Home Coronavirus Outbreak ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..

ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..

673

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆଜି ଆତଙ୍କିତ। ଭାରତ ସମେତ ଅନେକ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମନ୍ଦିର, ମସଜିଦ, ଚର୍ଚ୍ଚ, ଗିର୍ଜା, ଗୁରୁଦ୍ୱାର ଆଦି ସବୁ ବନ୍ଦ। ଓଡ଼ିଶାରେ ମଧ୍ୟ ଦୋଳଯାତ୍ରା ଆଉ ଏବେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ କରି ଦିଆଗଲା। ଦଣ୍ଡଯାତ୍ରା ମଧ୍ୟ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏ’ ଭିତରେ ନିୟମ କାନୁନର ଧଜିଆ ଉଡ଼ାଇ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ମର୍କଜରେ ତବଲିଗ୍ ଜମାତ୍ କରିଛି କାର୍ଯ୍ୟକ୍ରମ। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟ ସମେତ ଅନ୍ୟାନ୍ୟ ଦେଶର ହଜାର ହଜାର ଜମାତି ଏକତ୍ରିତ ହୋଇଥିଲେ। ଏବେ ସେମାନେ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି। କରୋନା ଭାଇରସକୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି। ଏହି ମାନଙ୍କ ଯୋଗୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ୍ ବୃଦ୍ଧି ପାଇଛି। ଏବେ ତବଲିଗ୍ ଜମାତ୍ ହଜରତ୍ ନିଜାମୁଦ୍ଦିନ ମର୍କଜ୍ ସମାବେଶକୁ କରୋନା ଭାଇରସର ହଟ୍ ସ୍ପଟ୍ ବୋଲି କୁହାଯାଉଛି।

ଯେତେବେଳେ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି ତବଲିଗ୍ ଜମାତ୍ ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଏତେ ବଡ଼ ସମାବେଶ କିପରି କଲା? ଏହାକୁ ଅନେକ ମୁସଲିମ୍ ବିଦ୍ୱାନ ମଧ୍ୟ ନାପସନ୍ଦ କରିଛନ୍ତି। କିନ୍ତୁ, ମରକଜ୍ ମସଜିଦର ମୌଲାନା, କରୋନା ଭାଇରସ୍ ବୋଲି ସେମିତି କିଛି ନାହିଁ, ଏହା ଏକ ଚକ୍ରାନ୍ତ ବୋଲି କହିଥିଲେ। ଯଦି ମରିବାର ଅଛି, ତେବେ ଏହା ଭଲ ସ୍ଥାନ ବୋଲି କହି ମରକଜ୍ ମସଜିଦରେ ଲୋକଙ୍କୁ ଏକତ୍ର କରି ରଖିଲେ। ସ୍ଥାନୀୟ ପୋଲିସ, ପ୍ରଶାସନର ଆଦେଶକୁ ନ’ମାନିବାରୁ ସ୍ଥିତି ସମ୍ଭାଳିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ରାତି ୨ଟାରେ ମରକଜ୍ ମସଜିଦ ଯିବାକୁ ପଡ଼ିଲା। ଏହାପରେ ମୌଲାନା ଫେରାର ହୋଇଗଲେ। ପୋଲିସ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଯେତେବେଳେ ମରକଜ ମସଜିଦରେ ପହଞ୍ଚି ସନ୍ଦିଗ୍ଧ ଜମାତି ମାନଙ୍କୁ ଉଦ୍ଧାର କରି କରୋନା ଟେଷ୍ଟ କରାଇବାକୁ ନେବା ପାଇଁ ବସରେ ବସାଇଲେ, ଜମାତିମାନେ ସେମାନଙ୍କ ଉପରେ ଛେପ, ଖଙ୍କାର ପକାଇଲେ। ନିଜାମୁଦ୍ଦିନ ମରକଜ୍ ମସଜିଦରୁ ଫେରିଥିବା ସନ୍ଦିଗ୍ଧ ଜମାତିମାନେ ଅନେକ ମସଜିଦରେ ଲୁଚିଲେ। ଏହିପରି ଏକ ସୂଚନା ଆଧାରରେ ବିହାରର ମଧୁବାନୀ ପୋଲିସ ଯେତେବେଳେ ବିଳମ୍ବିତ ରାତିରେ ଏକ ମସଜିଦ ନିକଟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା, ସେତେବେଳେ ମସଜିଦରେ ଉପସ୍ଥିତ ଥିବା ଲୋକମାନେ କେବଳ ପୋଲିସ ଉପରକୁ ପଥର ଫିଙ୍ଗି ନଥିଲେ, ଏପରିକି ଗୁଳି ବି ଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ଏବେ ଗାଜିଆବାଦ ଜିଲ୍ଲା ଡାକ୍ତରଖାନାରେ କ୍ୱାରେଣ୍ଟାଇନ୍ ରଖାଯାଇଥିବା ଜମାତି ମାନେ ମେଡିକାଲ୍ କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବା ଅଭିଯୋଗ ହେଉଛି। ଜମାତି ମାନେ ବିନା ପ୍ୟାଣ୍ଟରେ (ପ୍ୟାଣ୍ଟ ନପିନ୍ଧି) ୱାର୍ଡରେ ବୁଲୁଛନ୍ତି। ନର୍ସମାନଙ୍କ କହିବାନୁସାରେ, ଜମାତିମାନେ ସେମାନଙ୍କଠାରୁ ବିଡ଼ି-ସିଗାରେଟ୍ ଦାବି କରୁଛନ୍ତି। ଏଥି ସହିତ, ଆପତ୍ତିଜନକ ଗୀତ ଉଚ୍ଚ ସ୍ୱରରେ ଗାଇ ଅଶ୍ଳୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି।

