Home ଓଡ଼ିଶା ମହାମାରୀ ସମୟରେ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ନମାରନ୍ତୁ ଅମର ବାବୁ :ଗୋଲକ ମହାପାତ୍ର

ମହାମାରୀ ସମୟରେ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ନମାରନ୍ତୁ ଅମର ବାବୁ :ଗୋଲକ ମହାପାତ୍ର

110

ବିଜେଡି ସାଂସଦ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟରେ ଚାକିରୀ ଦେବା ଅଭିଯାନ ଆରମ୍ଭ କରିବା ପ୍ରସଙ୍ଗ

ଭୁବନେଶ୍ୱର, ୦୪/୮ (ଓଡ଼ିଆ ପୁଅ) : ପ୍ରବାସୀ ଶ୍ରମିକଙ୍କ ପାଇଁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଚାକିରୀ ଦେବା ପାଇଁ ଚେଷ୍ଟା କରିବି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ଦୀର୍ଘ ୨୦ ବର୍ଷ ନିରଙ୍କୁଶ ଶାସନ ପରେ ବି ରାଜ୍ୟସରକାର ଶ୍ରମିକଙ୍କ ମାନଙ୍କୁ କାମ ଯୋଗାଇ ପାରିଲେ ନାହିଁ। ଯାହା ଫଳରେ ସେମାନେ କମ ଦରମାରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ଆଉ ଏବେ ଏକ ନୂଆ ଭେଳିକି ଦେଖାଇ ବିଜେଡି ସାଂସଦ ଚାକିରୀ ଦେବା ଅଭିଯାନ ଆରମ୍ଭ କରିବା କହି ଓଡିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡିଆ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିଲେ। କରୋନା ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଗାଁରେ ଅଛନ୍ତି। ଯଦି ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଦକ୍ଷତା ମ୍ୟାପିଂ କରିବା କଥା। ପ୍ରବାସୀ ଶ୍ରମିକମାନଙ୍କର ଚାକିରୀ କରୁଥିବା ସ୍ଥାନ, କେଉଁ ବିଭାଗ, କେଉଁ ପଦବୀ, କେତେ ଦରମା ଏବଂ କେତେ ବର୍ଷର ଅଭିଜ୍ଞତା ଆଦିର ଏକ ତାଲିକା ପ୍ରସ୍ତୁତ କରି ଦକ୍ଷତା ଅନୁଯାୟୀ ନିଜ ରାଜ୍ୟରେ ସରକାର ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ। ମାନ୍ୟବର ସୁପ୍ରିମକୋର୍ଟ ପ୍ରବାସୀ ମାନଙ୍କର ଦକ୍ଷତା ମ୍ୟାପିଂ କରିବା ପାଇଁ ସମସ୍ତ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହାକୁ ଲାଗୁ କରିନାହାଁନ୍ତି।

ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର ୫୦୦ ଶହ ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ। ଏଥିରେ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସାମିଲ କରିଥିଲେ ବି ଅନେକ ଜିଲ୍ଲାରେ ଏର୍ପ୍ୟନ୍ତ ଏହାକୁ ଲାଗୁ କରାଯାଇ ନାହିଁ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଂଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯିବା କଥା କୁହାଯାଇଥିଲା କିନ୍ତୁ ତାହା ହୋଇନାହିଁ। ଏବେ ବିଜେଡି ସାଂସଦ ୩ଟି ଜିଲ୍ଲାର ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏକ ଘରୋଇ କଂପାନୀରେ ରୋଜଗାର ଦେବା କଥା କହି କେବଳ ବାହା ବାହା ନେବାକୁ ବସିଛନ୍ତି। ସେଥିରେ ପୁଣି ବିଜେଡି ଆଇଟି କୋଅର୍ଡିନେଟରଙ୍କ ସହ ଯୋଗାଯୋଗ କରିବା ପାଇଁ ଅମର ବାବୁ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଜେଡି ସମର୍ଥୀତ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରାଧାନ୍ୟ ଦିଆଯିବ। ଗରିବ ଓଡିଆ ମାନଙ୍କୁ କାହିଁକି ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି ଅମର ବାବୁ। ଅମର ବାବୁଙ୍କ ଦଳର ସରକାର ରାଜ୍ୟରେ ଅଛି। ସେ ସରକାରଙ୍କୁ କୁହନ୍ତୁ ସଂପୂର୍ଣ୍ଣ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଯୋଗାଇ ଦେବେ। ଅମର ବାବୁଙ୍କ ସରକାର ୨୦ ବର୍ଷ ଧରି ଚାକିରୀ ଓ ରୋଜଗାର ସୃଷ୍ଟି କରିପାରିଲେ ନାହିଁ। ଏବେ ମହାମାରୀ ସମୟରେ ବିଜେଡି ସାଂସଦ ଚାକିରୀ ଦେବା ଅଭିଯାନ କରି ମିଥ୍ୟା ପ୍ରତିଶୃତି ଦେଇ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.