Home ଓଡ଼ିଶା ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଧମକ ପ୍ରସଙ୍ଗ – ମନ୍ତ୍ରୀ ତୁଷାରକାନ୍ତିଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଧମକ ପ୍ରସଙ୍ଗ – ମନ୍ତ୍ରୀ ତୁଷାରକାନ୍ତିଙ୍କ ବହିଷ୍କାର ଦାବି କଲା କଂଗ୍ରେସ

53

ଭୁବନେଶ୍ୱର ୯.୯ (ଓଡ଼ିଆ ପୁଅ) – କାକଟପୁରସ୍ଥିତ ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷ କାଳୀଚରଣ ପଟ୍ଟନାୟକଙ୍କୁ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ୍ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପୁଅ ସ୍ୱାଧିନ ନାୟକଙ୍କ ଧମକ ଏବଂ ଏହି ସମସ୍ତ ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ସ୍ଥାନୀୟ ବିଧାୟକ ତଥା ବର୍ତମାନର ମନ୍ତ୍ରୀ ତୁଷାରକାନ୍ତି ବେହେରା ସିଧାସଳଖ ସଂପୃକ୍ତ ଥିବାରୁ କଂଗ୍ରେସ ମନ୍ତ୍ରୀ ତୁଷାରକାନ୍ତିଙ୍କ ବହିଷ୍କାର ଦାବି କରିଛି।

ଜନୈକା ମହିଳାଙ୍କୁ ମଙ୍ଗଳା ମହାବିଦ୍ୟାଳୟରେ ଚାକିରି ଦେବା ପାଇଁ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ ନାୟକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରିଆସୁଥିଲେ। ଆଇନ୍ ବର୍ହିଭୂତ କାର୍ଯ୍ୟ ନ କରିବା ପାଇଁ ଅଧ୍ୟକ୍ଷ କହିବା ପରେ ଗତ ତା ୨୬.୮.୨୦୨୦ ରିଖରେ ମନ୍ତ୍ରୀ ତୁଷାରକାନ୍ତି ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନଙ୍କୁ ଭେଟିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କହିଥିଲେ। ମନ୍ତ୍ରୀଙ୍କ କଥାକୁ ଭାଙ୍ଗି ନପାରି ଅଧ୍ୟକ୍ଷ ମଦୋଦୟ ମନ୍ତ୍ରୀଙ୍କ କଥା ଅନୁସାରେ ବ୍ଲକ ଅଧ୍ୟକ୍ଷଙ୍କୁ ଭେଟିଥିଲେ ଓ ଭେଟିବା ସମୟରେ ବ୍ଲକ ଅଧ୍ୟକ୍ଷ ଯେକୌଣସି ମତେ ଜନୈକା ମହିଳାଙ୍କୁ ଚାକିରି ଦେବା ପାଇଁ କଲେଜ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ବାଧ୍ୟ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ମନା କରିବା ପରେ ବ୍ଲକ ଅଧ୍ୟକ୍ଷ ହଠାତ୍ ରାଗିଯାଇ କହିଥିଲେ ଯେ ଯଦି ଏ ଝିଅଟି ନିଯୁକ୍ତି ନପାଏ ମୋତେ ଚିହ୍ନିବ, ମୁଁ ତୁମର କ’ଣ କରିବି, ତୁମକୁ ଟ୍ରାନ୍‌ଫର କରିବି, ତୁମ ଚାକିରି ଖାଇବି। ଶ୍ରୀ ପଟ୍ଟନାୟକ ମୋର ଆଉ ଚାରି ମାସ ଚାକିରି ଅଛି, ମୋତେ ଅନ୍ୟାୟ କାମରେ ଲଗାନ୍ତୁ ନାହିଁ କହିବାରୁ ଉଦ୍‌କ୍ଷିପ୍ତ ହୋଇ ବ୍ଳକ ଅଧ୍ୟକ୍ଷ କହିଲେ ମୁଁ ମନ୍ତ୍ରୀଙ୍କୁ କହି ତୋ ପେନସନ୍ ବନ୍ଦ କରିଦେବି, ମୋତେ ଚିହ୍ନିଛୁ ମୁଁ କିଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇପଡୁଛି ସିଧାସଳଖ ଭାବରେ ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ଦ୍ଦେଶରେ ବ୍ଳକ ଅଧ୍ୟକ୍ଷ ସ୍ୱାଧିନ ନାୟକ କଲେଜ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଧମକ ଦେଇଛନ୍ତି। ଏହି ସମସ୍ତ ଘଟଣାକୁ ଆଧାର କରି ଅଧ୍ୟକ୍ଷ ମହୋଦୟ କାକଟପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଗଣମାଧ୍ୟମରେ ଚର୍ଚ୍ଚା ଏବଂ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇବା ପରେ ଗତ ୨ ତାରିଖରେ ପୋଲିସ ବାଧ୍ୟ ହୋଇ କାକଟପୁର ପିଏସ୍ କେଶ୍ ନଂ ୧୫୯/୨୦୦୦ ରେ ମାମଲା ପଞ୍ଜିକରଣ କରିଥିବା ସତ୍ୱେ ଏବେ ମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ବିଗତ ଦିନରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ରାୟଗଡା ଜିଲ୍ଲାର ଟିକିରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ଆଣିଥିଲେ। ସମସ୍ତ ଉଚ୍ଚ ପଦାଧିକାରୀ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଯେହେତୁ ସରକାରୀ ଦଳର ତୁଙ୍ଗ ରାଜନୈତିକ ବ୍ୟକ୍ତି ବିଶେଷ ଏହି ଘଟଣାରେ ସଂପୃକ୍ତ ଥିଲେ, କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ନିରୀହ ଶିକ୍ଷୟତ୍ରୀଙ୍କୁ ପ୍ରାଣବଳି ଦେବାକୁ ପଡିଥିଲା। ଏବେ ପୁଣି ଜଣେ ଅଧ୍ୟାପକ ସମାନ ଭାବରେ ସରକାରୀ ଦଳର ନିର୍ବାଚିତ ପ୍ରତିନିଧି (କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୁ ତୁଷାରକାନ୍ତି ବେହେରା) ଙ୍କ ଠାରୁ ଧମକ ପାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ। ତଦନ୍ତ ନସରିବା ପର୍ଯ୍ୟନ୍ତ ତୁରନ୍ତ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ତାଙ୍କ ମନ୍ତ୍ରୀପଦରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଓ କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, ନରେଶ ମହାନ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.