Home Top News ମତ୍ସ୍ୟ ସମ୍ପଦର ସୁରକ୍ଷା

ମତ୍ସ୍ୟ ସମ୍ପଦର ସୁରକ୍ଷା

33

ଆମ ଘର ପାଖ ଦେଇ ବ୍ରାହ୍ମଣୀ ନଦୀ ପ୍ରବାହିତ। ସ୍ଥାନୀୟ ଅଞ୍ଚଳରେ ନଦୀ ମାଛର ଚାହିଦା ବହୁତ। କିଛିଦିନ ତଳର କଥା, ସକାଳୁ ସକାଳୁ ନଦୀ ପାଖରେ ଲୋକଙ୍କ ପାଟିତୁଣ୍ଡ ଶୁଣି ମୁଁ ସେଠାରେ ପହଞ୍ଚିଲି। କିଛି ଲୋକ ପାଟିତୁଣ୍ଡର ଦୃଶ୍ୟକୁ ମୋବାଇଲରେ ଭିଡ଼ିଓ କରିବାରେ ବ୍ୟସ୍ତ ଥାଆନ୍ତି। ଆଜିକାଲି କିଛି କାରଣ ନଥାଇ ମଧ୍ୟ ବହୁତ କିଛି ଘଟି ଯାଉଛି। ଜଣେ ଭଦ୍ର ଲୋକଙ୍କୁ ପଚାରି ଗଣ୍ଡଗୋଳର ଅସଲ କାରଣଟା ବୁଝିବାକୁ ଚେଷ୍ଟା କଲି। ଗ୍ରାମର କିଛି ଯୁବକ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। ଜଣେ ଧୀବର ମାଛ ଧରୁଥିବାର ଦେଖି ତାକୁ ପଚାରିଲେ ମାଛ କିଲୋ କେତେ ଟଙ୍କା ? ଧୀବର ଜଣକ ମାଛର ମୂଲ୍ୟ ଅତ୍ୟଧିକ କହିବାରୁ ଯୁବକମାନେ ରାଗିଗଲେ, ତା’ପରେ ଆରମ୍ଭ ହୋଇଗଲା ଯୁକ୍ତିତର୍କ। ତନ୍ମଧ୍ୟରୁ ଜଣେ ଯୁବକ କହିଲା ଛୋଟ ଛୋଟ ମାଛ ଗୁଡାକ ପାଣିରେ ଛାଡି ଦିଅ। କିଛି ମାସ ପରେ ସେ ସବୁ ବଡ ହେଲେ ଧରିବ। ଧୀବର କହିଲା-ମୁଁ ସେମାନଙ୍କୁ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର କିଛି ଠିକ୍ ଠିକଣା ନାହିଁ। ଭବିଷ୍ୟତ କାହା ହାତରେ ଅଛି ? ସେତେବେଳକୁ ମୋ ଜାଲରେ ପଡିବ କି ଆଉ କାହା ଜାଲରେ ପଡିବ, କିଏ କହିବ ? ତେଣୁ ଛାଡିବାର ପ୍ରଶ୍ନ ଉଠୁନି। ଯୁବକ କହିଲା-ତୁମେ କଣ ନଦୀରେ ଯାଆଁଳ ଛାଡ଼ିଥିଲ କି ? ଖାଲି ଧରିବାକୁ ଚାଲି ଆସୁଛ। ଛୋଟ ଛୋଟ ଅବସ୍ଥାରୁ ଧରି ସେମାନଙ୍କୁ ମାରିଦେଉଛ ଯାହାକି କୌଣସିମତେ ଠିକ୍ ନୁହେଁ। ସେମାନେ ବଡ ହୋଇ ପ୍ରଜନନକ୍ଷମ ହେଲା ପରେ ଲକ୍ଷ ଲକ୍ଷ ଅଣ୍ଡା ଦେଇଥାନ୍ତେ ଓ ସେଥିରୁ ଲକ୍ଷ ଲକ୍ଷ ମାଛ ସୃଷ୍ଟି ହୋଇଥାନ୍ତେ। ମାଛ ମାନଙ୍କ ବଂଶ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମାଛ ଉତ୍ପାଦନ ଅଧିକ ହୁଅନ୍ତା। ଜୀବନକାଳ ଭିତରେ ସେମାନଙ୍କୁ ଥରେ ମାଆ-ବାପା ହେବାର ସୁଯୋଗ ଦିଅ। ଭବିଷ୍ୟତ କଥା ଟିକେ ଚିନ୍ତା କର। ମଣିଷ ମାନଙ୍କର ବଂଶ ବିସ୍ତାର ହେଲେ ଅନେକ ଗୁଡିଏ ସମସ୍ୟା ସୃଷ୍ଟି କରିଥାଏ ଯେମିତିକି ଖାଦ୍ୟାଭାବ, ବାସସ୍ଥାନର ଅଭାବ, ବେକାରୀ, ଏମିତି ଆହୁରି କେତେ କ’ଣ ଅଛି। କିନ୍ତୁ ମାଛର ବଂଶ ବୃଦ୍ଧି ହେଲେ ତୁମ ପାଇଁ, ଆମ ପାଇଁ ଓ ରାଜ୍ୟ ପାଇଁ ଭଲ। ମାଛର ସୃଷ୍ଟି ଆମର ମଙ୍ଗଳ ପାଇଁ। ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ସଂସାରରେ ଜନ୍ମ ନେଲେ ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ। ମାଛ ବି ମରିବେ ଆମେ ବି ମରିବା। ମଣିଷ ଛୁଆଟା ମରିଗଲେ ତମେ କହୁଛ ପିଲାଟାର ବୟସ ହୋଇନି ମରିଗଲା। ସେତେବେଳେ ତମର ଜ୍ଞାନ ଉଦୟ ହେଉଛି ଯେ ଅଳ୍ପ ବୟସରେ ମରିବା କଥା ନୁହଁ କିନ୍ତୁ ତୁମର ସେହି ଜ୍ଞାନ ମାଛ କ୍ଷେତ୍ରରେ କେମିତି ଅଲଗା ହୋଇଯାଉଛି। ଛୋଟ ବଡ ଯାହା ପାଉଛ ଧରି ନେଇ ଯାଉଛ, ଏହା କ’ଣ ଶ୍ରେଷ୍ଠ ଜୀବର ଶ୍ରେଷ୍ଠ ବିଚାର ? କେଉଁ ସାଇଜ଼ର ମାଛ ଧରିବା ଉଚିତ ? ସେ ବିଷୟରେ ଯଦି ତୁମର ଜ୍ଞାନ ନାହିଁ ତା’ହେଲେ କୌଣସି ବୈଷୟିକ ଅଧିକାରୀଙ୍କୁ ପଚାରି ପରାମର୍ଶ ନିଅ। ସଂସାରରେ ଖାଇବି ବୋଲି ଆଶା ଥାଏ, ମରିବି ବୋଲି ଭୟ ଥାଏ। ଆମର ଖାଇବାକୁ ଆଶା ରହୁଛି, ମାଛର ମରିବାକୁ ବି ଭୟ ରହୁଛି। ମାଛ ମାରିବାଟା କିଛି ଭୁଲ ନୁହେଁ କାରଣ ସେ ଆମର ଖାଦ୍ୟ କିନ୍ତୁ ଅତନ୍ତ ପକ୍ଷେ କିଛି ଦିନ ସେମାନଙ୍କୁ ପରିବାର ଭିତରେ ବଞ୍ଚିବାକୁ ଦିଅ। ଏବେ ସେମାନେ ଯେଉଁ ସାଇଜ଼ର ହୋଇଛନ୍ତି ଆମେ ଖାଇଲେ ଆମର ପେଟ ପୁରିବନି କିନ୍ତୁ ମାଛର ପ୍ରାଣଟି ଚାଲିଯିବ। ନଦୀ ପାଣି ପ୍ରଦୂଷିତ ହେଉଛି ସେଥିପ୍ରତି ଦୃଷ୍ଟି ଦେଉନ। ଧୀବର କହିଲା- ପ୍ରଦୂଷଣ କ’ଣ ମୁଁ କରୁଛି ? ଯୁବକ କହିଲା – କିଛି ସମୟ ପୂର୍ବରୁ ତୁମେ ଗୋଟେ ଗୁଟଖା ଖାଇ ସେ ଜରିକୁ ପାଣିରେ ପକେଇଦେଲ, ଏହା କ’ଣ ପାଣିକୁ ପ୍ରଦୂଷିତ କରୁନି କି ? ଧୀବର କହିଲା, ମାଛର ମୂଲ୍ୟ ଟିକେ ଅଧିକ କହିଦେବାରୁ ମୋତେ ଗାଳି କରି ମୋ ଆଗରେ କାହିଁକି ଭାଷଣ ମାରୁଛ ? ତୁମେ କଣ ବଡ଼ ବଡ଼ କଥା କହୁଛ ? ନଦୀ କୂଳରେ ଭୋଜି କରୁଛ, ବୋତଲ ଆଉ ପଲିଥିନ ନଦୀକୁ ଫିଂଗୁଛ, ଯାହା ମୋ ଜାଲରେ ଲାଗୁଛି। ପ୍ଲାଷ୍ଟିକ, ଜରି, ପାଣି ବୋତଲ ଦ୍ୱାରା ପାଣି ପ୍ରଦୂଷିତ ହେଉଛି, ମୋତେ କି ଜ୍ଞାନ ଦେଖାଉଛ ? ଏଥିପାଇଁ ଆମେ ସମସ୍ତେ ଦାୟୀ। ଯୁବକ କହିଲା- ମାଛ ତମେ ଧରୁଛ, ତୁମେ ଟିକେ ଅଧିକ ସଚେତନ ହେବା ଆବଶ୍ୟକ ଓ ଜଣେ ଦାୟିତ୍ୱବାନ ମତ୍ସ୍ୟଜୀବୀ ଭାବରେ ମାଛ ଧରିବା ଉଚିତ।

ସେଦିନ ମାଛର ମୂଲ୍ୟକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ କେବଳ କଥା କଟାକଟିରେ ସୀମିତ ଥିଲା। ଯୁବକ ଜଣକ ଯେଉଁ ବିଷୟ ଉପରେ ଯୁକ୍ତି କରି କହୁଥିଲେ ତାହା ଗୁରୁତ୍ୱପୂର୍ଣ ଥିଲା ଏବଂ ପାଣି ପ୍ରଦୂଷଣକୁ ନେଇ ମତ୍ସ୍ୟଜୀବୀ ଜଣକ କଥାର ମଧ୍ୟ ଯଥାର୍ଥତା ଅଛି। ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ବିଶେଷ ଅବଦାନ ରହିଛି। ମତ୍ସ୍ୟ ସମ୍ପଦର ସୁରକ୍ଷା ଆମର କର୍ତ୍ତବ୍ୟ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.