Home Coronavirus Outbreak ମନର କଥା ୨.୦ (ଏକାଦଶ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ

ମନର କଥା ୨.୦ (ଏକାଦଶ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ

1015

“ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର
– ଏକ ମନ ଏକ ପ୍ରାଣ ହୋଇ କରୋନା ବିରୋଧୀ ଲଢେଇ ଲଢୁଛନ୍ତି ଦେଶବାସୀ : ନରେନ୍ଦ୍ର ମୋଦୀ

– covidwarriors.gov.in ରେ କୋଭିଡ଼ ଯୋଦ୍ଧା ଭାବେ ପଞ୍ଜୀକରଣ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

– କୋଭିଡ଼ ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

– ସତର୍କ ଓ ସଚେତନ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ରେ ଗରିବଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆପଣମାନେ ଲକଡାଉନରେ ଏହି ‘ମନ୍ କି ବାତ୍’ ଶୁଣୁଛନ୍ତି। ଏହି ‘ମନ୍ କି ବାତ୍’ ପାଇଁ ଆସିଥିବା ପରାମର୍ଶ, ଫୋନ୍‌କଲ୍ ସଂଖ୍ୟା ଅନ୍ୟ ଥର ଠାରୁ ବହୁଗୁଣ ଅଧିକ। ଅନେକ ବିଷୟକୁ ଏକାଠି କରି ଆପଣମାନଙ୍କର ଏହି ମନର କଥା ମୋ ପାଖରେ ପହଂଚିଛି। ଏସବୁକୁ ଅଧିକରୁ ଅଧିକ ଯେମିତି ପଢ଼ିପାରିବି, ଶୁଣିପାରିବି ସେଥିପାଇଁ ମୁଁ ଚେଷ୍ଟା କରିଛି। ଆପଣଙ୍କ କଥାରୁ ଏମିତି କେତେକ ଦିଗ ବିଷୟରେ ଜାଣିବାକୁ ମିଳିଛି, ଏପରି କଠିନ ସମୟରେ ଯାହାପ୍ରତି ଧ୍ୟାନ ହିଁ ଯାଇପାରେ ନାହିଁ। ମୋର ଇଚ୍ଛା ହେଉଛି ଯେ ଯୁଦ୍ଧ ଭିତରେ ହେଉଥିବା ଏହି ‘ମନ୍ କି ବାତ୍’ରେ ସେପରି କିଛି ବିଷୟକୁ ଆପଣମାନଙ୍କ ସହ ବାଂଟିବି।

ବନ୍ଧୁଗଣ। କରୋନା ବିରୋଧରେ ଭାରତର ଲଢ଼େଇ ପ୍ରକୃତରେ ଲୋକଙ୍କ ଦ୍ୱାରା ହିଁ ହେଉଛି। ଭାରତରେ କରୋନା ବିରୋଧରେ ଲଢ଼େଇ ଜନତା ଲଢ଼ୁଛନ୍ତି, ଆପଣ ଲଢ଼ୁଛନ୍ତି, ଜନତା ସହ ମିଶି ଶାସନ, ପ୍ରଶାସନ ଲଢ଼ୁଛି। ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ସବୁବେଳେ ଉଦ୍ୟମଶୀଳ, ସିଏ ଦାରିଦ୍ର୍ୟ ସହ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି। ତା’ପାଇଁ କରୋନା ସହ ଲଢ଼ିବା ଓ ଜିତିବାର ଏହାହିଁ ଏକ ବାଟ। ଆଉ, ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ, ଦେଶର ପ୍ରତ୍ୟେକ ନାଗରିକ, ଏହି ଲଢ଼େଇର ସୈନିକ ସାଜିଛନ୍ତି, ଲଢ଼େଇର ନେତୃତ୍ୱ ନେଉଛନ୍ତି। ଆପଣ ଯେଉଁଠି ବି ନଜର ପକାନ୍ତୁ, ଆପଣ ଅନୁଭବ କରିପାରିବେ ଯେ ଭାରତର ଲଢ଼େଇ ଲୋକଙ୍କ ଦ୍ୱାରା ହିଁ ଲଢ଼ାଯାଉଛି। ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହ ଲଢ଼େଇ କରୁଛି। ଭବିଷ୍ୟତରେ ଯେତେବେଳେ ଏ ସମ୍ପର୍କରେ ଆଲୋଚନା ହେବ, ଏହା କିପରି ଲଢ଼ାଯାଇଥିଲା ତା’ର ଚର୍ଚ୍ଚା ହେବ, ମୋର ବିଶ୍ୱାସ ଯେ ଭାରତର ଲୋକଙ୍କ ଦ୍ୱାରା ହେଉଥିବା ଏହି ଲଢ଼େଇର ନିଶ୍ଚୟ ଚର୍ଚ୍ଚା ହେବ। ପୁରା ଦେଶରେ, ଗଳିକନ୍ଦିରେ, ଜାଗା-ଜାଗାରେ ସବୁ ସ୍ଥାନରେ ଆଜି ଲୋକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି। ତାଳି, ଥାଳି, ଦୀପ, ମହମବତି, ଏ ସମସ୍ତ କଥା ଯେଉଁ ଭାବନାକୁ ଜନ୍ମ ଦେଇଛି; ଯେଉଁ ଉତ୍ସାହରେ ଦେଶବାସୀ କିଛି ନା କିଛି କରିବାପାଇଁ ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ଏ କଥା ପ୍ରେରିତ କରିିଛି। ସହର ହେଉ ବା ଗାଁ, ଏମିତି ଲାଗୁଛି, ଯେମିତି ଦେଶରେ ଗୋଟିଏ ବହୁତ ବଡ଼ ମହାଯଜ୍ଞ ଚାଲୁଛି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଆମର କୃଷକ ଭାଇଭଉଣୀମାନଙ୍କୁ ହିଁ ଦେଖନ୍ତୁ- ଗୋଟିଏ ପଟେ ସେମାନେ ଏହି ମହାମାରୀ ଭିତରେ ନିଜ କ୍ଷେତରେ ଦିନରାତି ପରିଶ୍ରମ କରୁଛନ୍ତି ଆଉ ଏକଥା ବି ଚିନ୍ତା କରିଛନ୍ତି ଯେମିତି ଦେଶରେ କେହି ଭୋକରେ ନ ଶୁଅନ୍ତୁ। ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଏହି ଲଢ଼େଇ ଲଢ଼ୁଛନ୍ତି। କେହି ଘରଭଡ଼ା ଛାଡ଼ିଦେଉଛନ୍ତି ତ ଆଉ କେହି ନିଜର ସବୁ ପେନ୍ସନ ବା ପୁରସ୍କାର ଟଙ୍କାକୁ ପିଏମ୍ କେୟାର୍ସରେ ଜମା କରିଦେଉଛନ୍ତି। କିଏ କ୍ଷେତର ସବୁ ପନିପରିବାକୁ ଦାନ କରିଦେଉଛି ତ ଆଉ କିଏ ପ୍ରତିଦିନ ଶହଶହ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛି। କିଏ ମାସ୍କ ତିଆରି କରୁଛି ତ କେଉଁଠି ଆମର ଶ୍ରମିକ ଭାଇ-ଭଉଣୀ କ୍ୱାରେନଟାଇନରେ ଯେଉଁ ସ୍କୁଲରେ ରହୁଛନ୍ତି ସେହି ସ୍କୁଲର କାନ୍ଥକୁ ରଂଗ କରୁଛନ୍ତି।

