Home ଜିଲ୍ଲା ପରିକ୍ରମା ମହାମାରୀ କରୋନା ସମୟରେ ଆଇନ୍‌ଜୀବୀ ମାନଙ୍କୁ ଆର୍ଥିକ ସହାୟତା ପାଇଁ ମାମଲା

ମହାମାରୀ କରୋନା ସମୟରେ ଆଇନ୍‌ଜୀବୀ ମାନଙ୍କୁ ଆର୍ଥିକ ସହାୟତା ପାଇଁ ମାମଲା

150

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱ କୋଭିଡ୍‌-୧୯ ମହାମାରୀରେ କବଳିତ ହୋଇସାରିଛି । ଭାରତବର୍ଷରେ ମଧ୍ୟ ଲକଡାଉନ, ସଟଡାଉନ୍‌, ଜନତା କର୍ଫ୍ୟୁ ଓ ଅନଲକ୍ ଭଳି ସମସ୍ତ କଟକଣା ସତ୍ୱେ ବି ଏହି ମହାମାରୀ କମିବାରେ ନାଁ ଗନ୍ଧ ଧରୁନାହିଁ । ମାତ୍ର କଟକଣା ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇସାରିଛି । ବହୁ ଲୋକ ନିଜ ଜୀବନ ଜୀବିକା ହରାଇ ଭୋକ ଓପାସରେ ଗୃହବନ୍ଦୀ ଜୀବନ କଟାଉଥିବା ସମୟରେ ସରକାର ବିଭିନ୍ନ ଭାବେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଜାଡିବାର ପ୍ରୟାସ କରି ବହୁ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ସ୍ୱଳ୍ପ ରୋଜଗାର କରୁଥିବା ଅଧିବକ୍ତା ବା କନିଷ୍ଠ ଅଧିବକ୍ତାମାନଙ୍କୁ ସରକାର ଯେମିତି ଭୁଲି ଯାଇଛନ୍ତି । ଦୀର୍ଘ ୬ ମାସର ଲକଡାଉନ୍ ଫଳରେ ଦେଶର ସମସ୍ତ କୋର୍ଟ, କଚେରୀର ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବାରୁ କେତେକ ଆଇନ୍‌ଜୀବୀ ଭୋକ ଓପାସରେ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ କଲ୍ୟାଣ ପାଇଁ ଦେଶର ତଥା ରାଜ୍ୟର ବାର୍ କାଉନ୍‌ସିଲ ଥିଲେ ମଧ୍ୟ କଲ୍ୟାଣ ପାଣ୍ଠିରୁ ସେମାନଙ୍କୁ ଅଦ୍ୟାବଧି କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇନାହିଁ । ଏଣୁ ଏଭଳି ଦୁର୍ଦ୍ଦିନରେ କାଳାତିପାତ କରିବା ପରେ ଭଦ୍ରକର ଜନୈକ ଆଇନ୍‌ଜୀବୀ ଧନେଶ୍ୱର ମଲ୍ଲିକ ଓକିଲମାନଙ୍କୁ ମହାମାରୀ ଆଇନ୍ ମୁତାବକ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭଦ୍ରକ କନିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତରେ ଭଦ୍ରକ ଜିଲାପାଳ, କେନ୍ଦ୍ର ଅର୍ଥ ସଚିବ ଓ ଆଇନ୍ ସଚିବଙ୍କୁ ପକ୍ଷଭୁକ୍ତ କରି ସି.ଏସ୍‌. ନଂ ୨୪୧/୨୦୨୦ ଆଗତ କରିଛନ୍ତି । ଆଇନ୍‌ଜୀବୀ ମାନଙ୍କୁ କରୋନା ମହାମାରୀ ସମୟରେ ମହାମାରୀ ଆଇନ୍ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାନେଇ ସେ ମାନ୍ୟବର କୋର୍ଟଙ୍କୁ ନିବେଦନ କରିଛନ୍ତି । ନିମ୍ନ ଅଦାଲତରେ ଏଭଳି ମାମଲା ଦେଶର ପ୍ରଥମ ବୋଲି କୁହାଯାଉଛି । ଶ୍ରୀ ମଲ୍ଲିକଙ୍କ ପକ୍ଷରୁ ମାମଲାଟି ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ରାଧାକାନ୍ତ ନାୟକ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.