ଅନେକ ବିକଶିତ ତଥା ଉନ୍ନତ ଦେଶ କରୋନା ଆଗରେ ହାର ମାନି ଯାଉଛନ୍ତି। କରୋନା ଆକ୍ରାନ୍ତରେ ଲୋକ ପୋକ ମାଛି ପରି ମରି ଯାଉଛନ୍ତି। ତୁଳନାତ୍ମକ ଭାବରେ ଭାରତର ସ୍ଥିତି ଭଲ ଅଛି। କରୋନା ଭାଇରସ୍ ମୁକାବିଲା ଦିଗରେ ଭାରତ ସରକାରଙ୍କ ପଦକ୍ଷେପକୁ ଅନେକ ଦେଶ ସମେତ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପ୍ରଶଂସା କରୁଛି। କିନ୍ତୁ, ଏଣେ ଭାରତ ନିଆଁକୁ ନିଜ ଅଣ୍ଟାରେ ଧରିଛି। କରୋନା ଭାଇରସ୍ ଭାରତରେ ତୃତୀୟ ଷ୍ଟେଜ୍ (ଗୋଷ୍ଠୀ ସଂକ୍ରମଣ)ରେ ପହଞ୍ଚିନଥିଲା। ହୁଏତ ଏଇ ତବଲିଗ୍ ଜମାତି ମାନେ ପହଞ୍ଚାଇ ଦେଲେ! ଭାରତରେ କରୋନା ଭାଇରସ୍ ତୃତୀୟ ଷ୍ଟେଜରେ ପହଞ୍ଚିଗଲେ, ଏହା ଖୁବ୍ ଭୟଙ୍କର ହେବ। ସ୍ଥିତି ସମ୍ଭାଳିବା କଷ୍ଟସାଧ୍ୟ ହୋଇଯିବ। କାରଣ ଏମିତିରେ ଭାରତ ପାଖରେ ସାଧନର ତ’ ଅଭାବ, ଏହା ସହ ଭାରତର ଜନସଂଖ୍ୟା ବିଶ୍ୱରେ ଦୂତିୟ। ଲୋକସଂଖ୍ୟାର ଘନତା ଅଧିକ ଏବଂ ସାମାଜିକ ଚଳଣି ଭିନ୍ନ। ଏଠି ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲେ କଥା ସରିଯିବ। ତେଣୁ ସମସ୍ତେ ଏବେ ସତର୍କତା ଅବଲମ୍ବନ କରୁଥିବା ବେଳେ ତବଲିଗର ଏହି ଜମାତି ମାନେ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି। ଦେଶ ଅପେକ୍ଷା ଏମାନଙ୍କ ପାଇଁ ଧର୍ମ ନାମରେ ଅନ୍ଧବିଶ୍ୱାସ ସୃଷ୍ଟି କରାଇବା ବଡ଼ ହୋଇଛି। ଏମାନେ ସବୁ ଦେଶଦ୍ରୋହୀ ପରି ଆଚରଣ କରୁଛନ୍ତି। ଭାରତର ଧର୍ମ ନିରପେକ୍ଷତା, ସହନଶୀଳତାର ଫାଇଦା ନେଉଛନ୍ତି ଏପରି ଧର୍ମାନ୍ଧ ଦେଶଦ୍ରୋହୀ। ଆଜି ଯଦି ଏପରି ଚାଇନାରେ ହୋଇଥାଆନ୍ତା, ତେବେ, ଚାଇନାର କମ୍ୟୁନିଷ୍ଟ ସରକାର ଏ’ ଜମାତି ମାନଙ୍କର ଅବସ୍ଥା କ’ଣ କରି ଥାଆନ୍ତା? କିନ୍ତୁ, ଭାରତ ପରା ସହିଷ୍ଣୁତାର ଦେଶ। ଅଭିବ୍ୟକ୍ତି ଆଜାଦି ନାମରେ ଏଠି ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିହେବ। ଇଣ୍ଟଲେରାନ୍ସ, ଅଭିବ୍ୟକ୍ତି ଆଜାଦୀ ଆଦି ନାମରେ ଚିତ୍କାର କରୁଥିବା ତଥାକଥିତ ବୁଦ୍ଧିଜୀବୀ, ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍, ଆଜାଦି ଗ୍ୟାଙ୍ଗ୍ ଏବଂ ଆୱାର୍ଡ ଫେରାଇବା ଗ୍ୟାଙ୍ଗ୍ ଆଦି, ଆଜି ସବୁ ନୀରବ! କିନ୍ତୁ ମନରେ ପ୍ରଶ୍ନ ଉଠେ, ତବଲିଗ୍ ଜମାତର ଏପରି କାର୍ଯ୍ୟକ୍ରମ ଏବଂ ସେମାନଙ୍କ ଆଚରଣ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍ ମର୍କଜରେ ନହୋଇ ଚାଇନାରେ ହୋଇଥିଲେ ଆଜି କ’ଣ ହୋଇଥାଆନ୍ତା? /-ଦେବଦତ୍ତ ରଥ

ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.