ବନ୍ଧୁଗଣ, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ଭିତରେ, ହୃଦୟର କେଉଁ କୋଣରେ, ଏଇ ଯେଉଁ ଭାବ ସୃଷ୍ଟି ହୋଇଛି, ତାହା ହିଁ କରୋନା ବିରୋଧରେ ଭାରତର ଏହି ଲଢ଼େଇକୁ ଶକ୍ତି ଦେଉଛି; ତାହାହିଁ ଏହି ଲଢ଼େଇକୁ ପ୍ରକୃତ ଅର୍ଥରେ ଲୋକଙ୍କ ଦ୍ୱାରା ହେଉଥିବା ଜଣାଇଦେଉଛି। ଆମେ ଦେଖିଛୁ ଗତ କିଛିବର୍ଷ ଭିତରେ ଆମ ଦେଶରେ ଏପରି ସାମୂହିକ ମାନସିକତା ନିରନ୍ତର ଦୃଢ଼ ହୋଇଚାଲିଛି। କୋଟିକୋଟି ଲୋକ ଗ୍ୟାସ୍ ସବସିଡି ଛାଡ଼ିବା ହେଉ, ଲକ୍ଷଲକ୍ଷ ବରିଷ୍ଠ ନାଗରିକ ରେଳବାଇ ସବସିଡ଼ି ଛାଡ଼ିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ୱ ନେବା ହେଉ, ପାଇଖାନା ତିଆରି କରିବା ହେଉ- ଏପରି ଅଗଣନ କଥା ଅଛି। ଏସବୁ କଥାରୁ ଜାଣିହେଉଛି- ଆମ ସମସ୍ତଙ୍କୁ- ଏକ ମନ- ଏକ ମଜଭୁତ ଡୋରି ବାନ୍ଧିଦେଇଛି। ଏକାଠି ହୋଇ ଦେଶପାଇଁ କିଛି କରିବାର ପ୍ରେରଣା ଦେଇଛି।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁବ୍ ନମ୍ରତା ଓ ସମ୍ମାନର ସହ, ଆଜି, ୧୩୦ କୋଟି ଦେଶବାସୀଙ୍କ ଏହି ଭାବନାକୁ ମୁଣ୍ଡ ନୁଆଁଇ ପ୍ରଣିପାତ କରୁଛି। ଆପଣ ନିଜ ଭାବନା ଅନୁସାରେ, ଦେଶପାଇଁ ନିଜ ରୁଚି ହିସାବରେ, ନିଜର ସମୟ ଅନୁସାରେ କିଛି କରିପାରିବେ, ସେଥିପାଇଁ ସରକାର ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାଟଫର୍ମ ହେଉଛି – covidwarriors.gov.in। ମୁଁ ପୁଣିଥରେ କହୁଛି- covidwarriors.gov.in। ସରକାର ଏହି ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି ଆଉ ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଯୋଡ଼ିଦେଇଛନ୍ତି। ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି। ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି। ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତା’କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି। ଆପଣ ମଧ୍ୟ covidwarriors.gov.in ସହିତ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ଼ ଯୋଦ୍ଧା ହୋଇପାରିବେ।

ବନ୍ଧୁଗଣ, ପ୍ରତ୍ୟେକ କଠିନ ପରିସ୍ଥିତି, ପ୍ରତ୍ୟେକ ଲଢ଼େଇ, କିଛି ନା କିଛି ଶିକ୍ଷା ଦିଏ; କିଛି ନା କିଛି ଶିଖାଇଯାଏ। କିଛି ସମ୍ଭାବନାର ବାଟ ତିଆରି କରେ ଆଉ କିଛି ନୂଆ ଲକ୍ଷ୍ୟ ପାଇଁ ଦିଗ ଦେଖାଏ। ଏହି ପରିସ୍ଥିତିରେ ଆପଣ ସମସ୍ତ ଦେଶବାସୀ ଯେଭଳି ସଙ୍କଳ୍ପ ଶକ୍ତି ଦେଖାଇଛନ୍ତି, ସେଥିରୁ ଭାରତରେ ଏକ ନୂଆ ପରିବର୍ତ୍ତନର ଆରମ୍ଭ ବି ହୋଇଛି। ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର, ପ୍ରତ୍ୟେକ ଦ୍ରୁତଗତିରେ ନୂଆ ପ୍ରଯୁକ୍ତିଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛନ୍ତି। ପ୍ରଯୁକ୍ତି କଥା ଯଦି ଦେଖିବା, ସତକୁ ସତ ଏପରି ଲାଗୁଛି ଯେ ଦେଶର ପ୍ରତ୍ୟେକ ଉଦ୍ଭାବକ ନୂଆ ପରିସ୍ଥିତି ଅନୁସାରେ କିଛି ନା କିଛି ନୂଆ ତିଆରି କରୁଛି।

