭାଗବତ କଥା ଅନୁସାରେ ମଧୁର ବିନୟ ବଚନ, କହି ତୋଷିବ ଜନମନ ଏହା ମହସରସ୍ୱତୀ ଙ୍କ କୃପା ରୁ ହିଁ ସମ୍ଭବ ହୋଇଥାଏ। ମହାଯଜ୍ଞ ର ଷଷ୍ଠ ଦିବସ ରେ ପୀଠ ରେ ଗୀତା ପାଠ, ଶତ ଚଣ୍ଡିପାଠ, ହୋମ, ବେଦପାଠ, ନାମସଙ୍କୀର୍ତନ,ଭଜନ ସହ ଶାସ୍ତ୍ରୀୟ ବେଦବିତ୍ ପଣ୍ଡିତ ମାନଙ୍କର ମନ୍ତ୍ର ଧ୍ୱନୀ ମନ୍ଦିର ରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସନ୍ଧ୍ୟା ଆଳତୀ ପରେ ପୋଲିସ ବିଭାଗର ଅବସର ପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ଶ୍ରୀ ମତ ଭାଗବତ ଗୀତା ଓ ଜନ୍ମ ମୃତ୍ୟୁ ର ରହସ୍ୟ ଉପରେ ପ୍ରବଚନ ପ୍ରଦାନ କରିଥିଲେ।ସପ୍ତମାତୃକା ବେଶ ର ଅନ୍ତିମ ଦିବସ ବୁଧବାର ମା ମହାଲକ୍ଷ୍ମୀ ବେଶ ଧାରଣ କରିବେ। ମା ଙ୍କ ର ମହା ଲକ୍ଷ୍ମୀ ବେଶ ସହିତ ଦେବଭୂମି ଭାରତ ବର୍ଷ ହିତାର୍ଥେ ପୀଠ ରେ ଚାଲୁ ରହିଥିବା ମହାଯଜ୍ଞ ର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ। ପ୍ରାୟ ପନ୍ଦର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ନିମନ୍ତେ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ଦ୍ୱାରା ପ୍ରସାଦ ଓ ପହୁଡ ଭୋଗ ର ଆୟୋଜନ କରାଯାଇଛି। ଶାନ୍ତି ଶୃଙ୍ଖଳା ର ସହ ପୂଜା ରୀତି ନୀତି ଏବଂ ସମୟ ଅନୁସାରେ ପୂର୍ଣ୍ଣାହୁତି ସଂପନ୍ନ କରିବା ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତିଚୂଡାନ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.