ବନ୍ଧୁଗଣ, ଦେଶ ଯେତେବେଳେ ଗୋଟିଏ ଟିମ୍ ଭାବେ କାମ କରେ, ସେତେବେଳେ କ’ଣ ହୁଏ- ସେକଥା ଆମେ ଅନୁଭବ କରୁଛୁ। ଆଜି କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଏମାନଙ୍କର ପ୍ରତ୍ୟେକ ବିଭାଗ ଓ ସଂସ୍ଥା ଲୋକଙ୍କ ମଙ୍ଗଳ ପାଇଁ ମିଳିମିଶି ପୂରାଦମରେ କାମ କରୁଛନ୍ତି। ଆମର ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିବା ଲୋକ ହୁଅନ୍ତୁ, ରେଳବାଇ କର୍ମଚାରୀ ହୁଅନ୍ତୁ, ଏମାନେ ଦିନରାତି ପରିଶ୍ରମ କରୁଛନ୍ତି, ଯେପରିକି ଦେଶବାସୀଙ୍କ ସମସ୍ୟା କମ୍ ହେବ। ଆପଣମାନଙ୍କ ଭିତରୁ ହୁଏତ ଅନେକ ଲୋକ ଜାଣିଥିବେ ଯେ ଦେଶର କୋଣଅନୁକୋଣରେ ଔଷଧ ପହଂଚାଇବା ପାଇଁ ‘ଲାଇଫଲାଇନ୍ ଉଡ଼ାନ’ ନାମରେ ଏକ ବିଶେଷ ଅଭିଯାନ ଚାଲିଛି। ଆମର ଏଇ ବନ୍ଧୁମାନେ, ଏତେ କମ୍ ସମୟ ମଧ୍ୟରେ, ଦେଶ ଭିତରେ ହିଁ ଆକାଶପଥରେ ତିନିଲକ୍ଷ କିଲୋମିଟର ଯାତ୍ରାକରିଛନ୍ତି ଓ ୫୦୦ ଟନରୁ ଅଧିକ ଡାକ୍ତରୀ ସାମଗ୍ରୀ, ଦେଶର କୋଣଅନୁକୋଣରେ ପହଂଚାଇଛନ୍ତି। ସେହିପରି, ରେଳବାଇର ବନ୍ଧୁମାନେ, ଲକଡାଉନରେ ମଧ୍ୟ ଲଗାତର ପରିଶ୍ରମ କରୁଛନ୍ତି, ଯେପରିକି ଦେଶର ସାଧାରଣ ଲୋକଙ୍କୁ ଜରୁରୀ ଜିନିଷପତ୍ରର ଅଭାବ ରହିବ ନାହିଁ। ଏହି କାମ ପାଇଁ ଭାରତୀୟ ରେଳବାଇ ୬୦ରୁ ଅଧିକ ରେଳମାର୍ଗରେ ୧୦୦ରୁ ବି ବେଶି ପାର୍ସଲ୍ ଟ୍ରେନ୍ ଚଳାଉଛି। ସେହିପରି ଔଷଧ ଯୋଗାଇବାରେ ଆମ ଡାକ ବିଭାଗର ଲୋକେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଆମର ଏହି ସମସ୍ତ ବନ୍ଧୁ ହିିଁ ପ୍ରକୃତ ଅର୍ଥରେ, କରୋନା ଯୋଦ୍ଧା।

ବନ୍ଧୁଗଣ, ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍’ ମାଧ୍ୟମରେ ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିଦିଆଯାଉଛି। ‘ବାର୍ଦ୍ଧକ୍ୟ ଭତା’ ଦିଆଯାଇଛି। ଗରିବ ଲୋକଙ୍କୁ ତିନି ମାସର ମାଗଣା ଗ୍ୟାସ୍ ସିଲିଣ୍ଡର୍, ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି। ଏସବୁ କାମରେ, ସରକାରଙ୍କ ଅଲଗା ଅଲଗା ବିଭାଗର ଲୋକ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ, ଗୋଟିଏ ଟିମ୍ ଭଳି ଦିନରାତି ଲାଗିଛନ୍ତି। ଆଉ ମୁଁ, ଆମ ଦେଶର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପାଇଁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀକୁ ହରାଇବା ପାଇଁ ଖୁବ ସକ୍ରିୟ ଭୂମିକା ତୁଲାଉଛନ୍ତି। ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଦାୟିତ୍ୱ ତୁଲାଉଛନ୍ତି, କରୋନା ବିରୋଧୀ ଲଢ଼େଇରେ ତା’ର ବହୁତ ବଡ଼ ଭୂମିକା ରହିଛି। ସେମାନଙ୍କର ଏହି ପରିଶ୍ରମ ଖୁବ୍ ପ୍ରଶଂସନୀୟ।

ମୋର ପ୍ରିୟ ଦେଶବାସୀଗଣ, ସାରାଦେଶର ସ୍ୱାସ୍ଥ୍ୟସେବା ସହିତ ଯୋଡ଼ିହୋଇଥିବା ଲୋକେ ଏଇ ନିକଟରେ ଅଣାଯାଇଥିବା ଅଧ୍ୟାଦେଶ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଧ୍ୟାଦେଶରେ, କରୋନା ଯୋଦ୍ଧାଙ୍କ ସହିତ ହିଂସା, ଉତ୍ପୀଡ଼ନ ଆଉ ସେମାନଙ୍କୁ କୌଣସି ରୂପରେ କ୍ଷତି ପହଂଚାଉଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, କମ୍ୟୁନିଟି ହେଲ୍‌ଥ ୱାର୍କର, ଆଉ ଏହି ଶ୍ରେଣୀର ସବୁଲୋକ, ଯେଉଁମାନେ ଦେଶକୁ କରୋନାମୁକ୍ତ କରିବାପାଇଁ ଦିନରାତି ଲାଗିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏହି ପଦକ୍ଷେପ ବହୁତ ଜରୁରି ଥିଲା।

ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଅନୁଭବ କରୁଛେ ଯେ, କରୋନା ମହାମାରୀ ଲଢ଼େଇ ପରିପ୍ରେକ୍ଷୀରେ ଆମେ ଆମ ଜୀବନକୁ, ସମାଜକୁ, ଆମ ଚାରିପାଖରେ ଘଟିଚାଲିଥିବା ଘଟଣା ଓ ପରିସ୍ଥିତିକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଛେ। ସମାଜର ଦୃଷ୍ଟିଭଙ୍ଗୀରେ ବି ବ୍ୟାପକ ପରିବର୍ତ୍ତନ ଆସିଛି। ଆମ ଜୀବନ ସହିତ ଯୋଡ଼ିହୋଇଥିବା ବ୍ୟକ୍ତିମାନଙ୍କ ଗୁରୁତ୍ୱର ମଧ୍ୟ ଆଭାସ ମିଳିଛି। ଆମ ଘରେ କାମଦାମ କରୁଥିବା ଲୋକ ହୁଅନ୍ତୁ କି ଆମ ଜରୁରି କାମକୁ ପୂରା କରିବାର ଲୋକ ହୁଅନ୍ତୁ ବା ପଡ଼ୋଶୀ ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ – ଏମାନଙ୍କର କେତେ ଯେ ବଡ଼ ଭୂମିକା ଏସବୁ ଆମର ଅନୁଭବ ହେଲାଣି। ଏହିଭଳି ଜରୁରି ସେବା ପ୍ରଦାନକାରୀ ଲୋକ, ହାଟବଜାରରେ କାମ କରୁଥିବା ଆମ ଶ୍ରମିକ ଭାଇଭଉଣୀ, ପଡ଼ୋଶୀ ଅଟୋଚାଳକ, ରିକ୍‌ସାଚାଳକଙ୍କ ସେବା ଓ ସାହାଯ୍ୟ ବିନା ଆମ ଜୀବନ କେତେ କଠିନ ହୋଇଥାଆନ୍ତା ତାହା ଆମେ ଅନୁଭବ କରୁଛୁ।

ଆଜିକାଲି ସାମାଜିକ ଗଣମାଧ୍ୟମ (Social Media) ରେ ଆମେ ଲଗାତର ଦେଖୁଛୁ ଯେ ଲକଡାଉନ୍ (Lockdown) ଚାଲିଥିବା ସମୟରେ ଲୋକେ ଏହି ସାହାଯ୍ୟକାରୀ ସାଥୀମାନଙ୍କୁ କେବଳ ମନେ ପକାଉନାହାନ୍ତି ବରଂ ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ପୁଣି ସେମାନଙ୍କ ସମ୍ପର୍କରେ ସମ୍ମାନର ସହ ଲେଖୁଛନ୍ତି। ଆଜି ଦେଶର କୋଣ ଅନୁକୋଣରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେ ସଫେଇ-କର୍ମଚାରୀଙ୍କ ଉପରେ ଲୋକେ ପୁଷ୍ପବୃଷ୍ଟି କରୁଛନ୍ତି। ପ୍ରଥମେ ଏମାନଙ୍କ କାମ ଆମ ନଜର ଏଡେଇ ଯାଉଥିଲା। ସମ୍ଭବତଃ ଆପଣ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଉନଥିଲେ। ଡାକ୍ତର ହୁଅନ୍ତୁ କି ସଫେଇ କର୍ମଚାରୀ ହୁଅନ୍ତୁ, କିମ୍ବା ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ – କେବଳ ଏତିକି ନୁହେଁ ଆମର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଭାବନାରେ ଅନେକ ପରିବର୍ତ୍ତନ ଆସିଛି। ପ୍ରଥମେ ପୁଲିସ୍ ପ୍ରସଙ୍ଗ ଉଠିଲେ ଆମ ମନକୁ ନକାରାତ୍ମକ ଭାବନା ବ୍ୟତୀତ ଅନ୍ୟ କିଛି କଥା ଆସୁନଥିଲା। ଆଜି ଆମ ପୁଲିସ କର୍ମଚାରୀ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇ ଦେଉଛନ୍ତି, ଔଷଧ ପହଂଚାଇ ଦେଉଛନ୍ତି। ଏବେ ପୁଲିସ କଥା ଭାବିବା ବେଳକୁ ମୋ ଆଗରେ ଯେଉଁଭଳି ଭାବେ ପ୍ରତିଟି ସହାୟତା ପାଇଁ ପୁଲିସ ଆଗେଇ ଆସୁଛନ୍ତି ତାହା POLICING ବା ପୁଲିସ ସେବାର ମାନବୀୟ ଓ ସମ୍ବେଦନଶୀଳ ଗୁଣକୁ ଉଜ୍ଜୀବିତ କରୁଛି, ଆମ ମନକୁ ଆନ୍ଦୋଳିତ କରିଛି, ଆମ ହୃଦୟକୁ ସେମାନଙ୍କର ଏହି ମହନୀୟତା ଛୁଇଁଯାଇଛି। ଏହା ଏପରି ଏକ ସମୟ ଯେଉଁଥିରେ ସାଧାରଣ ଲୋକେ ପୁଲିସ ସହିତ ଭାବାତ୍ମକ ରୂପରେ ଯୋଡ଼ି ହୋଇଯାଉଛନ୍ତି। ଆମ ପୁଲିସ କର୍ମଚାରୀମାନେ ମଧ୍ୟ ଏହାକୁ ଜନସାଧାରଣଙ୍କ ସେବାର ଏକ ସୁଯୋଗ ରୂପେ ଗ୍ରହଣ କରିଛନ୍ତି ଏବଂ ମୋର ଦୃ଼ଢ଼ ବିଶ୍ୱାସ ଯେ ଏହିସବୁ ଘଟଣା ଯୋଗୁଁ ଭବିଷ୍ୟତରେ ପ୍ରକୃତରେ ବହୁତ ସକାରାତ୍ମକ ପରିବର୍ତ୍ତନ ହୋଇପାରେ ଏବଂ ଆମେ ସମସ୍ତେ ଏହି ସକାରାତ୍ମକତାକୁ କେବେହେଲେ ନକାରାତ୍ମକତାର ରଙ୍ଗରେ ରଙ୍ଗାୟିତ କରିବା ନାହିଁ।

ବନ୍ଧୁଗଣ, ଆମେ ସବୁବେଳେ ଶୁଣୁ – ପ୍ରକୃତି, ବିକୃତି ଓ ସଂସ୍କୃତି। ଏହି ଶବ୍ଦଗୁ଼ଡ଼ିକୁ ଏକସଙ୍ଗରେ ଦେଖିଲେ ଏବଂ ଏହାପଛରେ ଥିବା ଭାବକୁ ଅନୁଭବ କଲେ ଜୀବନକୁ ବୁଝିବାର ଏକ ନୂଆ ଦ୍ୱାର ଉନ୍ମୁକ୍ତ ହେବାର ଦେଖିପାରିବେ। ମଣିଷ-ପ୍ରକୃତି କଥା ଚର୍ଚ୍ଚା କଲାବେଳେ ‘ଇଏ ମୋର’, ‘ମୁଁ ଏହାର ଉପଯୋଗ କରୁଛି’ ଏକଥାକୁ ଏବଂ ଏ ଭାବନାକୁ ଅତି ସ୍ୱାଭାବିକ ଭାବେ ଗ୍ରହଣ କରାଯାଏ। ଏଥିରେ କାହାରି କୌଣସି ଆପତି ନ ଥାଏ। ଏହାକୁ ଆମେ ପ୍ରକୃତି କହିପାରିବା। କିନ୍ତୁ ‘ଯାହା ମୋର ନୁହେଁ’, ‘ଯାହା ଉପରେ ମୋର ହକ୍ ନାହିଁ’, ତାହାକୁ ମୁଁ ଯଦି ଅନ୍ୟଠାରୁ ଛଡ଼ାଇନେଇ ଉପଯୋଗ କରୁଛି, ତାହାକୁ ଆମେ ବିକୃତି କହିବା। ଏହି ଦୁଇ ଶବ୍ଦ ଊର୍ଦ୍ଧ୍ୱରେ ପ୍ରକୃତି ଓ ବିକୃତି ଉପରେ ଯଦି କେଉଁ ସଂସ୍କାରିତ-ମନ ଚିନ୍ତା କରେ ବା ବ୍ୟବହାର କରେ ତେବେ ସେଠାରେ ଆମକୁ ସଂସ୍କୃତି ଦୃଷ୍ଟିଗୋଚର ହୁଏ। ଯେତେବେଳେ ନିଜ ହକ୍ର ବସ୍ତୁ, ନିଜ ପରିଶ୍ରମରେ ଅର୍ଜିତ ବସ୍ତୁ, ନିଜ ପାଇଁ ଦରକାରୀ ଜିନିଷ, କମ୍ ହେଉ ବା ବେଶୀ ଅନ୍ୟ ଲୋକ ପାଇଁ ନିଜର ଆବଶ୍ୟକତାକୁ ଖାତିର ନକରି, ନିଜ ଚିନ୍ତା ଛାଡି ନିଜ ହକରୁ କିଛିଟା ଦେଇ ଅନ୍ୟର ଆବଶ୍ୟକତା ମେଂଟାଇପାରିଲେ ତାହାହିଁ ସଂସ୍କୃତି। ବନ୍ଧୁଗଣ, ଘଡ଼ିସନ୍ଧି ମୁହୂର୍ତରେ ଏସବୁ ଗୁଣର ପରୀକ୍ଷା ନିରୀକ୍ଷା ହୋଇଥାଏ।

ଆପଣମାନେ ବିଗତ ଦିନରେ ଦେଖିଥିବେ, ଭାରତ ନିଜର ସଂସ୍କାର ଅନୁରୂପ, ଆମ ବିଚାର ଅନୁରୂପ, ଆମ ସଂସ୍କୃତିକୁ ଅନୁସରଣ କରି କେତେକ ନିଷ୍ପତି ଗ୍ରହଣ କରିଛି। ଏହି ସଙ୍କଟ ବେଳରେ, ସାରା ବିଶ୍ୱ ପାଇଁ, ସମୃଦ୍ଧିଶାଳୀ ଦେଶଗୁଡ଼ିକ ପାଇଁ ମଧ୍ୟ ଔଷଧର ଅଭାବ ଦେଖାଦେଇଛି। ଏପରି ସମୟ ଆସି ଉଭାହୋଇଛି, ଯଦି ଭାରତ ଅନ୍ୟ ଦେଶଗୁଡ଼ିକୁ ଔଷଧ ନ ଦିଏ, କେହି ଭାରତକୁ ଦୋଷୀ କହିପାରିବେ ନାହିଁ। ପ୍ରତ୍ୟେକ ଦେଶ ବୁଝୁଛି ଯେ ଭାରତ ପାଇଁ ପ୍ରାଥମିକତା ହେଉଛି ତା’ ନାଗରିକଙ୍କ ନିରାପଦ ଜୀବନ ଓ ତା’ର ସୁରକ୍ଷା। କିନ୍ତୁ ବନ୍ଧୁଗଣ! ଭାରତ, ପ୍ରକୃତି, ବିକୃତିର ଊର୍ଦ୍ଧ୍ୱକୁ ଯାଇ ନିଷ୍ପତି ନେଇଛି। ଭାରତ ନିଜ ସଂସ୍କୃତି ମୁତାବକ ଫଇସଲା ନେଲା। ଭାରତର ଆବଶ୍ୟକତା ପାଇଁ ଯାହା କରିବାର ଥିଲା, ସେ ପ୍ରୟାସକୁ ବୃଦ୍ଧି କରିବା ସହ, ସାରା ବିଶ୍ୱରେ ମାନବିକତାର ରକ୍ଷା ପାଇଁ ହେଉଥିବା ଆକୁଳ ନିବେଦନ ପ୍ରତି ଧ୍ୟାନ ଦେଇଛି ଭାରତ। ଆମେ ବିଶ୍ୱର ପ୍ରତିଟି ଆଶାୟୀଙ୍କ ନିକଟରେ ଔଷଧ ପହଂଚାଇବା ପାଇଁ ଅଂଟା ଭିଡ଼ିଛୁ ଏବଂ ମାନବିକତାର ଏହି କାର୍ଯ୍ୟ କରି ଦେଖାଇପାରିଛୁ। ଆଜି ଯେତେବେଳେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥାବାର୍ତ୍ତା ହୁଏ, ସେତେବେଳେ ସେମାନେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରନ୍ତି। ଯେତେବେଳେ ସେମାନେ କହନ୍ତି – ‘Thank you India, Thank you People of India’ ସେତେବେଳେ ଦେଶର ଗୌରବ ଆହୁରି ବଢ଼ିଯାଏ। ସେହିପରି ଏବେ ସାରା ଦୁନିଆରେ ଭାରତର ଆୟୁର୍ବେଦ ଓ ଯୋଗର ମହତ୍ୱକୁ ମଧ୍ୟ ଲୋକ ବହୁତ ଗୁରୁତ୍ୱ ଦେଉଛନ୍ତି। ସୋସିଆଲ ମିଡିଆରେ ଦେଖନ୍ତୁ, ସବୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କିପରି ଭାରତର ଆୟୁର୍ବେଦ ଓ ଯୋଗର ଚର୍ଚ୍ଚା ମଧ୍ୟ ହେଉଛି। କରୋନା ଦୃଷ୍ଟିକୋଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଯେଉଁ ପ୍ରୋଟୋକଲ ଦେଇଥିଲା, ମୋର ବିଶ୍ୱାସ ଆପଣମାନେ ନିଶ୍ଚିତ ଭାବେ ତାର ପ୍ରୟୋଗ କରୁଥିବେ। ଉଷୁମ ପାଣି, କାଢ଼ା ଏବଂ ଅନ୍ୟ ଯେଉଁ ପରାମର୍ଶ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି, ତାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ଅଭ୍ୟାସ କଲେ ବହୁତ ଲାଭହେବ।

ବନ୍ଧୁଗଣ, ଏହା ଏକ ଦୁର୍ଭାଗ୍ୟର କଥା ଯେ ଅନେକ ସମୟରେ ଆମେ ନିଜର ଶକ୍ତି ଓ ସମୃଦ୍ଧ ପରମ୍ପରାକୁ ଚିହ୍ନିବାକୁ ନାରାଜ। କିନ୍ତୁ, ଯେତେବେଳେ ବିଶ୍ୱର ଅନ୍ୟ ଦେଶ ପ୍ରାମାଣିକ ଗବେଷଣା ଆଧାରରେ ସେହି କଥା କହେ, ଆମ ସୂତ୍ର ଆମକୁ ଶିଖାଏ, ଆମେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରୁ। ସମ୍ଭବତଃ, ଶହ ଶହ ବର୍ଷ ଧରି ଆମ ଦାସତ୍ୱ ହିଁ ଏହାପଛର ବଡ଼ କାରଣ। ଏହି କାରଣରୁ ବେଳେବେଳେ ନିଜ ଶକ୍ତି ଉପରେ ବିଶ୍ୱାସ ଆସେନାହିଁ। ଆମର ଆତ୍ମବିଶ୍ୱାସ କମ୍ ମନେହୁଏ। ସେଥିପାଇଁ ଆମେ ନିଜ ଦେଶର ଭଲ କଥାକୁ, ଆମର ପାରମ୍ପରିକ ସିଦ୍ଧାନ୍ତକୁ, ପ୍ରାମାଣିକ ଗବେଷଣା ଆଧାରରେ ଆଗକୁ ବଢ଼ାଇବା ପରିବର୍ତେ, ତାକୁ ଅବହେଳା କରୁ, ତାକୁ ହୀନ ଭାବୁ। ଭାରତର ଯୁବପିଢ଼ିକୁ ଏହି ଆହ୍ୱାନକୁ ସ୍ୱୀକାର କରିବାକୁ ହେବ। ଯେପରିକି ବିଶ୍ୱ, ଯୋଗକୁ ଖୁସିରେ ସ୍ୱୀକାର କରିଛି, ସେହିପରି ହଜାର ହଜାର ବର୍ଷର ଆମର ଆୟୁର୍ବେଦ ସିଦ୍ଧାନ୍ତକୁ ମଧ୍ୟ ବିଶ୍ୱ ନିଶ୍ଚୟ ସ୍ୱୀକାର କରିବ। ହଁ, ଏଇଥିପାଇଁ ଯୁବପିଢ଼ିକୁ ସଂକଳ୍ପ ନେବାକୁ ପଡ଼ିବ। ବିଶ୍ୱ ଯେଉଁ ଭାଷାରେ ବୁଝେ, ସେହି ବୈଜ୍ଞାନିକ ଭାଷାରେ ଆମକୁ ବୁଝାଇବାକୁ ହେବ, କିଛିକରି ଦେଖାଇବାକୁ ପଡ଼ିବ।

ବନ୍ଧୁଗଣ, ଏମିତି ଦେଖିଲେ ଉଙଠଓଊ-୧୯ ଯୋଗୁଁ କେତେକ ସକାରାତ୍ମକ ପରିବର୍ତ୍ତନ ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ୱାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଆପଣମାନେ ମଧ୍ୟ ଅନୁଭବ କରିଥିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା। କରୋନା କାରଣରୁ ପରିବର୍ତିତ ପରିସ୍ଥିତିରେ ମାସ୍କ ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି। କହିବାକୁ ଗଲେ ଆମ ଆଖପାଖରେ ମାସ୍କପିନ୍ଧା ବହୁ ଲୋକଙ୍କୁ ଦେଖିବାରେ ଆମେ ଅଭ୍ୟସ୍ତ ନୁହଁ। ହଁ, ଏହାର ଅର୍ଥ ନୁହେଁ, ଯିଏ ମାସ୍କ ପିନ୍ଧିଲା, ସିଏ ରୋଗୀ। ଆଉ ଯେତେବେଳେ ମୁଁ ‘ମାସ୍କ’ କଥା କହେ, ସେତେବେଳେ ମୋର ପୁରୁଣା ଦିନର କଥା ମନେପଡ଼େ। ଆପଣଙ୍କର ବି ମନେଥିବ। ଦିନ ଥିଲା, ଆମ ଦେଶର ଅନେକ ସ୍ଥାନରେ କେହି ଫଳ କିଣିବାକୁ ଗଲେ, ଆଖପାଖ ଲୋକ ପଚାରୁôଥିଲେ, ଘରେ କ’ଣ କିଏ ରୋଗରେ ପ଼ଡ଼ିଛି କି? ଅର୍ଥାତ୍ ରୋଗ ହେଲେ ହିଁ ଫଳ ଖିଆଯାଏ, ଏଭଳି ଏକ ଧାରଣା ଜନମାନସରେ ଥିଲା। ତେବେ ସମୟ ବଦଳିଛି ଏବଂ ଏହି ଧାରଣା ମଧ୍ୟ ବଦଳିଛି। ଠିକ୍ ସେହିପରି ମାସ୍କକୁ ନେଇ ଧାରଣା ଏବେ ବଦଳିବାକୁ ଯାଉଛି। ଆପଣମାନେ ଦେଖିବେ, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ। ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଢାଙ୍କନ୍ତୁ।

ବନ୍ଧୁଗଣ, ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି। ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି। ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା। ଏହା ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ୱାନ ଥିଲା। ଦେଖିବାକୁ ଗଲେ, ଏହି ସମସ୍ୟାକୁ ଆମେ ଆଗରୁ ଜାଣିଛୁ, କିନ୍ତୁ ଏହି ସମସ୍ୟା ସମାଜରୁ ଦୂର ହେବାର ନାଁ ଧରୁ ନ ଥିଲା। ଏବେ ସେ ସମୟ ଆସିଯାଇଛି ଯେ, ଏହି ବଦଭ୍ୟାସକୁ ସବୁଦିନ ପାଇଁ ଶେଷ କରି ଦିଆଯାଉ। କଥାରେ ଅଛି – ବେଟର୍ ଲେଟ୍ ଦାନ୍ ନେଭର୍। ତେଣୁ ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ। ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ।

ମୋର ପ୍ରିୟ ଦେଶବାସୀଗଣ, ଏହା ଗୋଟିଏ ସୁଖଦ ଆକସ୍ମିକ ସଂଯୋଗ ଯେ, ମୁଁ ଆଜି ମନର କଥା କହୁଥିବା ବେଳେ ଆଜି ଅକ୍ଷୟ ତୃତୀୟାର ପବିତ୍ର ପର୍ବ ମଧ୍ୟ ପାଳିତ ହେଉଛି। ବନ୍ଧୁଗଣ, କ୍ଷୟର ଅର୍ଥ ହେଉଛି ବିନାଶ, କିନ୍ତୁ ଯାହା କେବେହେଲେ ନଷ୍ଟ ହୁଏନି ତାହା ହେଉଛି ‘ଅକ୍ଷୟ’। ଆମ ଘରେ ଆମେ ସମସ୍ତେ ଏହି ପର୍ବ ପ୍ରତି ବର୍ଷ ପାଳନ କରିଥାଉ। କିନ୍ତୁ ଚଳିତ ବର୍ଷ ଆମ ପାଇଁ ଏହି ପର୍ବର ଗୁରୁତ୍ୱ ଖୁବ ବେଶୀ। ଆଜିର କଠିନ ପରିସ୍ଥିତିରେ ଏହା ଏଭଳି ଗୋଟିଏ ଦିନ, ଯାହା ଏ କଥା ଆମକୁ ସ୍ମରଣ କରାଇ ଦେଇଥାଏ ଯେ, ଆମର ଆତ୍ମା, ଆମର ଭାବନା ଅକ୍ଷୟ। ଏହି ଦିନ ଆମକୁ ମନେ ପକାଇ ଦେଇଥାଏ ଯେ, ମାର୍ଗରେ ଯେତେ ବାଧା ବିଘ୍ନ ଆସୁ, ଯେତେ ବିପଦ ଆସୁ, କେତେ କେତେ ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡ଼ୁ ପଛେ – ଏସବୁ ସହ ସଂଗ୍ରାମ କରିବାର, ଲଢ଼ିବାର ମାନବୀୟ ଭାବନା ଅକ୍ଷୟ। ବିଶ୍ୱାସ ରହିଛି ଯେ, ଏହା ସେହି ଦିନ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ପାଣ୍ଡବମାନଙ୍କୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା। ଅକ୍ଷୟ ପାତ୍ର ଅର୍ଥାତ ଏପରି ଏକ ପାତ୍ର ଯେଉଁଥିରୁ ଖାଦ୍ୟ କେବେହେଲେ ସରିନଥାଏ। ଆମର ଅନ୍ନଦାତା କୃଷକ ଭାଇମାନେ ସବୁ ପରିସ୍ଥିତିରେ ଦେଶ ପାଇଁ, ଆମ ସମସ୍ତଙ୍କ ପାଇଁ, ଏହି ଭାବନା ସହ ପରିଶ୍ରମ କରନ୍ତି। ସେମାନଙ୍କ ପରିଶ୍ରମ ଯୋଗୁଁ ଆଜି ଆମ ସମସ୍ତଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦେଶରେ ଅକ୍ଷୟ ଅନ୍ନ ଭଣ୍ଡାର ରହିଛି। ଏହି ଅକ୍ଷୟ ତୃତୀୟାରେ ଆମେ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆମର ପରିବେଶ, ଜଙ୍ଗଲ, ନଦୀ ଏବଂ ସମଗ୍ର ଇକୋସିଷ୍ଟମର ସୁରକ୍ଷା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ। ଯଦି ଆମେ ଅକ୍ଷୟ ରହିବାକୁ ଚାହୁଁ, ତାହେଲେ ଆମକୁ ଏ କଥା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମ ଧରିତ୍ରୀ ଅକ୍ଷୟ ରହୁ।

ଆପଣ ଜାଣନ୍ତି ଯେ – ଅକ୍ଷୟ ତୃତୀୟାର ଏହି ପର୍ବ, ଦାନ ଶକ୍ତି ଅର୍ଥାତ ପାୱାର ଅଫ୍ ଗିଭିଙ୍ଗର ମଧ୍ୟ ଗୋଟିଏ ଅବସର ହୋଇଥାଏ। ଆମେ ହୃଦୟର ଭାବନା ସହ ଯାହା କିଛି ଦାନ କରିଥାଉଁ, ପ୍ରକୃତରେ ତାହାର ହିଁ ମହତ୍ୱ ଅଧିକ। ଏ କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଆମେ କଣ ଦେଉଛୁ, କେତେ ଦେଉଛୁ। ଏହି ସଙ୍କଟ କାଳରେ ଆମର ଛୋଟିଆ ପ୍ରଚେଷ୍ଟା ମଧ୍ୟ ଆମ ଆଖ-ପାଖର ବହୁତ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ବଳ ପ୍ରମାଣିତ ହୋଇପାରେ। ବନ୍ଧୁଗଣ, ଜୈନ ପରମ୍ପରାରେ ମଧ୍ୟ ଏହାକୁ ଅତି ପବିତ୍ର ଦିନ ଭାବେ ପରିଗଣିତ କରାଯାଏ, କାରଣ ଏହା ପ୍ରଥମ ତୀର୍ଥଙ୍କର ଭଗବାନ ଋଷଭ ଦେବଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିନ। ତେଣୁ, ଜୈନ ସମାଜ ଏହାକୁ ଏକ ପର୍ବ ରୂପେ ପାଳନ କରିଥାନ୍ତି। ଏଥିରୁ ଏ କଥା ସହଜରେ ବୁଝିହୁଏ ଯେ, ଲୋକେ ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ କାହିଁକି ପସନ୍ଦ କରନ୍ତି। ଯେହେତୁ, ଆଜି କିଛି ନୂଆ ଆରମ୍ଭ କରିବାର ଦିନ, ତେବେ ଆଜିର ଦିନରେ ଆମେ ସମସ୍ତେ ମିଶି, ନିଜ ପ୍ରୟାସ ମାଧ୍ୟମରେ ନିଜ ପୃଥିବୀକୁ ଅକ୍ଷୟ ଏବଂ ଅବିନାଶୀ କରିବାର ସଂକଳ୍ପ ଗ୍ରହଣ କରିପାରିବା କି? ବନ୍ଧୁଗଣ, ଆଜି ମଧ୍ୟ ହେଉଛି ଭଗବାନ ବସବେଶ୍ୱରଙ୍କ ଜୟନ୍ତୀ। ଭଗବାନ ବସବେଶ୍ୱରଙ୍କ ସ୍ମୃତି, ତାଙ୍କ ବାର୍ତ୍ତା ସହିତ ବାରମ୍ବାର ଜଡ଼ିତ ହେବା, ସେଥିରୁ ଶିକ୍ଷାଲାଭ କରିବାର ସୁଯୋଗ ମୋତେ ମିଳିବା ମୋର ସୌଭାଗ୍ୟ। ଦେଶ ବିଦେଶରେ ଭଗବାନ ବସବେଶ୍ୱରଙ୍କ ସମସ୍ତ ଅନୁଗାମୀମାନଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା।

ବନ୍ଧୁଗଣ, ରମଜାନର ପବିତ୍ର ମାସ ମଧ୍ୟ ଆରମ୍ଭ ହୋଇସାରିଛି। ଗତଥର ରମଜାନ ପାଳନ ସମୟରେ ଏ କଥା କେହି ଚିନ୍ତା ମଧ୍ୟ କରିନଥିବେ ଯେ, ଏଥର ରମଜାନରେ ଏତେ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ, ଏହି ସମସ୍ୟା ଯେତେବେଳେ ସାରା ବିଶ୍ୱକୁ କବଳିତ କରିସାରିଛି, ସେତେବେଳେ ଏହି ରମଜାନକୁ ସଂଯମ, ସଦ୍ଭାବନା, ସମ୍ବେଦନଶୀଳତା ଏବଂ ସେବା ଭାବନାର ପ୍ରତୀକ କରି ପାଳନ କରିବାର ସୁଯୋଗ ଆମ ପାଇଁ ସୃଷ୍ଟି ହୋଇଛି। ଏଥର ଆମେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଯେମିତିକି ଇଦ୍ ପାଳନ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯିବ ଆଉ ଆମେ ପୂର୍ବ ଭଳି ଆନନ୍ଦ ଓ ଉଲ୍ଲାସର ସହ ଇଦ୍ ପାଳନ କରିପାରିବା। ରମଜାନ ସମୟରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ସହ କୋରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମକୁ ଆମେ ଆହୁରି ସୁଦୃଢ଼ କରିବା ବୋଲି ମୋର ବିଶ୍ୱାସ। ରାସ୍ତାଘାଟରେ, ବଜାରରେ, ସାହିବସ୍ତିରେ ସାମାଜିକ ଦୂରତାର ନିୟମ ପାଳନ ଏବେ ନିହାତି ଜରୁରି। ମୁଁ ଆଜି, ସେହି ସମସ୍ତ ଗୋଷ୍ଠୀ ପ୍ରତିନିଧିମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନେ ଦୁଇ ଗଜ ଦୂରତା ଏବଂ ଘରୁ ନ ବାହାରିବାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ପ୍ରକୃତରେ କରୋନା ଏଥର ଭାରତ ସହିତ ସାରା ବିଶ୍ୱରେ ପର୍ବପର୍ବାଣୀ ପାଳନର ରୂପ ହିଁ ବଦଳାଇ ଦେଇଛି, ରଙ୍ଗଢଙ୍ଗ ବଦଳାଇ ଦେଇଛି। ନିକଟ ଅତୀତରେ ଆମ ଦେଶରେ ମଧ୍ୟ ବିହୁ, ବୈଶାଖୀ, ପୁଥାଣ୍ଡୁ, ବିଶୁ, ଓଡ଼ିଆ ନବବର୍ଷ ଏଭଳି ଅନେକ ପର୍ବ ପଡ଼ିଥିଲା। ଆମେ ଦେଖିଲୁ ଯେ, ଲୋକେ କିଭଳି ଏହି ପର୍ବଗୁଡ଼ିକୁ ଘରେ ରହି ଅତ୍ୟନ୍ତ ନିରାଡମ୍ବର ଭାବେ ଏବଂ ସମାଜ ପାଇଁ ଶୁଭକାମନା ସହ ଏସବୁ ପର୍ବ ପାଳନ କଲେ। ସାଧାରଣତଃ ସେମାନେ ଏହି ପର୍ବପର୍ବାଣୀକୁ ନିଜ ବନ୍ଧୁ ଏବଂ ପରିବାର ସହ ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଥିଲେ। ଘରୁ ବାହାରି ନିଜର ଖୁସି ଅନ୍ୟମାନଙ୍କ ସହ ବାଂଟୁଥିଲେ। କିନ୍ତୁ ଏଥର, ପ୍ରତ୍ୟେକେ ସଂଯମ ଆଚରଣ କଲେ। ଲକଡାଉନର ନିୟମଗୁଡ଼ିକୁ ପାଳନ କଲେ। ଆମେ ଦେଖିଛୁ ଯେ ଆମର ଖ୍ରୀଷ୍ଟିଆନ ବନ୍ଧୁମାନେ ଇଷ୍ଟର୍ ପର୍ବ ଘରେ ହିଁ ପାଳନ କଲେ। ନିଜ ସମାଜ, ନିଜ ଦେଶ ପ୍ରତି ଏହି କର୍ତବ୍ୟ ପାଳନ କରିବା ଆଜିର ବହୁତ ବଡ଼ ଆବଶ୍ୟକତା। ତେବେ ଯାଇ ଆମେ କରୋନା ସଂକ୍ରମଣକୁ ବ୍ୟାପିବାରୁ ଅଟଳାଇବାରେ ସଫଳ ହେବା। କରୋନା ଭଳି ବିଶବ୍ୟାପୀ ମହାମାରୀକୁ ପରାଜିତ କରି ପାରିବା।

ମୋର ପ୍ରିୟ ଦେଶବାସୀଗଣ, ଏହି ବିଶ୍ୱବ୍ୟାପୀ ମହାମାରୀର ସଙ୍କଟ ସମୟରେ ଆପଣଙ୍କ ପରିବାରର ଗୋଟିଏ ସଭ୍ୟ ଭାବରେ… ଆପଣମାନେ ବି ତ ମୋ ପରିବାରର ସଦସ୍ୟ … ତେଣୁ କିଛି ସଙ୍କେତ ଦେବା, କିଛି ପରାମର୍ଶ ଦେବା ମଧ୍ୟ ମୋର କର୍ତର୍ବ୍ୟ। ମୁଁ ମୋର ଦେଶବାସୀଙ୍କୁ, ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନି। ଦେଖନ୍ତୁ, ଏଭଳି ଭୁଲ୍ ଧାରଣା କେବେହେଲେ ମୁଣ୍ଡରେ ରଖିବେନି। ବିଶ୍ୱର ଅନ୍ୟଦେଶମାନଙ୍କ ଅନୁଭୁତି ଆମକୁ ଅନେକ କିଛି କହୁଛି। ଆଉ ପୁଣି, ଆମେ ତ ବାରମ୍ବାର କହିଥାଉ – ସତର୍କତା ହଟିଲା, ତ ଦୁର୍ଘଟଣା ଘଟିଲା। ମନେ ରଖନ୍ତୁ, ଆମ ପୂର୍ବପୁରୁଷ ଏସବୁ ବିଷୟରେ ଖୁବ ଭଲ ଭାବେ ଆମ ମାର୍ଗଦର୍ଶନ କରିଛନ୍ତି। ଆମ ପୂର୍ବପୁରୁଷମାନେ କହିଛନ୍ତି –

ଅଗ୍ନି ଶେଷମ୍ ଋଣଃ ଶେଷମ୍,

ବ୍ୟାଧିଃ ଶେଷମ୍ ତଥୈବଚ।

ପୁନଃ ପୁନଃ ପ୍ରବର୍ଧେତ୍

ତସ୍ମାତ୍ ଶେଷମ୍ ନ କାରୟେତ।।

ଅର୍ଥାତ୍‌, ଅଳ୍ପରେ ଛା଼ଡ଼ି ଦିଆଯାଇଥିବା ନିଆଁ, ଋଣ ଏବଂ ରୋଗ ସୁଯୋଗ ପାଇବା ମାତ୍ରେ ଆଉ ଥରେ ବୃଦ୍ଧି ପାଇ ବିପଜ୍ଜନକ ହୋଇଯାଏ। ତେଣୁ ଏହାର ସମ୍ପୂର୍ଣ୍ଣ ନିରାକରଣ ନିହାତି ଆବଶ୍ୟକ। ତେଣୁ, ଅତି ଉତ୍ସାହିତ ହୋଇ, ସ୍ଥାନୀୟ ସ୍ତରରେ, କୌଣସି ପ୍ରକାର ଅସାବଧାନତା ନ ହେଉ ଏଥିପ୍ରତି ଆମକୁ ସବୁବେଳେ ଦୃଷ୍ଟି ରଖିବାକୁ ହେବ। ମୁଁ ପୁଣି ଥରେ କହିବି – ଦୁଇ ଗଜ ଦୂରତା ରକ୍ଷା କରନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ। ଦୁଇ ଗଜ ଦୂରତା- ଆଜିର ଆବଶ୍ୟକତା। ଆପଣ ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହିତ, ମୁଁ ମୋ କଥା ଶେଷ କରୁଛି। ଆଗାମୀ ‘ମନ କି ବାତ୍’ ପାଇଁ ଭେଟିବା ସମୟରେ ସାରା ବିଶ୍ୱରୁ ଏହି ବିଶ୍ୱବ୍ୟାପୀ ମହାମାରୀ କବଳରୁ ମୁକ୍ତିର ସମ୍ବାଦ ମିଳୁ, ମାନବଜାତି ଏହି ସମସ୍ୟାରୁ ଉଦ୍ଧାର ପାଉ – ଏହି ପ୍ରାର୍ଥନା ସହ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.